ମହିଳା କ୍ରିକେଟର୍‌ଙ୍କୁ ଫିକ୍ସିଂ ପ୍ରଲୋଭନ, ଦୁଇଜଣଙ୍କ ନାଁରେ ମାମଲା

ନୂଆଦିଲ୍ଲୀ: କେତେକ ପୁରୁଷ କ୍ରିକେଟର୍‌ଙ୍କୁ ନିଜ ଜାଲରେ ଫସାଇ ସାରିବା ପରେ ବେଟିଂ ମାଫିଆ ଓ ବୁକି ଏବେ ମହିଳା କ୍ରିକେଟ୍‌ ଉପରେ ଆଖି ପକାଇଛନ୍ତି। ଭାରତୀୟ ମହିଳା କ୍ରିକେଟ୍ ଦଳର ଜଣେ ସଦସ୍ୟାଙ୍କୁ ଦୁଇ ଜଣ ବୁକି ଚଳିତ ବର୍ଷ ପ୍ରାରମ୍ଭରେ ଫିକ୍ସିଂ ପ୍ରସ୍ତାବ ଦେଇଥିବା ଖବର ସୋମବାର ପଦାକୁ ଆସିଛି। ଯାହା ଭାରତୀୟ କ୍ରିକେଟ୍‌ରେ ପୁଣି ଥରେ ଆଲୋଡ଼ନ ସୃଷ୍ଟି କରିଛି। ମହିଳା କ୍ରିକେଟର୍‌ମାନେ ମଧ୍ୟ ଛାନିଆ ହୋଇଯାଇଛନ୍ତି। ଏହି ଘଟଣା ଚଳିତ ବର୍ଷ ଫେବ୍ରୁଆରି ମାସରେ ଏବଂ ଇଂଲଣ୍ଡ ବିପକ୍ଷ ଘରୋଇ ଶୃଙ୍ଖଳାର ଠିକ୍ ପୂର୍ବରୁ ଘଟିଥିବା ଜଣା ପଡ଼ିଛି। ଚଳିତ ବର୍ଷ ଇଂଲଣ୍ଡ ବିପକ୍ଷ ଘରୋଇ ଦିନିକିଆ ଶୃଙ୍ଖଳା ବେଳେ ଦୁଇ ଜଣ ବୁକି ଏହି ଭାରତୀୟ ମହିଳା ଖେଳାଳିଙ୍କୁ ମ୍ୟାଚ୍‌ ଫିକ୍ସିଂ କରିବା ଲାଗି କହିଥିଲେ। ଏଭଳି ପ୍ରଲୋଭନକୁ ଗ୍ରହଣ ନ କରି ଖେଳାଳି ଜଣଙ୍କ ବିସିସିଆଇ ଦୁର୍ନୀତି ନିବାରଣ ସଂସ୍ଥା (ଏସିୟୁ)କୁ ଜଣାଇଥିଲେ। ତଦନ୍ତ ପରେ ପ୍ରଲୋଭନ ଦେଇଥିବା ଦୁଇଜଣ ବୁକି ରାକେଶ ବାଫନା ଓ ଜିତେନ୍ଦ୍ର କୋଠାରୀଙ୍କ ନାମରେ ଏସିୟୁ ସୋମବାର ବେଙ୍ଗାଲୁରୁ ପୁଲିସ ନିକଟରେ ପ୍ରଥମ ଅଭିଯୋଗ ପତ୍ର ଦାଖଲ କରିଛି। ଏହି ଅଭିଯୋଗ ଆଧାରରେ ବେଙ୍ଗାଲୁରୁ ପୁଲିସ ଭାରତୀୟ ପିଙ୍ଗଲ କୋଡ୍ (ଆଇପିସି)ର ଧାରା ୪୨୦ରେ ମାମଲା ରୁଜୁ କରିଛି।

ଖେଳାଳି ଜଣଙ୍କୁ ଏହି ଦୁଇ ଜଣ ଫୋନ୍‌ କରି ‌ଫିକ୍ସିଂ କରିବା ଲାଗି ପ୍ରଲୋଭିତ କରିଥିଲେ। ଏମାନଙ୍କ ମଧ୍ୟରେ ହୋଇଥିବା ବାର୍ତାଳାପକୁ ଖେଳାଳି ଜଣଙ୍କ ରେକଡିଂ କରିଥିଲେ। ଏହି ବାର୍ତାଳାପର ରେକର୍ଡର ଆଧାରରେ ଆମେ ଏଫ୍‌ଆଇଆର୍‌‌ ଦେଇଛୁ ବୋଲି ଏସିୟୁର ମୁଖ୍ୟ ଅଜିତ ସିଂହ ଶେଖାୱତ କହିଛନ୍ତି। ଶେଖାୱତ୍ ଦେଇଥିବା ସୂଚନା ମୁତାବକ ଗତବର୍ଷ ଖେଳାଳି ଜଣକ ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମିରେ ଅଭ୍ୟାସ କରୁଥିଲା ବେଳେ କୋଠାରି ନିଜକୁ ଜଣେ କ୍ରୀଡ଼ା ପ୍ରବନ୍ଧକ ଭାବେ ପରିଚୟ ଦେଇ ତାଙ୍କ ସହ ସଂପର୍କ ଯୋଡ଼ିଥିଲେ। କୋଠାରି କିଛି ଦିନ ପରେ ବାଫନାଙ୍କ ସହ ଖେଳାଳି ଜଣଙ୍କର ପରିଚୟ କରାଇଥିଲେ। କିଛି ଦିନର ପରିଚୟ ଭିତରେ ବାଫନା ଖେଳାଳି ଜଣଙ୍କୁ ଫିକ୍ସିଂ ପାଇଁ ପ୍ରଲୋଭନ ଦେବା ସହ ତାଙ୍କ କହିବା ଅନୁସାରେ ଖେଳିବାକୁ ନିର୍ଦେଶ ଦେବା ଆରମ୍ଭ କରିଥିଲେ। ଏହି ଘଟଣା ମହିଳା କ୍ରିକେଟରମାନଙ୍କ ପାଇଁ ସତର୍କ ଘଣ୍ଟି ହୋଇଛି। ସେମାନେ କାହା ସହ ଏବଂ କେମିତି ମିଶୁଛନ୍ତି, ସେ ଦିଗରେ ଆଗକୁ ଧ୍ୟାନ ଦେବାକୁ ଶେଖାୱତ୍ ଆହ୍ବାନ ଦେଇଛନ୍ତି।

ତାମିଲନାଡ଼ୁ ପ୍ରିମିୟର ଲିଗ୍‌ରେ ଫିକ୍ସିଂର କଳା ବାଦଲ
ଚେନ୍ନାଇ: ଚଳିତ ବର୍ଷର ତାମିଲନାଡୁ ପ୍ରିମିୟର ଲିଗ୍ (ଟିଏନ୍‌ପିଏଲ୍‌)ରେ ମଧ୍ୟ କେତେକ ସନ୍ଦିଗ୍ଧ ବ୍ୟକ୍ତି ବହୁ ଖେଳାଳିଙ୍କୁ ଫିକ୍ସିଂ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ଏହି ଖବର ପ୍ରକାଶ ପାଇବା ପରେ ବିସିସିଆଇ ଦୁର୍ନୀତି ନିବାରଣ ୟୁନିଟ୍ ବା ଏସିୟୁ ମାମଲାର ଆନୁଷ୍ଠାନିକ ତଦନ୍ତ ଆରମ୍ଭ କରିଛି। ଚଳିତ ବର୍ଷ ଜୁଲାଇ ୧୯ରୁ ଅଗଷ୍ଟ ୧୫ ମଧ୍ୟରେ ଖେଳା ଯାଇଥିବା ଏହି ଲିଗ୍‌ର ଖେଳାଳିମା‌ନେ ବୁକିଙ୍କ ଜାଲରେ ଫସିବା ପରିବର୍ତେ ଏହାକୁ ବିସିସିଆଇକୁ ଜଣାଇଥି‌ଲେ। ଖେଳାଳିମା‌ନେ ଆଗୁଆ ବିସିସିଆଇକୁ ଜଣାଇଥିବାରୁ ସେମାନଙ୍କ ବିରୋଧରେ ତଦନ୍ତ ହେବ ନାହିଁ ବୋଲି ଏସିୟୁ ମୁଖ୍ୟ ଅଜିତ ସିଂ ଶେଖାୱତ୍ କହିଛନ୍ତି। ବୁକିମାନେ ଲିଗ୍‌ରେ ଖେଳୁଥିବା ଅନ୍ତର୍ଜାତୀୟ ଖେଳାଳିଙ୍କୁ ଫିକ୍ସିଂ ପ୍ରସ୍ତାବ ଦେଇ ଥିଲେ କି ନାହିଁ? ସେ ବିଷୟରେ ଶେଖାୱତ୍ କିଛି କହି ନାହାନ୍ତି। ତଦନ୍ତ ପରେ ସବୁ କିଛି ସ୍ପଷ୍ଟ ହୋଇଯିବ ବୋଲି ସେ ମତ ରଖିଛନ୍ତି। ସୂଚନାଯୋଗ୍ୟ ଯେ ଟିଏନ୍‌ପିଏଲ୍‌କୁ ଚାରି ବର୍ଷ ହେବ ତାମିଲନାଡ଼ୁ କ୍ରିକେଟ୍ ସଂଘ ଆୟୋଜିତ କରି ଆସୁଛି।

ସମ୍ବନ୍ଧିତ ଖବର