ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌: ନ୍ୟୁଜିଲାଣ୍ଡ୍‌କୁ ହରାଇ ସେମିରେ ଭାରତ

ମେଲ୍‌ବର୍ନ: ହର୍‌ମନ୍‌ପ୍ରୀତ୍‌ କୌରଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଚଳିତ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ପ୍ରଥମ ଦଳ ଭାବେ ସେମିଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରିନେଇଛି। ଗୁରୁବାର ଏକ ଉତ୍କଣ୍ଠାପୂର୍ଣ୍ଣ ମୁକାବିଲାରେ ନ୍ୟୁଜିଲାଣ୍ଡ୍‌କୁ ୪ ରନ୍‌ରେ ପରାସ୍ତ କରି ଭାରତ ହ୍ୟାଟ୍ରିକ୍‌ (କ୍ରମାଗତ ତୃତୀୟ) ବିଜୟ ସହ ଗ୍ରୁପ୍‌-ଏ’ରୁ ସେମିଫାଇନାଲ୍‌ ସ୍ଥାନ ପକ୍କା କରିନେଇଛି। ବ୍ୟାଟର୍‌ମାନେ ବଡ଼ ସ୍କୋର୍‌ କରିବାରେ ବିଫଳ ହୋଇନଥିଲେ ମଧ୍ୟ ପ୍ରତି ମ୍ୟାଚ୍‌ରେ ବୋଲରମାନେ ହିଁ ଦଳକୁ ବଞ୍ଚାଇଛନ୍ତି। ବିଶେଷକରି ତିନିଟିଯାକ ମ୍ୟାଚ୍‌ରେ ଟସ୍‌ ହାରିବା ସତ୍ତ୍ବେ ବୋଲରଙ୍କ କମାଲ ବଳରେ ଭାରତ ବିଜୟ ହାସଲ କରିପାରିଛି। ପ୍ରଥମ ମ୍ୟାଚ୍‌ରେ ବିଜେତା ଅଷ୍ଟ୍ରେଲିଆକୁ ୧୭ ରନ୍‌ ଓ ଦ୍ବିତୀୟ ମ୍ୟାଚ୍‌ରେ ବାଂଲାଦେଶକୁ ୧୮ ରନ୍‌ ପରେ ଗୁରୁବାର ନ୍ୟୁଜିଲାଣ୍ଡ୍‌କୁ ୪ ରନ୍‌ରେ ପରାସ୍ତ କରିବାରେ ଭାରତୀୟ ବୋଲରଙ୍କ ମହତ୍ବପୂର୍ଣ୍ଣ ଭୂମିକା ରହିଛି। ଏଥି ସହିତ ଗତବର୍ଷ ନ୍ୟୁଜିଲାଣ୍ଡ୍‌ ନିକଟରୁ ଟ୍ବେଣ୍ଟି-୨୦ ଶୃଙ୍ଖଳା (୦-୩) ମୂଳପୋଛର ମଧୁର ପ୍ରତିଶୋଧ ନେଇଛି ଭାରତ। ଆସନ୍ତା ୨୯ ତାରିଖ ଦିନ ଗ୍ରୁପ୍‌ ପର୍ଯ୍ୟାୟରେ ଭାରତ ନିଜର ଚତୁର୍ଥ ତଥା ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ଭେଟିବ।

ଗୁରୁବାର ଟସ୍‌ ଜିତି ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ ପାଇଁ ଭାରତକୁ ଆମନ୍ତ୍ରଣ କରିଥିଲା। ୧୮ ବର୍ଷ ବୟସ୍କା ଯୁବ ତାରକା ସେଫାଳି ବର୍ମା ତାଙ୍କ ଚିରାଚରିତ ଢଙ୍ଗରେ ପାଳି ଆରମ୍ଭ କରିଥିଲେ। ଅନ୍ୟତମ ପ୍ରାରମ୍ଭିକ ବ୍ୟାଟର୍‌ ସ୍ମୃତି ମନ୍ଧାନା ୧୧ ( ୮ ବଲ୍‌, ୨ ଚୌକା) ରନ୍‌ରେ ଆଉଟ୍‌ ହୋଇଯାଇଥିଲା ବେଳେ ତାନିୟା ଭାଟିଆ (୨୩ ରନ୍‌, ୨୫ ବଲ୍‌, ୩ ଚୌକା)ଙ୍କୁ ସାଥୀ କରି ସେଫାଳି ଦ୍ବିତୀୟ ୱିକେଟ୍‌ରେ ୫୧ ରନ୍ ଯୋଡ଼ି ସ୍ଥିତି ଦୃଢ଼ କରିଥିଲେ। ତେବେ ଜେମିମା ରୋଦ୍ରିଗ୍ବେଜ (୧୦ ରନ୍‌, ୯ ବଲ୍‌, ୧ ଚୌକା) ଓ ଅଧିନାୟିକା ହର୍‌ମନ୍‌ପ୍ରୀତ୍‌ (୧ ରନ୍‌) ନିରାଶ କରିଥିଲା ବେଳେ ସ୍କୋର୍‌ ଗତି ବଢ଼ାଇବାକୁ ଯାଇ ସେଫାଳି ୪୬ (୩୪ ବଲ୍‌, ୪ ଚୌକା, ୩ ଚକା) ରନ୍‌ରେ ଆଉଟ୍‌ ହୋଇଯାଇଥିଲେ। ଏହାପରେ ଅଲ୍‌ରାଉଣ୍ଡର୍‌ ଦୀପ୍ତି ଶର୍ମା (୮) ଓ ଭେଡ଼ା କୃଷ୍ଣମୂର୍ତ୍ତି (୬) ବେଶି ସମୟ ତିଷ୍ଠି ପାରିନଥିଲା ସତ୍ତ୍ବେ ଶିଖା ପାଣ୍ଡେ (୧୦ ରନ୍‌, ୧୪ ବଲ୍‌) ଓ ରାଧା ଯାଦବ (୧୪ ରନ୍‌, ୯ ବଲ୍‌, ୧ ଛକା) ଅଷ୍ଟମ ୱିକେଟ୍‌ରେ ୨୨ ରନ୍ ଯୋଡ଼ିବାରୁ ଭାରତ ୮ ୱିକେଟ୍‌ ବିନିମୟରେ ୧୩୩ ରନ୍ କରିପାରିଥିଲା। ଶେଷ ବଲ୍‌ରେ ରାଧା ଯାଦବ ରନ୍‌ ଆଉଟ୍‌ ହୋଇଯାଇଥିଲେ। ନ୍ୟୁଜିଲାଣ୍ଡ୍‌ ପକ୍ଷରୁ ସଫଳ ବୋଲର ଭାବେ ରୋଜ୍‌ମାରି ମାୟର ଓ ଆମେଲିଆ କେର୍‌ ୨ ୱିକେଟ୍‌ ଲେଖାଏଁ ପାଇଥିଲେ।

ଜବାବରେ ଭାରତୀୟ ବୋଲରଙ୍କ ମାପଚୁପ ବୋଲିଂ ଯୋଗୁଁ ନ୍ୟୁଜିଲାଣ୍ଡ ରନ୍‌ ଗତିରେ ଅଂକୁଶ ଲାଗିଥିଲା। ରାଚେଲ ପ୍ରିଷ୍ଟ (୧୨), ଅଧିନାୟିକା ସୋଫି ଦେବିନେ (୧୪) ଓ ଅଭିଜ୍ଞ ସୁଜି ବେଟ୍‌ସ (୬)ଙ୍କୁ ଦଳୀୟ ସ୍କୋର୍‌ ୩୪ ବେଳକୁ ପାଭିଲିୟନ୍‌ ଫେରାଇଦେଇ ଭାରତୀୟ ବୋଲର ମ୍ୟାଚ୍‌କୁ ନିଜ ନିୟଂତ୍ରଣରେ ରଖିଥିଲେ। ତେବେ ଚତୁର୍ଥ ୱିକେଟ୍‌ରେ ମାଡି ଗ୍ରିନ୍‌ (୨୪) ଓ କାଟେ ମାର୍ଟିନ୍‌ ୪୩ ଏବଂ ଷଷ୍ଠ ୱିକେଟ୍‌ରେ ଆମେଲିଆ କେର୍‌ ଓ ହାଲେ ଜେନ୍‌ସେନ୍‌ ୪୦ ରନ୍ ଯୋଡ଼ି ନ୍ୟୁଜିଲାଣ୍ଡକୁ ଆଶା ଦେଇଥିଲେ। ଏହାସତ୍ତ୍ବେ ଏକ ସମୟରେ ଶେଷ ୪ ଓଭରରୁ ବିଜୟ ପାଇଁ ୪୮ ରନ୍‌ ଆବଶ୍ୟକ ଥିଲା। ଏପରିକି ଶେଷ ୨ ଓଭରରୁ ୩୪ ଏବଂ ଶେଷ ଓଭରରୁ ୧୬ ରନ୍‌ ଆବଶ୍ୟକ ପଡ଼ିଥିଲା। ତେବେ ୧୯ତମ ଓଭରରେ ପୁନମ୍‌ ଯାଦବଙ୍କୁ ପ୍ରହାର କରି କେର୍‌ ୧୮ ରନ୍‌ ଆଦାୟ କରି ବିଜୟ ସମ୍ଭାବନା ସୃଷ୍ଟି କରିଥିଲେ। ଫଳରେ ଶେଷ ଓଭର ବୋଲିଂ କରିବାକୁ ଆସିଥିବା ଶିଖା ପାଣ୍ଡେ ଚାପରେ ଥିଲେ। ତଥାପି ଏହି ଓଭରରେ କେର୍‌ ଓ ଜେନ୍‌ସେନ୍‌ ୧୨ ରନ୍‌ ସଂଗ୍ରହ କରିପାରିଥିଲେ। ଶେଷ ବଲ୍‌ରେ ଦ୍ବିତୀୟ ରନ୍‌ ନେବାକୁ ଯାଇ ଜେନ୍‌ସେନ୍‌ ରନ୍‌ ଆଉଟ୍‌ ହୋଇଥିଲେ। ନ୍ୟୁଜିଲାଣ୍ଡ ପାଳି ୧୨୯/୬ରେ ଅଟକି ଯାଇଥିଲା। ଭାରତ ପକ୍ଷରୁ ଦୀପ୍ତି ଶର୍ମା, ଶିଖା ପାଣ୍ଡେ, ରାଜେଶ୍ବରୀ ଗାଏକ୍ବାଡ, ପୁନମ୍‌ ଯାଦବ ଓ ରାଧା ଯାଦବ ଗୋଟିଏ ଲେଖାଏଁ ୱକେଟ୍‌ ଅକ୍ତିଆର କରିଥିଲେ। ସେଫାଳି ବର୍ମାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

ଅଷ୍ଟ୍ରେଲିଆର ଦ୍ବିତୀୟ ବିଜୟ
ଗ୍ରୁପ୍‌-ଏ’ର ଗୁରୁବାର ଅନ୍ୟ ଏକ ମ୍ୟାଚ୍‌ରେ ବାଂଲାଦେଶକୁ ୮୬ ରନ୍‌ରେ ପରାସ୍ତ କରି ବିଜେତା ଅଷ୍ଟ୍ରେଲିଆ ଦଳ ତୃତୀୟ ମ୍ୟାଚ୍‌ରୁ ଦ୍ବିତୀୟ ବିଜୟ ହାସଲ କରିଛି। ଟସ୍‌ ଜିତି ବ୍ୟାଟିଂ ନେଇଥିବା ଅଷ୍ଟ୍ରେଲିଆ ଆଲିସା ହିଲେ (୮୩ ରନ୍‌, ୫୩ ବଲ୍‌, ୧୦ ଚୌକା, ୩ ଛକା) ଓ ବେଥାନି ମୁନି (୮୧* ରନ୍‌, ୫୮ ବଲ୍‌, ୯ ଚୌକା)ଙ୍କ ବିସ୍ଫୋରକ ଅର୍ଧଶତକ ବଳରେ ୧୮୯/୧ କରିଥିଲା। ଗାର୍ଡନର୍‌ ୯ ବଲ୍‌ରୁ ୩ ଚୌକା ଓ ୧ ଛକା ସହାୟତାରେ ୨୨ ରନ୍‌ କରି ଅପରାଜିତ ରହିଥିଲେ। ଜବାବରେ ସ୍କଟ୍‌ (୪-୦-୨୧-୩) ଓ ଜୋନାସେନ୍‌ (୪-୦-୧୭-୨)ଙ୍କ ଘାତକ ବୋଲିଂ ଯୋଗୁଁ ବାଂଲାଦେଶ ପାଳି ୧୦୩/୯ରେ ଅଟକି ଯାଇଥିଲା। ହିଲେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଏହି ବିଜୟ ସହ ଅଷ୍ଟ୍ରେଲିଆ ପଏଣ୍ଟ ତାଲିକାର ଦ୍ବିତୀୟ ସ୍ଥାନରେ ରହିଛି।

ସମ୍ବନ୍ଧିତ ଖବର