ମହିଳା ହକି ତୃତୀୟ ମ୍ୟାଚ୍‌: ଭାରତ-୪, ମାଲେସିଆ-୪

କୁଆଲାଲମ୍ପୁର (ମାଲେସିଆ): ୫ ମ୍ୟାଚ୍‌ ବିଶିଷ୍ଟ ହକି ଶୃଙ୍ଖଳା ଖେଳିବାକୁ ମାଲେସିଆ ଗସ୍ତରେ ଥିବା ଭାରତୀୟ ମହିଳା ଦଳର ବିଜୟ ଧାରାରେ ରୋକ୍‌ ଲାଗିଛି। ମାଲେସିଆ ବିପକ୍ଷ ପ୍ରଥମ ଦୁଇ ମ୍ୟାଚ୍‌କୁ ଯଥାକ୍ରମେ ୩-୦ ଓ ୫-୦ ‌ଗୋଲ୍‌ରେ ଜିତିଥିଲା ଭାରତ। ହେଲେ ସୋମବାର ତୃତୀୟ ମ୍ୟାଚ୍‌ ଅମୀମାଂସିତ (୪-୪ ଗୋଲ୍‌) ଭାବେ ଶେଷ ହୋଇଛି। ମ୍ୟାଚ୍‌ର ଦ୍ବାଦଶ ମିନିଟ୍‌ରେ ନଭଜୋତ୍‌ଙ୍କ ଗୋଲ୍‌ରେ ଭାରତ ଆରମ୍ଭରୁ ୧-୦ ଅଗ୍ରଣୀ ପାଇଥିଲା। ନବନୀତ ୨୨ ମିନିଟ୍‌ରେ ‌ଆଉ ଏକ ଗୋଲ୍‌ ଦେଇ ଭାରତକୁ ୨-୦ରେ ଆଗୁଆ କରିଥିଲେ। ମାଲେସିଆର କିରଣଦୀପ (୨୬ ମିନିଟ୍‌) ଏବଂ ନୁରାନି (୨୭ ମିନିଟ୍‌) ଏକ ମିନିଟ୍ ଭିତରେ ଲାଗାତାର ଦୁଇଟି ଗୋଲ୍‌ ଦେଇ ସ୍ଥିତି ୨-୨ କରି ଦେଇଥିଲେ। ତୃତୀୟ କ୍ବାର୍ଟର୍‌ରେ ନୁରାମିରା (୩୫ ମିନିଟ୍‌)ଙ୍କ ଗୋଲ୍‌ରେ ମାଲେସିଆ ୩-୨ରେ ଆଗୁଆ ହୋଇଯାଇଥିଲା। ୩୮ତମ ମିନିଟ୍‌ରେ ନୁରାନି ବ୍ୟକ୍ତିଗତ ଭାବେ ଦ୍ବିତୀୟ ଗୋଲ୍‌ ଦେଇ ନିଜ ଦଳକୁ ୪-୨ରେ ଅଗ୍ରଣୀ ଦେଇଥିଲେ। ହେଲେ ‌ତୃତୀୟ କ୍ବାର୍ଟର ଶେଷ ମିନିଟ୍‌ରେ ନବନୀତ (୪୫ ମିନିଟ୍‌) ବ୍ୟକ୍ତିଗତ ଭାବେ ଯୁଗଳ ସଫଳତା ପାଇବା ସହ ସେଥିମଧ୍ୟରୁ ଗୋଟିଏ ଗୋଲ୍‌ ଶୁଝି ସ୍ଥିତି ୩-୪କୁ ଆଣିଥିଲେ। ୫୪ତମ ମିନିଟ୍‌ରେ ଲାଲରେମସିଆମିଙ୍କ ଗୋଲ୍‌ରେ ଭାରତ ସ୍ଥିତି ବରାବର କରି ପରାଜୟରୁ ବର୍ତି ଯାଇଥିଲା। ପରବର୍ତୀ ମ୍ୟାଚ୍‌ ବୁଧବାର ଖେଳାଯିବ।

ସମ୍ବନ୍ଧିତ ଖବର