ଭୁବନେଶ୍ବର: ଓଡ଼ିଶା, ଦିଲ୍ଲୀ ଏବଂ ଉତ୍ତରାଖଣ୍ଡ ଦୃଷ୍ଟିହୀନ ମହିଳା କ୍ରିକେଟ୍ ଦଳକୁ ନେଇ ଶୁକ୍ରବାରଠୁ ଡେରାଡୁନ୍ଠାରେ ତ୍ରିକୋଣୀୟ ଶୃଙ୍ଖଳା ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ୍ରେ ଓଡ଼ିଶା ୮ ୱିକେଟ୍ରେ ଉତ୍ତରାଖଣ୍ଡକୁ ହରାଇ ବିଜୟରୁ ଅଭିଯାନ ଆରମ୍ଭ କରିଛି। ୧୫ ଓଭରିଆ ଏହି ମ୍ୟାଚ୍ରେ ଉତ୍ତରାଖଣ୍ଡ ସମସ୍ତ ୱିକେଟ୍ ହରାଇ ୬୦ ରନ୍ କରିଥିଲା। ଓଡ଼ିଶା ପକ୍ଷରୁ ବାସନ୍ତୀ ହାଂସଦା, ପାର୍ବତୀ ଟୁଡ଼ୁ, ରଚନା ଜେନା ଓ ଫୁଲ ସୋରେନ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଜବାବରେ ଓଡ଼ିଶା ୫.୪ ଓଭରରେ ୨ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା। ଝିଲ୍ଲୀ ବିରୁଆ ୨୦, ବୁଧୁନୀ ପୁର୍ତି ୧୬ ଏବଂ ଗାୟତ୍ରୀ ବିରୁଆ ୬ ରନ୍ କରିଥିଲେ। ଝିଲ୍ଲୀ ବିରୁଆ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଶନିବାର ଓଡ଼ିଶା ଦ୍ବିତୀୟ ମ୍ୟାଚ୍ରେ ଦିଲ୍ଲୀକୁ ଭେଟିବ।