ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌: ହ୍ୟାଟ୍ରିକ୍‌ ବିଜୟ ଲକ୍ଷ୍ୟରେ ଭାରତ, ଆଜି ନ୍ୟୁଜିଲାଣ୍ଡ୍‌କୁ ଭେଟିବ

ମେଲ୍‌ବର୍ନ : ଲାଗ ଲାଗ ଦୁଇଟି ସହଜ ବିଜୟ ପରେ ଭାରତୀୟ ଦଳ ଚଳିତ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ହ୍ୟାଟ୍ରିକ୍ ଲକ୍ଷ୍ୟରେ ରହିଛି। ପ୍ରଥମ ମ୍ୟାଚ୍‌ରେ ବିଜେତା ଅଷ୍ଟ୍ରେଲିଆକୁ ୧୭ ରନ୍‌ ଏବଂ ଦ୍ବିତୀୟ ମ୍ୟାଚ୍‌ରେ ବାଂଲାଦେଶକୁ ୧୮ ରନ୍‌ରେ ପରାସ୍ତ କରିଦେଇଥିବା ହର୍‌ମନ୍‌ପ୍ରୀତ୍‌ କୌରଙ୍କ ଭାରତୀୟ ଦଳ ଆସନ୍ତାକାଲି (ଗୁରୁବାର) ନ୍ୟୁଜିଲାଣ୍ଡ୍‌କୁ ଭେଟିବ। ନ୍ୟୁଜିଲାଣ୍ଡ୍‌କୁ ପରାସ୍ତ କରିପାରିଲେ ଭାରତ ମଧ୍ୟ ଆଗୁଆ (ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ ପୂର୍ବରୁ) ୫ ଦଳୀୟ ଗ୍ରୁପ୍‌-ଏ’ରୁ ସେମିଫାଇନାଲ୍‌ ସ୍ଥାନ ନିଶ୍ଚିତ କରିନେବ। ଏହି ଗ୍ରୁପ୍‌ରେ ୨ ବିଜୟ ସହ ୪ ପଏଣ୍ଟ ପାଇ ଭାରତ ଏବେ ବି ଶୀର୍ଷରେ ରହିଛି।

ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଭାରତକୁ ପୂର୍ବ ଦୁଇଟି ମ୍ୟାଚ୍‌ ଭଳି ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ ଦେଖାଇବାକୁ ପଡ଼ିବ। ବିଶେଷକରି ଅଷ୍ଟ୍ରେଲିଆ ବିପକ୍ଷରେ ୨୯ ଓ ବାଂଲାଦେଶ ବିପକ୍ଷରେ ୧୭ ବଲ୍‌ରୁ ୩୯ ରନ୍‌ କରିଥିବା ପ୍ରାରମ୍ଭିକ ବ୍ୟାଟର୍‌ ସେଫାଳି ବର୍ମାଙ୍କୁ ଆଉ ଏକ ଦମ୍‌ଦାର ପାଳି ଖେଳିବା ଦରକାର। ଦଳୀୟ କର୍ତ୍ତୃପକ୍ଷ ମଧ୍ୟ ୧୬ ବର୍ଷ ବୟସ୍କା ସେଫାଳିଙ୍କୁ ତାଙ୍କ ନିଜସ୍ବ ଶୈଳୀରେ ବ୍ୟାଟିଂ କରିବାକୁ ଛାଡ଼ିଦେଇଛି। ସେଫାଳିଙ୍କ ବ୍ୟତୀତ ବ୍ୟାଟିଂ ବିଭାଗରେ ଜେମିମା ରୋଦ୍ରିଗ୍ବେଜ ଏବଂ ଜ୍ବର ଯୋଗୁଁ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ ଖେଳିନଥିବା ସ୍ମୃତି ମନ୍ଧାନା ଭାରତର ଶକ୍ତି ରହିବେ। କେବଳ ଆଗଧାଡ଼ିରେ ଅଧିନାୟକ ହର୍‌ମନ୍‌ପ୍ରୀତ୍‌ ବିଫଳ ହୋଇଥିଲା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷ ଗୁରତ୍ବପୂର୍ଣ୍ଣ ମ୍ୟାଚ୍‌ରେ ତାଙ୍କଠୁ ଦଳ ଅଧିକ ଆଶା ରଖିବ। ମଧ୍ୟକ୍ରମରେ ଅଲ୍‌ରାଉଣ୍ଡର ଦୀପ୍ତି ଶର୍ମା ଓ ଭେଡା କୃଷ୍ଣମୂର୍ତ୍ତି ଭଲ ପ୍ରଦର୍ଶନ ଦେଇ ଅସୁଛନ୍ତି। ଅନ୍ୟପକ୍ଷରେ ବୋଲିଂରେ ଲେଗ୍‌ ସ୍ପିନର ପୁନମ୍‌ ଯାଦବ ଦୁଇଟି ମ୍ୟାଚ୍‌ରେ ୭ ୱିକେଟ୍‌ ଦଖଲ କରି ପ୍ରତିପକ୍ଷ ପାଇଁ ଚେତାବନୀ ଛାଡ଼ିଛନ୍ତି। ଶିଖା ପାଣ୍ଡେ (୫ ୱିକେଟ୍‌) ମଧ୍ୟ ପୂର୍ବ ଦୁଇଟି ମ୍ୟାଚ୍‌ ଭଳି ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଭାବୀ ହୋଇପାରିଲେ ଭାରତ ବିଜୟ କଷ୍ଟକର ହେବନି।

ତଥାପି ଭାରତ ବିପକ୍ଷରେ ନିକଟରେ ନ୍ୟୁଜିଲାଣ୍ଡ୍‌ର ରେକର୍ଡ ଭଲ ରହିଛି। ପରସ୍ପର ମୁହାଁମୁହିରେ ଶେଷ ୩ ମ୍ୟାଚ୍‌କୁ ନ୍ୟୁଜିଲାଣ୍ଡ୍‌ ଜିତିଛି। ଠିକ୍‌ ଗୋଟିଏ ବର୍ଷ ତ‌ଳେ ୩ ମ୍ୟାଚ୍‌ ବିଶିଷ୍ଟ ଘରୋଇ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଭାରତକୁ ନ୍ୟୁଜିଲାଣ୍ଡ ପରାସ୍ତ କରିଥିଲା। ଏହାସତ୍ତ୍ବେ ଭାରତ ଗୁରୁବାର ଗୁରୁତ୍ବପୂର୍ଣ୍ଣ ମୁକାବିଲା ପୂର୍ବରୁ ୨୦୧୮ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ନ୍ୟୁଜିଲାଣ୍ଡକୁ ୩୪ ରନ୍‌ରେ ପରାସ୍ତ କରିଥିବା କଥା ମନେ ପକାଇବ। ୱେଷ୍ଟଇଣ୍ଡିଜ୍‌ରେ ଆୟୋଜିତ ସେହି ସଂସ୍କରଣରେ ହର୍‌ମନ୍‌ପ୍ରୀତ୍‌ (୧୦୩)ଙ୍କ ଶତକ ବଳରେ ଭାରତ ୩୪ ରନ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଦେଇଥିଲା। ସେହି ମନୋବଳ ନେଇ ଗୁରୁବାର ଭାରତ ଆଉ ଏକ ବିଜୟ ଲକ୍ଷ୍ୟରେ ରହିବ। ହେ‌ଲେ ନ୍ୟୁଜିଲାଣ୍ଡ ଦଳରେ କେତେକ ଶ୍ରେଷ୍ଠ ଖେଳାଳି ରହିଛନ୍ତି। ବିଶେଷକରି ଫର୍ମରେ ଥିବା ଅଧିନାୟିକା ତଥା ଅଲ୍‌ରାଉଣ୍ଡର ସୋଫି ଦେବିନେ ଏବଂ ସୁଜି ବେଟ୍‌ସଙ୍କ ସାଙ୍ଗକୁ ବୋଲିଂରେ ଲି ତାହୁହୁ ଓ ଲେଗ୍‌ ସ୍ପିନର ଆମେଲିଆ କେର୍‌ ନ୍ୟୁଜିଲାଣ୍ଡର ପ୍ରମୋଘ ଶକ୍ତି ହୋଇ ରହିଥିଲା ବେଳେ ଭାରତକୁ ଏମାନଙ୍କ ବିପକ୍ଷରେ ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ। କାରଣ ଏମାନଙ୍କ ବଳରେ ନ୍ୟୁଜିଲାଣ୍ଡ ଗତ ଶନିବାର ଶ୍ରୀଲଙ୍କାକୁ ସହଜରେ ୭ ୱିକେଟ୍‌ରେ ପରାସ୍ତ କରିଥିଲା। ଦେବି‌ନେ ୫୫ ବଲ୍‌ରୁ ୭୫ ରନ୍‌ କରିଥିଲେ।

ସମ୍ବନ୍ଧିତ ଖବର