ଭୁବି ଓ ବୁମ୍‌ରାଙ୍କ ବିନା ଭାରତ ସଂଘର୍ଷ କରିବ

ଭାରତ-ଇଂଲଣ୍ଡ ଟେଷ୍ଟ୍‍ ଶୃଙ୍ଖଳା

ଚେନ୍ନାଇ ଗତ ଜାନୁଆରିରେ ଭାରତ ଓ୍ଵଣ୍ଡରର୍ସ ଟେଷ୍ଟ୍‍ରେ ଦକ୍ଷିଣ ଆଫ୍ରିକାକୁ ହରାଇ ଦେବା ପରେ ଗୋଟିଏ କଥା ବିଶ୍ୱାସକୁ ଆସିଥିଲା ଦ୍ରୁତ ବୋଲରମାନେ ଦଳକୁ ବିଜୟ ଦେଇପାରିବେ। ଇଂଲଣ୍ଡ ବିପକ୍ଷ ଶୃଙ୍ଖଳାକୁ ନେଇ ଭାରତୀୟ ଶିବିର ଖୁବ୍‌ ଆଶାବାଦୀ ହୋଇଉଠିଥିଲା। ଅଗଷ୍ଟ ପହିଲାରୁ ଆରମ୍ଭ ହେବାକୁ ଯାଉଥିବା ଏହି ୫ ମ୍ୟାଚ୍‌ ଶୃଙ୍ଖଳାରୁ କିନ୍ତୁ ଏହି ଦୁଇ ପ୍ରମୁଖ ଦ୍ରୁତ ବୋଲର ଆହତ କାରଣରୁ ବାଦ୍‌ ପଡ଼ିଛନ୍ତି। ଭୁବନେଶ୍ୱର କୁମାର ପ୍ରଥମ ୩ ଟେଷ୍ଟ୍‍ରୁ ବାଦ୍‌ ପଡ଼ିସାରିଥିବା ବେଳେ ବୁମରା ପ୍ରଥମ ଟେଷ୍ଟ୍‍ରେ ନ ଖେଳିବା ନିଶ୍ଚିତ ହୋଇଛି। ଦ୍ୱିତୀୟ ଟେଷ୍ଟ୍‍ ବେଳକୁ ସେ ଉପଲବ୍‌ଧ ହେବେ କି ନା ସ୍ପଷ୍ଟ ହୋଇନାହିଁ। ଫଳରେ ବର୍ମିଂହାମରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ୍‍ରେ ଉମେଶ ଯାଦବ, ଈଶାନ୍ତ ଶର୍ମା ଏବଂ ମହମ୍ମଦ ସାମିଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ। ଏମାନେ ମିଳିତ ଭାବେ ୨୦ ଓ୍ଵିକେଟ୍‌ ବାହାର କରିବା ନେଇ ସନ୍ଦେହ ରହିଛି। ଇଂଲଣ୍ଡ ପିଚ୍‌ ସାଧାରଣତଃ ଦ୍ରୁତ ବୋଲରଙ୍କୁ ସହାୟତା ଦେଇଥାଏ। ଭୁବନେଶ୍ୱର କୁମାର ଓ୍ଵିକେଟ୍‌ର ଉଭୟ ପାର୍ଶ୍ୱରେ ସୁଇଙ୍ଗ କରିବା ଦକ୍ଷତା ରଖିଥିବାରୁ ତାଙ୍କ ଉପରେ ଦଳ ଭରସା ରଖିଥିଲା। କିନ୍ତୁ ପିଠିରେ ଯନ୍ତ୍ରଣା ଅନୁଭବ କରି ସେ ଦଳଠୁ ଦୂରେଇ ଯାଇଛନ୍ତି। ଅନ୍ୟପକ୍ଷରେ ବୁମରାଙ୍କ ଅଖାଡ଼ୁଆ ଦିଶା ଓ ଗତି ଇଂଲଣ୍ଡ ପିଚ୍‌ରେ ଉପଯୋଗୀ ରହିବ ବୋଲି ଆଶା ରହିଥିଲେ ମଧ୍ୟ ପ୍ରଥମରୁ ତାଙ୍କ ସେବାରୁ ବଞ୍ଚିତ ରହିବ ଦଳ। ଅଭିଜ୍ଞ ଈଶାନ୍ତ ଶର୍ମାଙ୍କ ଉପରେ ଭରସା ରଖିଛନ୍ତି ପୂର୍ବତନ ଦ୍ରୁତ ବୋଲର୍‌ ଲକ୍ଷ୍ମୀପତି ବାଲାଜୀ। ୨୦୧୪ରେ ଲର୍ଡସ ଟେଷ୍ଟ୍‍ରେ ଈଶାନ୍ତ ଭାରତକୁ ବିଜୟୀ କରାଇଥିଲେ। ଇଂଲଣ୍ଡ ଖେଳାଳିଙ୍କ ବିପକ୍ଷରେ ଲମ୍ବା ଚେହେରା ଦ୍ରୁତ ବୋଲର ସଫଳ ହେବାର କାରଣ ରହିଛି। ଈଶାନ୍ତଙ୍କ ଶୃଙ୍ଖଳିତ ପ୍ରଦର୍ଶନ ଫରକ ପକାଇବ ବୋଲି ଆଶା ରଖିଛନ୍ତି ଚେନ୍ନାଇ ସୁପର୍‌ କିଙ୍ଗ୍‌ସର ପେସ୍‌ ବୋଲିଂ ପ୍ରଶିକ୍ଷକ ବାଲାଜୀ। ଉମେଶ ଯାଦବଙ୍କଠାରୁ ସବୁବେଳେ ଭଲ ପ୍ରଦର୍ଶନ ଆଶା କରାଯାଇ ପାରିବ ନାହିଁ। ବେଙ୍ଗଲ ପେସର୍‌ ମହମ୍ମଦ ସାମିଙ୍କ ଉପରେ ସମ୍ପୂର୍ଣ୍ଣ ଆସ୍ଥା ରଖିନାହାନ୍ତି ବାଲାଜୀ। ସାମ୍ପ୍ରତିକ ସମୟରେ ସାମି ପଡ଼ିଆ ଭିତରେ ଓ ବାହାରେ ସମସ୍ୟାରେ ପଡ଼ିଥିଲେ। ଇଂଲଣ୍ଡ ଗସ୍ତରେ ଥିବା ଦିନିକିଆ ଓ ଟେ୍ଵଣ୍ଟି-୨୦ ଦଳରେ ବି ସେ ଖେଳିନଥିଲେ। କିନ୍ତୁ ତାଙ୍କ ଦିନରେ ସାମି ଭୟଙ୍କର ସାବ୍ୟସ୍ତ ହୋଇପାରନ୍ତି ବୋଲି ମଧ୍ୟ ବାଲାଜୀ କହିଛନ୍ତି। ସବୁ ଦୃଷ୍ଟିକୋଣରୁ ଦେଖିଲେ ଭୁବି ଓ ବୁମରାଙ୍କ ଆସିବା ପର୍ଯ୍ୟନ୍ତ ଈଶାନ୍ତ, ଉମେଶ, ସାମିଙ୍କୁ ଅତିରିକ୍ତ ବୋଝ ସମ୍ଭାଳିବାକୁ ପଡ଼ିବ। ଏମାନେ ସଫଳ ହେଲେ ହିଁ କୋହଲି ସେନାର ବିଦେଶ ସ୍ୱପ୍ନ ସାକାର ରୂପ ନେଇ ପାରିବ।

ସମ୍ବନ୍ଧିତ ଖବର