ହ୍ୟାଟ୍ରିକ୍‌ ବିଜୟ ସହ ଫାଇନାଲ୍‌ରେ ଭାରତ

ମହିଳା ଏସୀୟ ଚାମ୍ପିଅନ୍‌ସ ଟ୍ରଫି

ଡଙ୍ଘେ ସିଟି (କୋରିଆ): ଏଠାରେ ଚାଲିଥିବା ମହିଳା ଏସୀୟ ଚାମ୍ପିଅନ୍‌ସ ଟ୍ରଫି ହକି ପ୍ରତିଯୋଗିତାର ପଞ୍ଚମ ସଂସ୍କରଣରେ ଭାରତୀୟ ଦଳ ପୂରା ଆଧିପତ୍ୟ ଜମାଇଚାଲିଛି। ଓଡ଼ିଆ ଝିଅ ସୁନିତା ଲାକ୍ରାଙ୍କ ନେତୃତ୍ୱ ଏବଂ ନୂଆ ମୁଖ୍ୟ ପ୍ରଶିକ୍ଷକ ଜୋଏର୍ଡ ମାରିନ୍‌ଙ୍କ ପ୍ରଶିକ୍ଷଣରେ ଭାରତୀୟ ଦଳ ହ୍ୟାଟ୍ରିକ୍‌ (କ୍ରମାଗତ ତୃତୀୟ) ବିଜୟ ହାସଲ କରି ଫାଇନାଲ୍‌ ପ୍ରବେଶ କରିଛି। ପ୍ରଥମ ମ୍ୟାଚ୍‌ରେ ଜାପାନକୁ ୪-୧ ଓ ଦ୍ୱିତୀୟ ମ୍ୟାଚ୍‌ରେ ଚୀନ୍‌କୁ ୩-୧ରେ ପରାସ୍ତ କରିବା ପରେ ଗୁରୁବାର ତୃତୀୟ ମୁକାବିଲାରେ ମାଲେସିଆକୁ ୩-୨ ଗୋଲ୍‌ରେ ପରାସ୍ତ କରି ଭାରତ ହ୍ୟାଟ୍ରିକ୍‌ ଅର୍ଜନ କରିଛି। ଆଉ ଏହି ୩ ବିଜୟ ସହ ପଏଣ୍ଟ୍‌ ତାଲିକାର ଶୀର୍ଷରେ ରହି ଭାରତ ଫାଇନାଲ୍‌ରେ ସ୍ଥାନ ପକ୍କା କରିନେଇଛି। ସର୍ବାଧିକ ୯ ପଏଣ୍ଟ୍‌ ପାଇଥିବା ଭାରତ ରବିବାର ଫାଇନାଲ୍‌ରେ କୋରିଆକୁ ଭେଟିବ।

ଏହି ପ୍ରତିଯୋଗିତା ଆରମ୍ଭରୁ ଅଭ୍ୟାସ ମ୍ୟାଚ୍‌ରେ ମାଲେସିଆକୁ ୬-୦ ଗୋଲ୍‌ରେ ପରାସ୍ତ କରିଥିବା ଭାରତ ଅବଶ୍ୟ ଗୁରୁବାର ମୁକାବିଲାରେ ସହଜରେ ବିଜୟ ପାଇନଥିଲା। ଏହି ମ୍ୟାଚ୍‌ ଖୁବ୍‌ ସଂଘର୍ଷପୂର୍ଣ୍ଣ ରହିଥିଲା। ମାଲେସିଆ ଅଭ୍ୟାସ ମ୍ୟାଚ୍‌ ପରାଜୟରୁ କିଛି ଶିକ୍ଷା ପାଇଥିଲା ଭଳି ମନେ ହୋଇଥିଲା। ତଥାପି ଭାରତ ମ୍ୟାଚ୍‌ରେ ପ୍ରାଧାନ୍ୟ ଜମାଇ ମାଲେସିଆକୁ ବିଜୟ ସୁଯୋଗ ଦେଇନଥିଲା। ୧୭ ମିନିଟ୍‌ରେ ଡ୍ରାଗ୍‌ ଫ୍ଲିକର ତଥା ପେନାଲ୍‌ଟି ବିଶେଷଜ୍ଞ ଗୁର୍‌ଜିତ୍‌ କୌର ପେନାଲ୍‌ଟି କର୍ନରରୁ ପ୍ରଥମ ଗୋଲ୍‌ କରି ଭାରତକୁ ଆଗୁଆ କରିଥିଲେ। ଏହି ଗୋଲ୍‌ରେ ଅବଶ୍ୟ ଓଡ଼ିଆ ଝିଅ ଲିଲିମା ମିଞ୍ଜ୍‌ଙ୍କ ସହଯୋଗ ରହିଥିଲା। ମାଲେସିଆ ମଧ୍ୟ ପ୍ରଥମ କ୍ୱାର୍ଟରରେ ଗୋଟିଏ ପେନାଲ୍‌ଟି କର୍ନର ସୁଯୋଗ ପାଇଥିଲେ ମଧ୍ୟ ଭାରତୀୟ ରକ୍ଷଣଭାଗ ସେହି ପ୍ରୟାସକୁ ଭଣ୍ଡୁର କରିଦେଇଥିଲେ। ତଥାପି ଦ୍ୱିତୀୟ କ୍ୱାର୍ଟରରେ ମାଲେସିଆ ଆକ୍ରମଣ ରଚି ଭାରତକୁ ଚାପରେ ପକାଇଥିଲା। ହେଲେ ଗୋଲ୍‌ରକ୍ଷକ ଭାରତକୁ ଗୋଲ୍‌ ବରଣରୁ ବଞ୍ଚାଇଥିଲେ। ଦ୍ୱିତୀୟାର୍ଧ ଶେଷ ହେବାକୁ ୧୦ ମିନିଟ୍‌ ଥିଲା ବେଳେ ଭାରତ ଚାପରୁ ମୁକୁଳି ପ୍ରତିଆକ୍ରମଣ କରିଥିଲା। ଆଉ ଏହାର ଫାଇଦା ଉଠାଇ ବନ୍ଦନା କାଟାରିୟା ୩୩ ମିନିଟ୍‌ରେ ଭାରତ ପାଇଁ ଦ୍ୱିତୀୟ ଗୋଲ୍‌ କରିଥିଲେ। ଏହାର ୩ ମିନିଟ୍‌ ପରେ ଦୀପ୍‌ଗ୍ରେସ୍‌ ଏକ୍କା ମାଲେସିଆ ଆକ୍ରମଣକୁ ରୋକିବା ପାଇଁ ପ୍ରୟାସ କରୁଥିଲା ବେଳେ ତ୍ରୁଟି କରିବସିଥିଲେ। ଫଳରେ ମାଲେସିଆକୁ ପେନାଲ୍‌୍‌ଟି କର୍ନର ମିଳିଥିଲା। ନୁରାନି ରସିଦ୍‌ ଏହାକୁ ଗୋଲ୍‌ କରି ମାଲେସିଆ ବ୍ୟବଧାନ କମାଇଥିଲେ। ଏହାପରେ ଭାରତକୁ ତିନିଟି ପେନାଲ୍‌ଟି କର୍ନର ମିଳିଥିଲେ ବି ଗୋଟିଏ ହେଲେ ଗୋଲ୍‌ ହୋଇପାରିନଥିଲା। ତଥାପି ୪୦ ମିନିଟ୍‌ରେ ଅଧିନାୟିକା ସୁନିତା ଲାକ୍ରାଙ୍କ ଏକ ଲମ୍ବା ପାସ୍‌କୁ ନିୟଂତ୍ରଣକୁ ନେଇ ଯୁବ ଅଗ୍ରଭାଗ ଖେଳାଳି ଲାଲ୍‌ରେମ୍‌ସିଆମି ମାଲେସିଆ ଉପରେ ଗୋଲ୍‌ ଲଦି ଦେଇଥିଲେ। ଏଥି ସହିତ ଭାରତ ୩-୧ରେ ଆଗେଇ ଯାଇଥିଲା। ତେବେ ଚତୁର୍ଥ ତଥା ଅନ୍ତିମ କ୍ୱାର୍ଟରରେ ଭାରତ ଆଉ ଗୌଣସି ଗୋଲ୍‌ କରିପାରିନଥିଲା ବେଳେ ହାନିସ୍‌ ଓନ୍‌ ମାଲେସିଆ ପାଇଁ ଗୋଟିଏ ଗୋଲ୍‌ ଶୁଝି ଦେଇଥିଲେ। ୪୮ ମିନିଟ୍‌ରେ ଏହି ଗୋଲ୍‌ ହୋଇଥିଲେ ମଧ୍ୟ ଶେଷରେ ଭାରତ ୩-୨ରେ ମ୍ୟାଚ୍‌ ଜିତି ନେଇଥିଲା। ରବିବାର ଫାଇନାଲ୍‌ ପୂର୍ବରୁ ଭାରତ ପୁଲ୍‌ ପର୍ଯ୍ୟାୟରେ ତା’ର ଚତୁର୍ଥ ତଥା ଶେଷ ମ୍ୟାଚ୍‌ କୋରିଆ ସହ ଖେଳିବ।

ଜାପାନ ଓ ଚୀନ୍‌ ପରେ ମାଲେସିଆକୁ ବି ହରାଇଲା
ଫାଇନାଲ୍‌ରେ କୋରିଆକୁ ଭେଟିବ

ଆମେ ଆହୁରି ଭଲ କରିବାର ଥିଲା: ସୁନିତା
ମାଲେସିଆ ବିପକ୍ଷ ଅଭ୍ୟାସ ମ୍ୟାଚ୍‌କୁ ୬-୦ ଗୋଲ୍‌ରେ ଜିତିଥିଲା ବେଳେ ଗୁରୁବାର ମୁକାବିଲାରେ ସଂଘର୍ଷ କରିବାକୁ ପଡ଼ିଲା। ଆମେ ଏହି ମ୍ୟାଚ୍‌ରେ ଜିତିଥିଲେ ମଧ୍ୟ ଅଧିକାଂଶ ସୁଯୋଗକୁ ହାତଛଡ଼ା କରିଥିଲୁ। ଆମକୁ ଆହୁରି ଭଲ କରିବାର ଥିଲା। କେତେକ ସୁଯୋଗକୁ ଗୋଲ୍‌ କରିବାରେ ବିଫଳ ହେଲୁ। ବିଜୟରେ ଯଦିଓ ଆମେ ଖୁସି, ତେବେ ଆମର ପ୍ରଦର୍ଶନକୁ ନେଇ ଅତ୍ୟଧିକ ଖୁସି ହୋଇପାରୁନାହୁଁ। ଆମେ ଦଳୀୟ ହୋଟେଲକୁ ଫେରିବା ପରେ କରିଥିବା ତ୍ରୁଟି ସଂପର୍କରେ ଆଲୋଚନା କରିବୁ। କୋରିଆ ବିପକ୍ଷ ପରର୍ବତୀ ମ୍ୟାଚ୍‌ରେ କିପରି ପ୍ରଦର୍ଶନରେ ଉନ୍ନତି ଆଣିବୁ ସେନେଇ ରଣକୌଶଳ ନିର୍ଦ୍ଧାରଣ କରିବୁ ବୋଲି ମ୍ୟାଚ୍‌ ପରେ ପ୍ରତିକ୍ରିୟା ରଖିଛନ୍ତି ଭାରତୀୟ ଦଳର ଓଡ଼ିଆ ଅଧିନାୟିକା ସୁନିତା ଲାକ୍ରା।

ସମ୍ବନ୍ଧିତ ଖବର