ବିଜେତା ଅଷ୍ଟ୍ରେଲିଆ ବିଜୟ ଶୂନ୍ୟ

ଯୁବ ଦଳ ନେଇ ଓଡ଼ିଶା ଆସିଥିବା ଗତଥରର ବିଜେତା ଅଷ୍ଟ୍ରେଲିଆ ସୋମବାର ତା’ର ତୃତୀୟ ଲିଗ୍‌ ମ୍ୟାଚ୍‌କୁ ବି ଅମୀମାଂସିତ ରଖିଥିଲା। ଇଂଲଣ୍ଡ ବିପକ୍ଷ ଏହି ମୁକାବିଲାକୁ ୨-୨ରେ ଅମୀମାଂସିତ ରଖିଥିଲେ ବି ପୂରା ମ୍ୟାଚ୍‌ରେ କଙ୍ଗାରୁ ଦଳ ସନ୍ତୁଳନ ଏବଂ ସମନ୍ଵୟ ପାଇଁ ସଂଘର୍ଷ କରିଥିଲା। ତେବେ କଷ୍ଟେମଷ୍ଟେ ଇଂଲଣ୍ଡ ହାତରୁ ଗୋଟିଏ ପଏଣ୍ଟ ଛଡ଼ାଇ ନେଇଥଲା। ଇଂଲଣ୍ଡ ଆଧିପତ୍ୟ ବିସ୍ତାର କରିଥିବା ଏହି ମ୍ୟାଚ୍‌ର ପ୍ରଥମ ୩୦ ମିନିଟ୍‌ ଖେଳରେ ଅଷ୍ଟ୍ରେଲିଆ ଖେଳାଳିମାନେ ଆଦୌ ତାଳମେଳ ପାଇ ନଥିଲେ। ହେଲେ ଦ୍ୱିତୀୟାର୍ଧରେ ନୂତନ ଉତ୍ସାହ ଏବଂ ସତେଜ ମନ ନେଇ ପଡ଼ିଆକୁ ଓହ୍ଲାଇବା ସହ ନିଜ ପ୍ରଥମ ପରାଜୟକୁ ରୋକି ପାରିଥିଲେ।

ଇଂଲଣ୍ଡ ସୋମବାର ମ୍ୟାଚର ଚତୁର୍ଥ ମିନିଟରେ ହିଁ ଗୋଲ୍‌ ଖାତା ଖୋଲି ଦେଇଥିଲା। ଲିୟମ ଆନସେଲଙ୍କ ଫିଲ୍ଡ ଗୋଲ୍‌ ବଳରେ ଆଗୁଆ ହୋଇ ଯାଇଥିଲା। ଅଷ୍ଟ୍ରେଲିଆର ଡାଇଲନ୍‌ ଓଦରସ୍ପୁନ୍‌ ଏହି ଗୋଲ୍‌ଟିକୁ ୩୩ ମିନିଟରେ ଶୁଝାଇ ଦେଇଥିଲେ। ଏହା ପରେ ଅଷ୍ଟ୍ରେଲିଆ ୪୧ ମିନିଟରେ ବ୍ଲେକ୍‌ ଗୋଭର୍ସଙ୍କ ଗୋଲ୍‌ ବଳରେ ୨-୧ରେ ଆଗୁଆ ହୋଇ ଯାଇଥିଲା। ମ୍ୟାଚ୍‌ ଶେଷ ହେବାର ୬ ମିନିଟ୍‌ ପୂର୍ବରୁ ଇଂଲଣ୍ଡ ଏହି ଗୋଲଟିକୁ ଶୁଝାଇ ସ୍ଥିତି ୨-୨ କରି ନେଇଥିଲା। ଅଷ୍ଟ୍ରେଲିଆ କିଛି ସମୟ ପାଇଁ ଆଗୁଆ ଥିଲେ ମଧ୍ୟ ଇଂଲଣ୍ଡ ତୁଳନାତ୍ମକ ଭାବେ ଭଲ ହକି ଖେଳିଥିଲା। ଅଷ୍ଟ୍ରେଲିଆର ମାଥ୍ୟୁ ସ୍ୱାନ୍‌ ମ୍ୟାଚର ଶ୍ରେଷ୍ଠ ଖେଳାଳି ଏବଂ ଲିଅମ ଷ୍ଟାନଫୋର୍ଡ ଶ୍ରେଷ୍ଠ ଉଦୀୟମାନ ଖେଳାଳି ପୁରସ୍କାର ଲାଭ କରିଥିଲେ।

ସମ୍ବନ୍ଧିତ ଖବର