ମହିଳା ହକି: ଭାରତ ୪-୦ରେ ଶୃଙ୍ଖଳା ଜିତିଲା

କ୍ବାଲା‌ଲମ୍ପୁର: ମାଲେସିଆ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶି‌ଷ୍ଟ ଦ୍ବିପାକ୍ଷିକ ହକି ଶୃଙ୍ଖଳାକୁ ଭାରତୀୟ ମହିଳା ଦଳ ୪-୦ରେ ଜିତିନେଇଛି। ଏଥି ସହିତ ଭାରତୀୟ ଦଳ ଅପରାଜେୟ ସହ ମାଲେସିଆ ଗସ୍ତ ଶେଷ କରିଛି। କେବଳ ତୃତୀୟ ମ୍ୟାଚ୍‌କୁ ୪-୪ ଗୋଲ୍‌ରେ ଅମୀମାଂସିତ ରଖିଥିବା ଭାରତ ପ୍ରଥମ ମ୍ୟାଚ୍‌କୁ ୩-୦, ଦ୍ବିତୀୟକୁ ୫-୦, ତୃତୀୟକୁ ୧-୦ରେ ଜିତି ଶେଷ ମ୍ୟାଚ୍‌ ପୂର୍ବରୁ ଶୃଙ୍ଖଳା ହାତେଇ ନେଇଥିଲା। ଶେଷରେ ଗୁରୁବାର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍‌କୁ ମଧ୍ୟ ୧-୦ ଗୋଲ୍‌ରେ ଜିତି ଅପରାଜେୟ ଧାରା ଲମ୍ବାଇଥିଲା। ଗୁରୁବାର ମ୍ୟାଚ୍‌ରେ ନଭ୍‌ନୀତ୍‌ କୌର ଏକମାତ୍ର ଗୋଲ୍‌ ଦେଇଥିଲେ। ପ୍ରଥମ ଦୁଇ କ୍ବାର୍ଟର ଗୋଲ୍‌ ଶୂନ୍ୟ ରହିବା ପରେ ତୃତୀୟ କ୍ବାର୍ଟର ତଥା ମ୍ୟାଚ୍‌ର ୩୫ତମ ମିନିଟ୍‌ରେ ହିଁ ନଭ୍‌ନୀତ୍‌ ଚମତ୍କାର ଫିଲ୍‌ଡ ଗୋଲ୍‌ କରି ଭାରତ ବିଜୟର କର୍ଣ୍ଣଧାର ସାଜିଥିଲେ। ତଥାପି ପେନାଲ୍‌ଟି କର୍ନରକୁ ଗୋଲ୍‌ରେ ରୂପାନ୍ତରିତ ନକରିପାରିବାର ଦୁର୍ବଳତା ପଦାକୁ ଆସିଥିଲା। ଏକାଧିକ ପେନାଲ୍‌ଟି କର୍ନରକୁ ରୂପାନ୍ତରିତ କରିନପାରିବାରୁ ଅଧିକ ଗୋଲ୍‌ ଦେବାରୁ ବଞ୍ଚିତ ହୋଇଥିଲା। ଆମକୁ ପେନାଲ୍ଟି ଦୁର୍ବଳତା ଦୂରେଇବା ଦିଗରେ କଠୋର ପରିଶ୍ରମ କରିବା ଉଚି୍ତ ବୋଲି କହିଥିଲେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଜୋଏର୍ଡ ମାରିନ୍‌। ଶୃଙ୍ଖଳା ୪-୦ରେ ଜିତିଥିଲେ ମଧ୍ୟ ମାଲେସିଆ ଗସ୍ତ ନେଇ ମାରିନ୍‌ ସନ୍ତୁଷ୍ଟ ନଥିବା ଜଣାପଡ଼ିଛି। କେବଳ ଆନ୍ତର୍ଜାତିକସ୍ତରରେ ଖେଳିବାର ଅଭିଜ୍ଞତା ଯୁବ ଖେଳାଳିଙ୍କୁ ମିଳିଲା ଏବଂ ଆଗାମୀ ଦିନରେ ଦଳ ଆହୁରି ସୁଦୃଢ଼ ହୋଇପାରିବ ବୋଲି ସେ କହିଛନ୍ତି। ଭାରତୀୟ ମହିଳା ଦଳ ଶୁକ୍ରବାର ମାଲେସିଆରୁ ସ୍ବଦେଶ ଫେରିବ।

ସମ୍ବନ୍ଧିତ ଖବର