ଡାକ୍ତରଙ୍କ ବିରୋଧରେ ମହିଳା କ୍ରୀଡ଼ାବିତ୍‌ଙ୍କ ଦୁଷ୍କର୍ମ ଅଭିଯୋଗ

କୋହ୍ଲାପୁର: ମହାରାଷ୍ଟ୍ରର ଜଣେ ଆନ୍ତର୍ଜାତିକସ୍ତରର ଖ୍ୟାତନାମା ମହିଳା କ୍ରୀଡ଼ାବିତ୍‌ କର୍ଣ୍ଣାଟକର ଜଣେ ଡାକ୍ତରଙ୍କ ବିରୋଧରେ ଦୁଷ୍କର୍ମ ଭଳି ଗୁରୁତର ଅଭିଯୋଗ ଆଣିଛନ୍ତି। ଡାକ୍ତର ଜଣକ ତାଙ୍କୁ ବିବାହାର ପ୍ରଲୋଭନ ଦେଖାଇ ପ୍ରାୟ ଦୁଇବର୍ଷ ଧରି ଦୁଷ୍କର୍ମ କରିଥିବା ସଙ୍ଗୀନ ଅଭିଯୋଗ ମହିଳା କ୍ରୀଡ଼ାବିତ୍‌ ଆଣିବା ପରେ ଘଟଣାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଅଭିଯୋଗକୁ ନେଇ କରବୀର ପୁଲିସ୍‌ ତଦନ୍ତ ଆରମ୍ଭ କରିଦେଇଛି। ତଦନ୍ତ ଅଧିକାରୀ ଦିଲିପ ତିବିଲେଙ୍କ କହିବା ଅନୁଯାୟୀ, ଚଳିତ ସପ୍ତାହରେ ସଂପୃକ୍ତ ୩୩ ବର୍ଷ ବୟସ୍କା ମହିଳା କ୍ରୀଡ଼ାବିତ୍‌ଙ୍କଠୁ ଆମେ ଅଭିଯୋଗ ପାଇଛୁ। ଉତ୍ତର କର୍ଣ୍ଣାଟକର ଗୁଲ୍‌ବାର୍ଗ ସହରରେ ରହୁଥିବା ସଂପୃକ୍ତ ଡାକ୍ତର ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ଡାକ୍ତର ଜଣକ ତାଙ୍କୁ ବିବାହ ଆଶା ଦେଇ ଦୁଇ ବର୍ଷ ଧରି ଦୁଷ୍କର୍ମ କରିବା ପରେ ଏବେ ପ୍ରତିଶୃତିରୁ ଓହରି ଧୋକ୍କା ଦେଇଛନ୍ତି। ଅଭିଯୁକ୍ତ ଡାକ୍ତର ମଧ୍ୟ କେଉଁଆଡେ ଫେରାର ହୋଇଯାଇଛନ୍ତି। ତଥାପି ଆମେ ତାଙ୍କ ପିଛା କରୁଛୁ ଏବଂ ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଛୁ ବୋଲି ମାମଲାର ତଦନ୍ତ ଅଧିକାରୀ ତିବିଲେ କହିଛନ୍ତି। ଦୁଷ୍କର୍ମର ଶିକାର ହୋଇଥିବା ମହିଳା କ୍ରୀଡ଼ାବିତ୍‌ଙ୍କ କହିବା କଥା ହେଲା, ୨୦୧୬ ଡିସେମ୍ବରରେ ସାମାଜିକ ଗଣମାଧ୍ୟମ ଜରିଆରେ ସେ ସଂପୃକ୍ତ ଡାକ୍ତରଙ୍କ ସଂପର୍କରେ ଆସିଥିଲେ। ଏହାର କିଛି ଦିନ ପରେ ସେ ଡାକ୍ତରଙ୍କୁ ଦେଖା କରିବା ପାଇଁ କୋହ୍ଲାପୁର ଯାଇଥିଲେ। ପ୍ରଥମ ଦେଖାସାକ୍ଷାତ ପରେ ଡାକ୍ତର ଜଣକ ତାଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ। ଜଣେ ସମ୍ମାନଜନକ ବ୍ୟକ୍ତି ଓ ଡାକ୍ତର ହୋଇଥିବାରୁ ମୁଁ ତାଙ୍କ ପ୍ରସ୍ତାବରେ ରାଜି ହୋଇଯାଇଥିଲି। ସେହିଠାରୁ ମାର୍ଚ ମାସ ପର୍ଯ୍ୟନ୍ତ ଡାକ୍ତର ଜଣକ ମୋତେ ଦୁଇ ଥର ଗୋଆ ଓ ବେଙ୍ଗାଲୁରୁ ଡାକିଥିଲେ। ଉଭୟ ସ୍ଥାନରେ ସେ ମୋ ସହ ଦୁଷ୍କର୍ମ ମଧ୍ୟ କରିଥିଲେ ବୋଲି ମହିଳା କ୍ରୀଡ଼ାବିତ୍‌ ଅଭିଯୋଗରେ ଉଲ୍ଲେଖ କରିଥିବା ତିବିଲେ କହିଛନ୍ତି। ତେବେ ଯେତେବେଳେ ମହିଳା ଜଣକ ତାଙ୍କୁ ବିବାହର ପ୍ରତିଶୃତି କଥା ମନେ ପକାଇ ଦେଇଥିଲେ ସେତେବେଳେ ଡାକ୍ତର ପ୍ରସ୍ତାବକୁ ପ୍ରତ୍ୟାଖାନ କରିଦେଇଥିଲେ। ସେ ତାଙ୍କୁ ବିବାହ କରିବେ ନାହିଁ ବୋଲି ରୋକ୍‌ଠୋକ୍‌ ମନା କରିଦେବା ପରେ ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏଥିରେ ମର୍ମାହତ ହୋଇପଡ଼ିଥିବା ମହିଳା ତାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବାକୁ ଧମକ ଦେଇଥିଲେ। ଫଳରେ ଡାକ୍ତର ତାଙ୍କୁ ଏଥିରୁ ନିବୃତ୍ତ ରହିବାକୁ ଚେତାବନୀ ଦେବା ସାଙ୍ଗକୁ ତାଙ୍କ ସହ ଖରାପ ସଂପର୍କ ଚିତ୍ର ସବୁ ସାମାଜିକ ଗଣମାଧ୍ୟମରେ ଛାଡ଼ିଦେବା ଏବଂ ଜୀବନରେ ମାରିଦେବାର ଧମକଚମକ ଦେଇଥିଲେ ବୋଲି ମହିଳା ଅଭିଯୋଗରେ ଉଲ୍ଲେଖ କରିଥିଲେ। ଏଭଳି ଅଭିଯୋଗକୁ ଗୁରୁତର ସହ ନେଇ କୋହ୍ଲାପୁର ପୁଲିସ ଏକ ତଦନ୍ତ ଦଳ ଗଠନ କରି ଡାକ୍ତରଙ୍କୁ ଖୋଜିବାରେ ଲାଗିଛି। ହେଲେ ସେ ଫେରାର ଥିବା ତିବିଲେ କହିଛନ୍ତି। ତେଣୁ ମହାରାଷ୍ଟ୍ର ପୁଲିସ୍‌ ଏହି ମାମଲାରେ ଡାକ୍ତରଙ୍କୁ ଖୋଜି ଗିରଫ କରିବା ପାଇଁ କର୍ଣ୍ଣାଟକ ପୁଲିସର ସହାୟତା ଲୋଡିଛି। ଏଥି ସହିତ ମହିଳାଙ୍କୁ ନ୍ୟାୟ ଦେବା ପାଇଁ ବଦ୍ଧପରିକର ରହିଛି।

ସମ୍ବନ୍ଧିତ ଖବର