ମହିଳା ହକି: କାଂସ୍ୟ ପାଇଁ ଇଂଲଣ୍ଡ ସହ ଖେଳିବ ଭାରତ

ଗୋଲ୍‌ଡ କୋଷ୍ଟ: ଗୋଲ୍‌ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହିଳା ହକିରେ ଭାରତର ସ୍ୱର୍ଣ୍ଣ ଆଶା ମଉଳିଗଲା। ଗୁରୁବାର ସେମିଫାଇନାଲ୍‌ରେ ରାଣୀ ରାମ୍‌ପଲ୍‌ଙ୍କ ନେତୃତ୍ୱାଧୀନ ଭାରତ ପ୍ରବଳ ଲଢ଼େଇ କରିବା ସତ୍ତ୍ୱେ ଏକମାତ୍ର ଗୋଲ୍‌ ବ୍ୟବଧାନରେ ଆୟୋଜକ ଅଷ୍ଟ୍ରେଲିଆ ନିକଟରୁ ହାରିଗଲା। ପ୍ରଥମ ଦୁଇ କ୍ୱାର୍ଟର ସାଙ୍ଗକୁ ଚତୁର୍ଥ ତଥା ଶେଷ କ୍ୱାର୍ଟର ଗୋଲ୍‌ ଶୂନ୍ୟ ରହିଥିଲା ବେଳେ ତୃତୀୟ କ୍ୱାର୍ଟରରେ ହିଁ ମ୍ୟାଚ୍‌ର ଏକମାତ୍ର ଗୋଲ୍‌ଟି ସ୍କୋର୍‌ ହୋଇଥିଲା। ୩୭ ମିନିଟ୍‌ରେ ଗ୍ରେସ୍‌ ଷ୍ଟିଓ୍ଵାର୍ଟ ଏହି ଗୋଲ୍‌ କରି ଅଷ୍ଟ୍ରେଲିଆକୁ ଫାଇନାଲ୍‌ରେ ପହଞ୍ଚାଇ ଦେଇଥିଲେ। ତଥାପି ବନ୍ଦନାଙ୍କ ଚମତ୍କାର ପାସ୍‌କୁ ରାଣୀ ରାମ୍‌ପଲ୍‌ ଗୋଲ୍‌ କରିବାରେ ବିଫଳ ହେବାରୁ ଭାରତ ବିଜୟରୁ ବଞ୍ଚିତ ହୋଇଥିଲା। କେବଳ ସେତିକି ନୁହେଁ ଅଷ୍ଟ୍ରେଲିଆର ଲାଗ ଲାଗ ଦୁଇଟି ପେନାଲ୍‌ଟି କର୍ନର ପ୍ରୟାସକୁ ମଧ୍ୟ ଭାରତ ପଣ୍ଡ କରିଦେଇଥିଲା। ଏହାପରେ ଚତୁର୍ଥ କ୍ୱାର୍ଟରରେ ମଧ୍ୟ ସ୍ଥିତି ସମାନ କରିବାର ସୁଯୋଗ ଭାରତ ପାଖରେ ରହିଥିଲା। ହେଲେ ଗୁର୍‌ଜିତ୍‌ କୌର ଦୁଇଟି ସୁଯୋଗ ହାତଛଡ଼ା କରିବା ଭାରତକୁ ପରାଜୟ ପାଇଁ ବାଧ୍ୟ କରିଥିଲା। ମ୍ୟାଚ୍‌ ଆଉ ୩ ମିନିଟ୍‌ ଥିଲା ବେଳେ ପ୍ରଶିକ୍ଷକ ହରେନ୍ଦ୍ର ସିଂହ ଗୋଲ୍‌ରକ୍ଷିକା ସବିତାଙ୍କୁ ଆକ୍ରମଣରେ ଲଗାଇଥିଲେ ମଧ୍ୟ ଶେଷ ପ୍ରୟାସ ନିଷ୍ଫଳ ହୋଇଯାଇଥିଲା। ଭାରତ ୦-୧ ଗୋଲ୍‌ରେ ହାରିଗଲା। ଫାଇନାଲ୍‌ରୁ ବଞ୍ଚିତ ହୋଇଥିଲେ ମଧ୍ୟ ଭାରତ ଏବେ ତୃତୀୟ ସ୍ଥାନ ତଥା କାଂସ୍ୟ ପଦକ ପାଇଁ ଖେଳିବ। ଏଥିପାଇଁ ଭାରତକୁ ଆସନ୍ତା ୧୪ ତାରିଖ ଦିନ ଇଂଲଣ୍ଡ ସହ ମୁକାବିଲା କରିବାକୁ ପଡ଼ିବ।

ପୁରୁଷ ହକି ସେମିଫାଇନାଲ୍‌ ଆଜି
ଭାରତର ସବୁଠାରୁ ବଡ଼ ଆଶା ହକି ସ୍ୱର୍ଣ୍ଣ। ଏହାର ସେମିଫାଇନାଲ୍‌ ପରୀକ୍ଷା ଶୁକ୍ରବାର। ଭାରତ ଖେଳିବ ନ୍ୟୁଜିଲାଣ୍ଡ୍‌ ସହିତ। ଗୋଲ୍‌ଡକୋଷ୍ଟ୍‍ରେ ପାଦ ଥାପିବା ପରଠାରୁ ଭାରତ ଆଶା ଓ ଆଶଙ୍କାରେ ଥିଲା। ପାକିସ୍ତାନ ସହିତ ୨-୨ରୁ ଅଭିଯାନ ଆରମ୍ଭ କରିବା ପରେ ଭାରତୀୟ ଦଳ େଓ୍ଵଲ୍‌ସକୁ ୪-୩ରେ ଏବଂ ମାଲେସିଆକୁ ୨-୧ରେ ପରାସ୍ତ କରିଥିଲା। ଇଂଲଣ୍ଡ ବିପକ୍ଷରେ ଶେଷ ୧.୩୬ ସେକେଣ୍ଡ୍‌ରେ ୨ ଗୋଲ୍‌ ଦେଇ ଭାରତ ୪-୩ରେ ଜିତିବା ପରେ ଦଳର ଆତ୍ମବିଶ୍ୱାସ ଉଚ୍ଚା ରହିଛି। ବରୁଣ କୁମାର ଏବଂ ଅଧିନାୟକ ମନପ୍ରୀତ୍‌ ସିଂହଙ୍କ ଏହି ଦୁଇ ଗୋଲ୍‌ ଭାରତକୁ ପରାଜୟ ମୁହଁରୁ ବାହାର କରି ବିଜୟ ଦେଇଥିଲା। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ୍‌ କିନ୍ତୁ ଏକାଧିକ ବଡ଼ ବିଜୟ ସହ ସେମିଫାଇନାଲ୍‌ ଆସିଛି। କାନାଡ଼ାକୁ ୬-୨, ଦକ୍ଷିଣ ଆଫ୍ରିକାକୁ ୬-୦, ସ୍କଟ୍‌ଲାଣ୍ଡ୍‌କୁ ୫-୨ରେ ହରାଇବା ପରେ ଦଳ ସ୍ୱଳ୍ପ ବ୍ୟବଧାନରେ (୧-୨) ଅଷ୍ଟ୍ରେଲିଆଠାରୁ ହାରିଥିଲା। ଆମେ ବିଜୟୀ ମନୋଭାବ ନେଇ ଖେଳିବୁ। ନିଜ ଖେଳକୁ ଅପରିବର୍ତିତ ରଖିବା ସହ ଯଥା ସମ୍ଭବ କମ୍‌ ଭୁଲ କରିବାକୁ ଚେଷ୍ଟା କରିବୁ ବୋଲି ସେମିଫାଇନାଲ୍‌ ପୂର୍ବରୁ କହିଛନ୍ତି ଭାରତୀୟ ଦଳ ଅଧିନାୟକ ମନପ୍ରୀତ୍‌ ସିଂହ।

ସମ୍ବନ୍ଧିତ ଖବର