ମହିଳା ଦିନିକିଆ କ୍ରିକେଟ: ମାଧୁରୀ, ସରିତା ଓଡ଼ିଶାକୁ ଜିତାଇଲେ

କଟକ: ମାଧୁରୀ ମେହେଟ୍ଟା ଓ ସରିତା ମେହେରଙ୍କ ଅର୍ଧଶତକୀୟ ପାଳି ଯୋଗୁଁ ଥାନେରେ ଚାଲିଥିବା ଅନ୍ତଃରାଜ୍ୟ ବରିଷ୍ଠ ମହିଳା ଦିନିକିଆ କ୍ରିକେଟରେ ଓଡ଼ିଶା ତୃତୀୟ ବିଜୟ ହାସଲ କରିଛି। ରବିବାର ଓଡ଼ିଶା ୫୨ ରନ୍‌ରେ ଆନ୍ଧ୍ରପ୍ରଦେଶକୁ ହରାଇଛି। ଓଡ଼ିଶା ଟସ୍‌ ଜିତି ବ୍ୟାଟି˚ କରିଥିଲା। କାଜଲ ଜେନାଙ୍କ ବଦଳରେ ପାଳି ଆରମ୍ଭ କରିବା ସୁଯୋଗ ପାଇଥିବା ସରିତା ମେହେର ଏହାର ଭରପୂର ଫାଇଦା ଉଠାଇଥିଲେ। ମାଧୁରୀ ଓ ସରିତା ଉଭୟ ବ୍ୟକ୍ତିଗତ ଅର୍ଧଶତକ ଅର୍ଜନ ସହିତ ପ୍ରଥମ ଵିକେଟ୍‌ ଭାଗୀଦାରିରେ ୧୨୨ ରନ୍‌ ଯୋଡ଼ିଥିଲେ। ମାଧୁରୀ ୬୬ (୮୦ ବଲ୍‌, ୭ ଚୌକା, ୧ ଛକା) ଓ ସରିତା ୭୨ (୧୧୪ ବଲ୍‌, ୭ ଚୌକା) ରନ୍‌ରେ ଆଉଟ୍‌ ହୋଇଥିଲେ। ପ୍ରଜ୍ଞା ପାରମିତା ମହାନ୍ତି (୩୭*, ୫୬ ବଲ୍‌, ୨ ଚୌକା) ଓ ସୁଶ୍ରୀ ଦିବ୍ୟଦର୍ଶିନୀ (୩୮, ୩୩ ବଲ୍‌, ୪ ଚୌକା) ମଧ୍ୟକ୍ରମରେ ପାଳି ସମ୍ଭାଳି ନେଇଥିଲେ। ଅଧିନାୟିକା ମଧୁସ୍ମିତା ବେହେରା ୧୩ ରନ୍‌ରେ ନିଜ ଵିକେଟ୍‌ ହରାଇଥିଲେ। ନିର୍ଧାରିତ ୫୦ ଓଭର ସୁଦ୍ଧା ଓଡ଼ିଶା ୪ ଵିକେଟ୍‌ ବିନିମୟରେ ୨୩୮ ରନ୍‌ କରିଥିଲା। ପ୍ରଜ୍ଞା ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଆନ୍ଧ୍ରପ୍ରଦେଶର କେ ଅଞ୍ଜଳି ସରବାଣୀ ୨, କେ ଧରିତ୍ରୀ ଓ ଜି ଚନ୍ଦ୍ରଲେଖା ଗୋଟିଏ ଲେଖାଏଁ ଵିକେଟ୍‌ ପାଇଥିଲେ। ୨୩୯ ରନ୍‌ର ଲକ୍ଷ୍ୟକୁ ପିଛା କରିଥିବା ଆନ୍ଧ୍ର ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେବେ ମଧ୍ୟକ୍ରମରେ ଭି ପୁଷ୍ପଲତା ୬୨ ରନ୍‌ର ପାଳି ଖେଳିଥିଲେ ବି ଦଳକୁ ବିଜୟୀ କରାଇବାରେ ତାହା ଯଥେଷ୍ଟ ହୋଇନଥିଲା। ବରଂ ନିୟମିତ ଅନ୍ତରାଳରେ ଵିକେଟ୍‌ ହରାଇ ଆନ୍ଧ୍ର ୪୪ ଓଭରରେ ୧୮୬ ରନ୍‌ କରିପାରିଥିଲା। ପ୍ରିୟଙ୍କା ପ୍ରିୟଦର୍ଶିନୀ (୯-୧-୩୧-୩), ସୁଶ୍ରୀ ଦିବ୍ୟଦର୍ଶିନୀ (୬-୧-୨୮-୨) ପ୍ରଭାବୀ ବୋଲିଂ କରିଥିଲେ। ଇନ୍ଦ୍ରାଣୀ ଛତ୍ରିଆ, ମଧୁସ୍ମିତା ବେହେରା, ଅଞ୍ଜଳି ସି˚ହ ପ୍ରତ୍ୟେକ ୧ ଲେଖାଏଁ ଵିକେଟ ନେଇଥିଲେ। ଓଡ଼ିଶା ୪ ମ୍ୟାଚ୍‌ରୁ ୩ ଜିତିଥିବା ବେଳେ ପରବର୍ତ୍ତୀ ମ୍ୟାଚ୍‌ ୨୭ ତାରିଖରେ ମୁମ୍ବାଇ ବିପକ୍ଷରେ ଖେଳିବ।

ସମ୍ବନ୍ଧିତ ଖବର