ମହିଳା ମୁଷ୍ଟିଯୁଦ୍ଧ: ୬ ସ୍ୱର୍ଣ ସହ ହରିଆନା ବିଜେତା

ବ୍ରହ୍ମପୁର: ଆଇଏବିଏଫ ଅନୁମୋଦିତ ବକ୍ସିଂ ଓଡ଼ିଶା ପକ୍ଷରୁ ବ୍ରହ୍ମପୁର ଷ୍ଟାଡିୟୟମରେ ଆୟୋଜିତ ସପ୍ତଦଶ ଜାତୀୟ ମହିଳା ମୁଷ୍ଟିଯୁଦ୍ଧ ପ୍ରତିଯୋଗିତା ଗୁରୁବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ହରିଆନା ଦଳଗତ ଭାବେ ସର୍ବାଧିକ ୬ ସ୍ୱର୍ଣ୍ଣ ସହ ମୋଟ ୮ ପଦକ (ଗୋଟିଏ ରୌପ୍ୟ, ଗୋଟିଏ କାଂସ୍ୟ) ହାସଲ କରି ବିଜେତା ହୋଇଛି। ଅନ୍ୟପକ୍ଷରେ ୨ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଦୁଇ କାଂସ୍ୟ (ମୋଟ ୫) ପଦକ ହାସଲ କରି ଆଣ୍ଡାମାନ୍‌ ଉପବିଜେତା ହୋଇଛି। ୮୧ କେଜିରୁ ଅଧିକ ବର୍ଗରେ ସ୍ୱର୍ଣ୍ଣ ଜିତିଥିବା ବିଜେତା ଦଳର ପ୍ରୀତି ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ଗୁରୁବାର ବିଭିନ୍ନ ବର୍ଗର ଫାଇନାଲ୍‌ ଖେଳାଯାଇଥିଲା। ୪୫-୪୮ କେଜି ବର୍ଗରେ ଆଣ୍ଡାମାନ୍‌ର ରିତୁ ୩-୨ରେ ଛତିଶଗଡ଼ର ରବିନାଙ୍କୁ, ୫୧ କେଜିରେ ହରିଆନାର ପ୍ରୀତି ୪-୦ରେ ଆସାମର ପଦ୍ମା ଛେତ୍ରୀଙ୍କୁ, ୫୪ କେଜିରେ ଛତିଶଗଡ଼ର ଭାରତୀ ପୋସଓ୍ଵାଲ୍‌ ୩-୨ରେ ପଂଜାବର ରିୟାଙ୍କୁ, ୫୭ କେଜିରେ ହରିଆନାର ମନୀଷା ୨-୦ରେ ପଂଜାବର ହରମନ୍‌ଦୀପ୍‌ଙ୍କୁ, ୬୦ କେଜିରେ ହରିଆନାର ସିଓ୍ଵି ୪-୧ରେ ଆସାମର ସର୍ମିଳା ଡୋଲେଙ୍କୁ, ୬୪ କେଜିରେ ନାଗାଲାଣ୍ଡର ଅନୁ ଦେବୀ ୫-୦ରେ ଆଣ୍ଡାମାନ୍‌ର ଦୀକ୍ଷାଙ୍କୁ, ୬୯ କେଜିରେ ହରିଆନାର ପୂଜା ୩-୨ରେ, ୭୫ କେଜିରେ ଆଣ୍ଡାମାନ୍‌ର ପ୍ରିୟଙ୍କା ୧-୦ରେ କର୍ଣ୍ଣାଟକର ଅଂଜୁ ବାଲାଙ୍କୁ, ୮୧ କେଜିରେ ହରିଆନାର ସୁନୈନା ୨-୦ରେ ତେଲେଙ୍ଗାନାର ମାଲିପ୍ରିୟା ମାଧୁରୀଙ୍କୁ ଓ ୮୧ କେଜିରୁ ଅଧିକ ବର୍ଗରେ ହରିଆନାର ପ୍ରୀତି ୫-୦ରେ ନାଗାଲାଣ୍ଡର ପୂଜାଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ।

ଉଦ୍‌ଯାପନୀ ଉତ୍ସବରେ ବ୍ରହ୍ମପୁର ମହାନଗର ନିଗମ କମିସନର୍‌ ନିଖିଲ୍‌ ପଓ୍ଵନ୍‌ କଲ୍ୟାଣ, ବ୍ରହ୍ମପୁର ଉପ ଜିଲ୍ଲାପାଳ ଇଂ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଗଂଜାମ ଜିଲ୍ଲା କ୍ରୀଡ଼ା ସଂସଦ କାର୍ଯ୍ୟକାରୀ ସଭାପତି ଡ. ଏନସି ପାଢ଼ୀ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ସକାଳେ ଆଇଏବିଏଫ୍‌ ପକ୍ଷରୁ ରେଫରି ଚୟନ ପରୀକ୍ଷାରେ ୧୬ ଜଣ ଉତ୍ତୀର୍ଣ୍ଣ ହୋଇଥିଲେ। ସେମାନଙ୍କ ମଧ୍ୟରେ ଓଡ଼ିଶାର ୫ ଜଣ (ଏମ୍‌ ଅଲ୍ଲି, ମନୋରମା ମହାରଣା, ପ୍ରଫୁଲ୍ଲ ମହାନ୍ତି, ଶଙ୍କର ଅଧିକାରୀ, ଦୁଷ୍ମନ୍ତ ପାଢ଼ୀ) ଅଛନ୍ତି। ଏଆଇବିଏଫ୍‌ ମହାସଚିବ ରାକେଶ ଠାକ୍‌ରନ୍‌ ସେମାନଙ୍କୁ ପ୍ରମାଣପତ୍ର ଓ ବ୍ୟାଚ୍‌ ପ୍ରଦାନ କରିଥିଲେ। ବକ୍ସିଂ ଓଡ଼ିଶାର ସମସ୍ତ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ। ଏଥିସହ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀଙ୍କ ମଧ୍ୟରୁ ୪୦ ଜଣଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରି ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରିବା ପାଇଁ ଚୟନ କରାଯାଇଛି। ଚୟନକର୍ତ୍ତା ଭାବେ ଅରୁଣା ମିଶ୍ର ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର