ବିନା କୋହଲିରେ ଆଜିଠୁ ସୀମିତ ଓଭର ଶୃଙ୍ଖଳା

ଧର୍ମଶାଳା: ଶ୍ରୀଲଙ୍କା ଏବେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରୁନାହିଁ। କାରଣ ବାୟୂ ପ୍ରଦୂଷିତ ଦିଲ୍ଲୀ ବାହାରେ ଅଛନ୍ତି ଦଳର ଖେଳାଳିମାନେ। ଦଳ ପାଇଁ ଆଉ ଏକ ଆଶ୍ୱସ୍ତି ହେଉଛି ସୀମିତ ଓଭରରେ ସେମାନେ ବିରାଟ କୋହଲିଙ୍କ ଓ୍ଵିକେଟ୍‌ ପାଇଁ ଆଉ ସଂଘର୍ଷ କରିବେ ନାହିଁ। ରବିବାରଠାରୁ ଆରମ୍ଭ ହେଉଥିବା ସୀମିତ ଓଭର (ଦିନିକିଆ ଏବଂ ଟେ୍ଵଣ୍ଟି-୨୦) ଶୃଙ୍ଖଳାରୁ କୋହଲି ଓହରି ଯାଇଛନ୍ତି। ପ୍ରତିକୂଳ ପାଗ ଓ ଅସ୍ଥିର ପ୍ରଦର୍ଶନ ଭିତରେ ଶୃଙ୍ଖଳା ଶେଷ କରିଥିବା ଭାରତୀୟ ଦଳ ନୂଆ ଅଧିନାୟକଙ୍କ ନେତୃତ୍ୱରେ ନୂଆ ଆରମ୍ଭ କରିବାକୁ ଯାଉଛି। ଆଇପିଏଲ୍‌ର ସଫଳ ଅଧିନାୟକ ରୋହିତ ଶର୍ମା ଏବଂ ଅନ୍ୟତମ ଆଇପିଏଲ୍‌ ଖେଳାଳି ତିସରା ପେରେରାଙ୍କ ମଧ୍ୟରେ ରବିବାରଠାରୁ ଆରମ୍ଭ ହେବ ଭାରତ-ଶ୍ରୀଲଙ୍କା ୫୦ ଓଭରିଆ ଲଢ଼େଇ। ଶେଷ ଥର ପାଇଁ ଶ୍ରୀଲଙ୍କା ଯେତେବେଳେ ଭାରତରେ ଖେଳିଥିଲା ରୋହିତ ଶର୍ମା ବିଶ୍ୱ କୀର୍ତିମାନ ଭରା ୨୬୪ ରନ୍‌ର ପାଳି ଖେଳିଥିଲେ।ଭାରତ ଏବେ ୭ ଶୃଙ୍ଖଳା ବିଜୟ ଧାରାରେ ଥିବାବେଳେ ଶ୍ରୀଲଙ୍କା ୧୨ ମ୍ୟାଚ୍‌ ପରାଜୟ କ୍ରମରେ ରହିଛି। ସେଭଳି କିଛି କରିସ୍ମା ହେବା ଭଳି ଲାଗୁନାହିଁ। କେବଳ ଭାରତକୁ ମୂଳପୋଛ ବିଜୟରୁ ରୋକିପାରିଲେ ଶ୍ରୀଲଙ୍କା ପାଇଁ ଯଥେଷ୍ଟ ହେବ ବୋଲି ବିଶ୍ୱାସ କରାଯାଉଛି। ଭାରତ ୧ ନମ୍ବର ସ୍ଥାନ ଦଖଲ କରିବାକୁ ହେଲେ ମୂଳପୋଛ ବିଜୟ ଲୋଡ଼ା କରିବ। ଉତ୍ତର ଭାରତରେ ଥିବା ୨ଟି ମ୍ୟାଚ୍‌କୁ କିନ୍ତୁ କାକର ପ୍ରଭାବିତ କରିବା ଆଶଙ୍କା ରହିଛି। ଶ୍ରୀଲଙ୍କାଙ୍କୁ ହାଲକାରେ ନେବା ଭାରତ ପାଇଁ ନିଶ୍ଚିତ ମହଙ୍ଗା ପଡ଼ିବ। ଶେଷ ଥର ପାଇଁ ଶ୍ରୀଲଙ୍କା ସହିତ ଭାରତ ଚଳିତ ବର୍ଷ ଚାମ୍ପିଅନ୍ସ ଟ୍ରଫିରେ ଖେଳିଥିଲା ଏବଂ ଜିତିଥିଲା। ସେହିଭଳି ଭାରତ ମଧ୍ୟ ଚଳିତ ବର୍ଷ ଶ୍ରୀଲଙ୍କା ଗସ୍ତରେ ୫-୦ରେ ଜିତିଥିଲା।

କୋହଲିଙ୍କ ଅନୁପସ୍ଥିତିରେ ଅଜିଙ୍କ୍ୟ ରାହାଣେ ଚୂଡାନ୍ତ ଏକାଦଶରେ ଖେଳିବା ନିଶ୍ଚିତ। ଦୀନେଶ କାର୍ତିକ ପୁଣି ୪ ନମ୍ବର ସ୍ଥାନ ପାଇଁ ବିକଳ୍ପ ଭାବେ ରହିଛନ୍ତି। ଧାଓ୍ଵନଙ୍କ ଜ୍ୱର ହୋଇଥିବାରୁ ସେ ଶୁକ୍ରବାର ଅଭ୍ୟାସ କରିନଥିଲେ। କିନ୍ତୁ ଶନିବାର ସେ ନେଟ୍‌ସରେ ସାମିଲ ହୋଇଥିଲେ। ଯୁବ ବ୍ୟାଟିଂ ପ୍ରତିଭା ଶ୍ରେୟସ ଆୟର୍‌ ପଦାର୍ପଣ ସୁଯୋଗ ପାଇବା ସମ୍ଭାବନା ରହିଛି। କେଦାର ଯାଦବଙ୍କ ବଦଳରେ ମଧ୍ୟକ୍ରମରେ ମନୀଷ ପାଣ୍ଡେ କିମ୍ବା ଦୀନେଶ କାର୍ତିକ ଖେଳିବେ।ଶ୍ରୀଲଙ୍କା ଦିିନିକିଆ ଦଳକୁ ଆଞ୍ଜେଲୋ ମାଥ୍ୟୁସ, ଦାନୁସ୍କ ଗୁଣତିଳକ ଓ ଆସେଲା ଗୁଣରତ୍ନେଙ୍କ ପ୍ରତ୍ୟାବର୍ତନ ନିଶ୍ଚିତ ଭାରତ ପାଇଁ ପ୍ରତିବଂଧକ ହେବ। ଦିଲ୍ଲୀରେ ଶତକ ମାରିଥିବା ଧନଞ୍ଜୟ ଡି’ସିଲଭା ଆହତ ତାଲିକାରେ ଥିବାରୁ ପ୍ରଥମ ଦିନିକିଆ ଖେଳିନପାରନ୍ତି। ଚଳିତ ବର୍ଷର ଅଗ୍ରଣୀ ସିଂହଳୀ ବୋଲର ସୁରଙ୍ଗା ଲାକମଲ୍‌ କିନ୍ତୁ ଉପଲବ୍‌ଧ ଅଛନ୍ତି।ଧର୍ମଶାଳାରେ ମାତ୍ର ୩ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ପ୍ରଥମେ ବ୍ୟାଟିଂ ସ୍କୋର୍‌ ୧୯୦ରୁ ୩୩୦ ରନ୍‌ ଭିତରେ ରହିଛି। ସେ ଦୃଷ୍ଟିରୁ ଆକଳନ ଲଗାଇବା କଷ୍ଟକର ହୋଇଛି। ତିସରା କହିଛନ୍ତି ଏହା ବ୍ୟାଟିଂ ପିଚ୍‌ ହେବ।

ଭାରତ (ସମ୍ଭାବ୍ୟ ୧୧): ରୋହିତ ଶର୍ମା (ଅଧିନାୟକ), ଶିଖର ଧାଓ୍ଵନ, ଅଜିଙ୍କ୍ୟ ରାହାଣେ, ଦୀନେଶ କାର୍ତିକ, କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନି (ଓ୍ଵିକେଟରକ୍ଷକ), ହାର୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, କୁଲଦୀପ ଯାଦବ/ଅକ୍ଷର ପଟେଲ୍‌, ଯଶପ୍ରୀତ ବୁମରା, ୟୁଜବେନ୍ଦ୍ର ଚହଲ୍‌।

ଶ୍ରୀଲଙ୍କା (ସମ୍ଭାବ୍ୟ ୧୧): ଉପୁଲ ଥରଙ୍ଗା, ଦାନୁଷ୍କ ଗୁଣତିଳକ, ସଦୀରା ସମରବିକ୍ରମା/କୁସଲ ପେରେରା/ଲାହିରୁ ଥିରିମାନେ, ନିରୋଶନ ଡିକେଓ୍ଵଲା (ଓ୍ଵିକେଟରକ୍ଷକ), ଆଞ୍ଜେଲୋ ମାଥ୍ୟୁସ, ତିସରା ପେରେରା (ଅଧିନାୟକ), ଆସେଲା ଗୁଣରତ୍ନେ, ଚତୁରଙ୍ଗା ଡି’ ସିଲଭା/ସଚିତ ପଥିରଣା,/ଦୁଷ୍ମନ୍ତ ଚାମିରା, ସୁରଙ୍ଗା ଲାକମଲ, ନୁଓ୍ଵାନ ପ୍ରଦୀପ, ଅଖିଳ ଧନଞ୍ଜୟ।

ସମ୍ବନ୍ଧିତ ଖବର