ମହିଳା ଏସିଆ କପ୍‌ ହକି : ମାଲେସିଆକୁ ହରାଇ ଗ୍ରୁପ୍‌ ଶୀର୍ଷରେ ଭାରତ

କାକାମିଗହରା (ଜାପାନ): ଚଳିତ ଏସିଆ କପ୍‌ ମହିଳା ହକି ପ୍ରତିଯୋଗିତାରେ ଭାରତ କ୍ରମାଗତ ତୃତୀୟ ବିଜୟ ହାସଲ କରିଛି। ପ୍ରଥମ ମ୍ୟାଚ୍‌ରେ ସିଙ୍ଗାପୁରକୁ ୧୦-୦ ଓ ଦ୍ୱିତୀୟ ମ୍ୟାଚ୍‌ରେ ଚୀନ୍‌କୁ ୪-୧ ଗୋଲ୍‌ରେ ପରାସ୍ତ କରିଥିବା ଭାରତ ମଙ୍ଗଳବାର ତୃତୀୟ ତଥା ଅନ୍ତିମ ଗ୍ରୁପ୍‌ ମ୍ୟାଚ୍‌ରେ ମାଲେସିଆକୁ ୨-୦ରେ ପରାସ୍ତ କରି ହ୍ୟାଟ୍ରିକ୍‌ (କ୍ରମାଗତ ତୃତୀୟ) ବିଜୟ ହାସଲ କରିଛି। ଆଉ ଏହି ବିଜୟ ସହିତ ଭାରତ ମଧ୍ୟ ଗ୍ରୁପ୍‌-ଏରେ ପଏଣ୍ଟ୍‌ ତାଲିକାର ଶୀର୍ଷରେ ରହିଛି। ୩ ମ୍ୟାଚ୍‌ରୁ ୩ ବିଜୟ ସହ ଭାରତ ମୋଟ ୯ ପଏଣ୍ଟ୍‌ ପାଇ ଗ୍ରୁପ୍‌-ଏ ବିଜେତା ଭାବେ କ୍ୱାର୍ଟର ଫାଇନାଲ୍‌ରେ ପହଞ୍ଚିଛି। ଆସନ୍ତା ୨ ତାରିଖ କ୍ୱାର୍ଟର ଫାଇନାଲ୍‌ରେ ଭାରତର ମୁକାବିଲା ଗ୍ରୁପ୍‌-ବିର ଚତୁର୍ଥ ଦଳ କାଜକସ୍ତାନ ସହ ହେବ। ଗ୍ରୁପ୍‌ ପର୍ଯ୍ୟାୟ ଶେଷରେ ଭାରତ ପଛକୁ ଚୀନ୍‌ (୬), ମାଲେସିଆ (୩) ଓ ସିଙ୍ଗାପୁର (୦) ଯଥାକ୍ରମେ ଦ୍ୱିତୀୟରୁ ଚତୁର୍ଥ ସ୍ଥାନ ପାଇଥିଲା ବେଳେ ଗ୍ରୁପ୍‌-ବିରେ ଦକ୍ଷିଣ କୋରିଆ (୯), ଆୟୋଜକ ଜାପାନ (୬), ଥାଇଲାଣ୍ଡ୍‌ (୩) ଓ କାଜାକସ୍ତାନ (୦) ଯଥାକ୍ରମେ ପ୍ରଥମରୁ ଚତୁର୍ଥ ସ୍ଥାନ ପାଇଛନ୍ତି।

ମଙ୍ଗଳବାର ମ୍ୟାଚ୍‌ ଆରମ୍ଭରୁ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଉଭୟ ଦଳ ସକର୍ତ ଓ ଧୈର୍ଯ୍ୟର ସହ ଖେଳିଥିଲେ ବି ତୃତୀୟ କ୍ୱାର୍ଟର ଶେଷ ପର୍ଯ୍ୟନ୍ତ କେହି କାହାରିକୁ ଗୋଲ୍‌ ଦେବାରେ ସମର୍ଥ ହୋଇନଥିଲେ।  ଦ୍ୱିତୀୟ କ୍ୱାର୍ଟର ଶେଷ କ୍ଷଣରେ ମାଲେସିଆ ପ୍ରଥମ ପେନାଲ୍‌ଟି କର୍ନର ପାଇଥିଲା ବେଳେ ଭାରତୀୟ ଗୋଲ୍‌ରକ୍ଷିକା ରଜନୀ ଇଟିମାର୍ପୁ ଏହାକୁ ବଞ୍ଚାଇ ଦେଇଥିଲେ। ଏହାର କିଛି ସମୟ ମଧ୍ୟରେ ଉଭୟ ଦଳ ପେନାଲ୍‌ଟି କର୍ନର ସୁଯୋଗକୁ ଅପେକ୍ଷା କରିଚାଲିଥିଲେ। ଫଳରେ ଭାରତ ଗୋଟିଏ ଓ ମାଲେସିଆ ଦୁଇଟି ପେନାଲଟି କର୍ନର ପାଇଥିଲା। ହେଲେ କୌଣସି ଗୋଟିଏ ବି ଗୋଲ୍‌ ହୋଇପାରିନଥିଲା। ତୃତୀୟାର୍ଧରେ ମାଲେସିଆକୁ ପୁଣି ଏକ ପେନାଲ୍‌ଟି ମିଳିଥିଲା ବେଳେ ଦଳ ଗୋଲ୍‌ କରିବାରେ ସଫଳ ହୋଇନଥିଲା। ତେଣୁ ପ୍ରଥମାର୍ଧ ପରେ ତୃତୀୟ କ୍ୱାର୍ଟର ମଧ୍ୟ ଗୋଲ୍‌ ଶୂନ୍ୟ ରହିଥିଲା। ମାତ୍ର ଚତୁର୍ଥ କ୍ୱାର୍ଟରରେ ହିଁ ଭାରତ ଗୋଲ୍‌ କରିବାରେ ସମର୍ଥ ହୋଇଥିଲା। ୫୪ ମିନିଟ୍‌ରେ ବନ୍ଦନା କାଟାରିୟା ଏକ ସୁନ୍ଦର ଫିଲ୍‌ଡ ଗୋଲ୍‌ ଦେଇ ଭାରତକୁ ୧-୦ର ଅଗ୍ରଣୀ ଦେବାର ପରେ ୫୫ ମିନିଟ୍‌ରେ ଗୁର୍‌ଜିତ୍‌ କୌର ପେନାଲ୍‌ଟି କର୍ନରରୁ ଗୋଲ୍‌ କରି ବ୍ୟବଧାନ ୨-୦ରେ ପହଞ୍ଚାଇଥିଲେ। ପରବର୍ତୀ କିଛି ମିନିଟ୍‌ ପର୍ଯ୍ୟନ୍ତ ଚାପରୁ ମୁକୁଳିନପାରି ମାଲେସିଆ ଶେଷରେ ପରାଜୟ ପାଇଁ ବାଧ୍ୟ ହୋଇଥିଲା। ଭାରତୀୟ ରକ୍ଷଣଭାଗ ଶେଷ ୫ ମିନିଟ୍‌କୁ ସତର୍କତାର ସହ ଜଗିଦେଇ ଭାରତକ୍‌ୁ ବିଜୟ ଭେଟି ଦେଇଥିଲେ।

ସମ୍ବନ୍ଧିତ ଖବର