ମହିଳା ଏସୀୟ ଚାମ୍ପିଅନ୍‌ସ ଟ୍ରଫି: ଭାରତ ଉପବିଜେତା

ଡଙ୍ଘେ ସିଟି (କୋରିଆ): ମହିଳା ଏସୀୟ ଚାମ୍ପିଅନ୍‌ସ ଟ୍ରଫି ହକି ପ୍ରତିଯୋଗିତାର ପଞ୍ଚମ ସଂସ୍କରଣର ପୁଲ୍‌ ପର୍ଯ୍ୟାୟରେ ଅପରାଜେୟ ରହିଥିବା ଭାରତ ଶେଷରେ ଫାଇନାଲ୍‌ରେ ଝୁଣ୍ଟିଲା। ପୁଲ୍‌ ପର୍ଯ୍ୟାୟର ଶେଷ ମୁକାବିଲାକୁ କୋରିଆ ସହ ୧-୧ ଗୋଲ୍‌ରେ ଅମୀମାଂସିତ ରଖିଥିବା ଭାରତ ଫାଇନାଲ୍‌ରେ ସେହି ପ୍ରତିଦ୍ୱନ୍ଦ୍ୱୀଠାରୁ ହାରିଗଲା। ଫଳରେ କୋରିଆ ଏସୀୟ ଚାମ୍ପିଅନ୍‌ସ ଟ୍ରଫି ବିଜେତା ହୋଇଥିଲା ବେଳେ ଓଡ଼ିଆ ଝିଅ ସୁନୀତା ଲାକ୍ରାଙ୍କ ନେତୃତ୍ୱାଧୀନ ଭାରତକୁ ଉପବିଜେତାରେ ସନ୍ତୁଷ୍ଟ ରହିବାକୁ ପଡ଼ିଲା। ରବିବାର ଫାଇନାଲ୍‌ ଅବଶ୍ୟ ତୀବ୍ର ସଂଘର୍ଷପୂର୍ଣ୍ଣ ରହିଥିଲା। ୨୪ ମିନିଟ୍‌ରେ ଏକମାତ୍ର ଗୋଲ୍‌ ହୋଇଥିଲା ବେଳେ ମ୍ୟାଚ୍‌ ସାରା ଉଭୟ ଦଳ ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା। ହେଲେ ୨୪ ମିନିଟ୍‌ରେ ୟଙ୍ଗ୍‌ସିଲ୍‌ ଲି’ଙ୍କ ଏକମାତ୍ର ଗୋଲ୍‌ ହିଁ ମ୍ୟାଚ୍‌ର ନିର୍ଣ୍ଣାୟକ ହୋଇଥିଲା। ଲି’ଙ୍କ ଗୋଲ୍‌ ବଳରେ କୋରିଆ ଟ୍ରଫି ଜିତି ନେଇଥିଲା। ଏଥି ସହିତ କୋରିଆ ମଧ୍ୟ ତୃତୀୟ ଥର ପାଇଁ ବିଜେତା ହେଲା। ଏହା ପୂର୍ବରୁ କୋରିଆ ୨୦୧୦ ଓ ୨୦୧୧ ସଂସ୍କରଣରେ କ୍ରମାଗତ ବିଜେତା ହୋଇଥିଲା। ଅନ୍ୟପକ୍ଷରେ ଭାରତ ଦ୍ୱିତୀୟ ଥର ପାଇଁ ଉପବିଜେତାରେ ସନ୍ତୁଷ୍ଟ ରହିଲା। ୨୦୧୩ରେ ଜାପାନ ସଂସ୍କରଣରେ ମଧ୍ୟ ଭାରତ ଉପବିଜେତା ରହିଥିଲା। ତେବେ ଉପବିଜେତା ଭାରତୀୟ ଦଳର ଅଗ୍ରଭାଗ ଖେଳାଳି ବନ୍ଦନା କାଟାରିୟା ପ୍ରତିଯୋଗିତାର ଶ୍ରେଷ୍ଠ ଏବଂ ଯୁବା ଖେଳାଳି ଲାଲ୍‌ରେମ୍‌ସିଆମି ଶ୍ରେଷ୍ଠ ଉଦୀୟମାନ ଖେଳାଳି ପୁରସ୍କାର ଲାଭ କରିଥିଲେ। ଏହି ପ୍ରତିଯୋଗିତାରେ ଅବଶ୍ୟ ବନ୍ଦନାଙ୍କ ସହିତ ଅନ୍ୟତମ ଅଗ୍ରଭାଗ ଖେଳାଳି ନଭ୍‌ନୀତ୍‌ କୌର ଯୁଗ୍ମ ଭାବେ ସର୍ବାଧିକ ଗୋଲ୍‌ କରିଥିଲେ।

ସମ୍ବନ୍ଧିତ ଖବର