ମହିଳା ଏସିଆ କପ୍‌ ଟେ୍ଵଣ୍ଟି-୨୦: ଭାରତର ପ୍ରଥମ ପରାଜୟ

କୁଆଲାଲୁମ୍ପୁର: ଏଠାରେ ଚାଲିଥିବା ମହିଳା ଏସିଆ କପ୍‌ ଟେ୍ଵଣ୍ଟି-୨୦ ପ୍ରତିଯୋଗିତାରେ ଭାରତ ପ୍ରଥମ ପରାଜୟ ବରଣ କରିଛି। ମାଲେସିଆ ଏବଂ ଥାଇଲାଣ୍ଡକୁ ହରାଇଥିବା ଭାରତ ବୁଧବାର ବାଂଲାଦେଶଠୁ ୭ ଓ୍ଵିକେଟ୍‌ରେ ହାରି ଯାଇଛି। ଅନ୍ୟପକ୍ଷରେ ବାଂଲାଦେଶ ଯେ କୌଣସି ଫର୍ମାଟ୍‌ରେ ଭାରତ ବିପକ୍ଷରେ ପ୍ରଥମ ବିଜୟ ପାଇଥିଲା। ଭାରତ ବିପକ୍ଷରେ ୨୦୧୩ ପରଠୁ ଲଗାତାର ଭାବେ ୧୦ ଟେ୍ଵଣ୍ଟି-୨୦ ମ୍ୟାଚ୍‌ ହାରିବା ପରେ ବାଂଲାଦେଶ ବୁଧବାର ସଫଳତା ପାଇଥିଲା। ଅଧିନାୟିକା ହରମନ୍‌ପ୍ରୀତ୍‌ କୌରଙ୍କ ୪୨ ଏବଂ ଦୀପ୍ତି ଶର୍ମାଙ୍କ ୩୨ ରନ୍‌ ବଳରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୭ ଓ୍ଵିକେଟ୍‌ରେ ୧୪୧ ରନ୍‌ କରିଥିଲା। ବାଂଲାଦେଶ ପକ୍ଷରୁ ରୁମାନା ଅହମ୍ମଦ ୩ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ଜବାବରେ ବାଂଲାଦେଶ ୨ ବଲ୍‌ ପୂର୍ବରୁ ୩ ଓ୍ଵିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ଫାର୍ଗାନ୍‌ ହକ୍‌ (୫୨*) ଏବଂ ରୁମାନା ଅହମ୍ମଦ (୪୨* ଅପରାଜିତ ରହି ବାଂଲାଦେଶକୁ ଏହି ଐତିହାସିକ ବିଜୟ ଦେଇଥିଲେ। ପୂଜା ବସ୍ତ୍ରାକାର, ରାଜେଶ୍ୱରୀ ଗାଏକ୍ୱାଡ୍‌ ଏବଂ ପୂନମ ଯାଦବ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ପାଇଁ ରୁମାନାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଏହି ପରାଜୟ ସତ୍ତ୍ୱେ ଭାରତ ପୂର୍ବ ପରି ପଏଣ୍ଟ୍‌ ତାଲିକାରେ ଶୀର୍ଷ ସ୍ଥାନରେ ରହିଛି। ଭାରତ ୩ ମ୍ୟାଚ୍‌ରୁ ୪ ପଏଣ୍ଟ୍‌ ପାଇଥିଲା ବେଳେ ଉଭୟ ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟ ସହ ସମାନ ସଂଖ୍ୟକ ମ୍ୟାଚ୍‌ ଖେଳି ୪ ପଏଣ୍ଟ୍‌ ଲେଖାଏଁ ପାଇଛନ୍ତି। ତେବେ ଉନ୍ନତ ରନ୍‌ ରେଟ୍‌ (+୩.୪୨୮) ପାଇଁ ଭାରତ ପଏଣ୍ଟ୍‌ ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖି ଫାଇନାଲ୍‌ ଖେଳିବା ଆଶା ବାଳବତ୍ତର ରଖିଛି।

ସମ୍ବନ୍ଧିତ ଖବର