କାଲାଙ୍କୁ ସ୍ୱର୍ଣ୍ଣ; ଇତିହାସ ରଚିଲେ ଜୋର୍ଗେନ୍‌

ଶୀତକାଳୀନ ଅଲିମ୍ପିକ୍ସ

ପିଙ୍ଗ୍‌ଚାଙ୍ଗ୍‌ (ଦକ୍ଷିଣ କୋରିଆ): ଚଳିତ ଶୀତକାଳୀନ ଅଲିମ୍ପିକ୍ସରେ ପ୍ରଥମ ସ୍ୱର୍ଣ୍ଣ ପଦକ ସ୍ୱିଡେନ୍‌ର ଚାର୍ଲୋଟେ କାଲାଙ୍କ ନାମକୁ ଯାଇଛି। ଶନିବାର ମହିଳା ୧୫ କିଲୋମିଟର ସ୍କାଇଥଲନ୍‌ରେ କାଲା ପ୍ରଥମ ସ୍ଥାନ ଅକ୍ତିଆର କରି ସ୍ୱର୍ଣିମ ସଫଳତା ହାତେଇଥିଲା ବେଳେ ନରେଓ୍ଵର ମାରିତ୍‌ ଜୋର୍ଗେନ୍‌ ରୌପ୍ୟ ପଦକ ଜିତି ଇତିହାସ ରଚିଛନ୍ତି। ଜୋର୍ଗେନ୍‌ ନିଜ ଜୀବନର ୧୧ ପଦକ ଜିତି ସବୁଠୁ ସଫଳ ଶୀତକାଳୀନ ଅଲିମ୍ପିଆନ୍‌ ବିବେଚିତ ହୋଇଛନ୍ତି। ଏକ୍ଷେତ୍ରରେ ସେ ରୁଷିଆର ରାଇସା ସ୍ମେତାନିନା ଏବଂ ଇଟାଲିର ଷ୍ଟିଫାନି ବେଲ୍‌ମୋଣ୍ଡୋଙ୍କୁ ପଛରେ ପକାଇ ଦେଇଛନ୍ତି। ଜୋର୍ଗେନ୍‌ ମଧ୍ୟ ମହିଳା କ୍ରସ୍‌ କଣ୍ଟ୍ରି ସ୍କାଇଂରେ ମୋଟ ୩୭ ପଦକ ଜିତି ରାଇସାଙ୍କ ସମକକ୍ଷ ହୋଇଛନ୍ତି। ମହିଳାରେ ଜୋର୍ଗେନ୍‌ ସବୁଠୁ ସଫଳ ଅଲିମ୍ପିଆନ୍‌ ବିବେଚିତ ହୋଇଥିଲା ବେଳେ କେବଳ ପୁରୁଷରେ ନରେଓ୍ଵର ଜୋର୍ନ ଡାହେଲି ହିଁ ୧୨ ପଦକ ପଦକ ଜିତି ଜୋର୍ଗେନ୍‌ଙ୍କଠୁ ଆଗରେ ରହିଛନ୍ତି। ୨୦୧୦ ଭାଙ୍କୋଭର୍‌ ଏବଂ ୨୦୧୪ ସୋଚି ଅଲିମ୍ପିକ୍ସରେ ୩ ଲେଖାଏଁ ସ୍ୱର୍ଣ୍ଣ ଜିତିଥିବା ୩୭ ବର୍ଷ ବୟସ୍କା ଜୋର୍ଗେନ୍‌ ଶୀତକାଳୀନ ଅଲିମ୍ପିକ୍ସରେ ନିଜ ଆଧିପତ୍ୟ ଜାହିର କରିଛନ୍ତି। ଶନିବାର ୧୫ କିଲୋମିଟର ସ୍କାଇଥଲନ୍‌ରେ ଫିନ୍‌ଲାଣ୍ଡ୍‌ର କ୍ରିଷ୍ଟା ପରମାକୋଓ୍ଵିସ୍କି ତୃତୀୟ ସ୍ଥାନ ସହ କାଂସ୍ୟ ପଦକ ହାତେଇଥିଲା ବେଳେ ଜେସିକା ଡିଗିନ୍‌ସ ପଞ୍ଚମ ସ୍ଥାନରେ ସନ୍ତୁଷ୍ଟ ରହିଥିଲେ। ଫଳରେ ଜେସିକା ପ୍ରଥମ ଆମେରିକୀୟ ମହିଳା ଭାବେ ପଦକ ଜିତିବାରୁ ବଞ୍ଚିତ ହୋଇଥିଲେ। ଅନ୍ୟପକ୍ଷରେ କାଲା ୨୦୧୪ ସୋଚି ଅଲିମ୍ପିକ୍ସରେ ଜୋର୍ଗେନ୍‌ଙ୍କଠୁ ପଛରେ ପଡ଼ି ରୌପ୍ୟ ପଦକ ପାଇଥିଲା ବେଳେ ଏଠାରେ ପ୍ରତିଶୋଧ ନେଇଛନ୍ତି। ଶିବ ୩୬ରେ ସନ୍ତୁଷ୍ଟଚଳିତ ଶୀତକାଳୀନ ଅଲିମ୍ପିକ୍ସରେ ଭାରତୀୟ ତାରକା ଶିବ କେଶବନ୍‌ଙ୍କ ଅଭିଯାନ ଆରମ୍ଭରୁ ଶେଷ ହୋଇଯାଇଛି। ଶନିବାର ପୁରୁଷ ଏକକ ଲଗେ ବର୍ଗରେ ମୋଟ ୪୦ ପ୍ରତିଯୋଗୀଙ୍କ ମଧ୍ୟରୁ ଶିବ ୩୬ତମ ସ୍ଥାନରେ ସନ୍ତୁଷ୍ଟ ରହିଥିଲେ। ଶିବ ୫୦,୫୭୮ ସେକେଣ୍ଡ୍‌ ସମୟ ନେଇ ଦୌଡ଼ ଶେଷ କରିଥିଲେ।

ସମ୍ବନ୍ଧିତ ଖବର