କ୍ରିକେଟ ଇତିହାସରେ ସବୁଠାରୁ ବିପଦପୂର୍ଣ୍ଣ କ୍ୟାଚ୍‌: ବ୍ରାଭୋଙ୍କ ବିଶାଳ ଛକା କ୍ୟାଚ୍‌କୁ ନେଲେ ଲାଫ୍‌ଲିନ୍‌

ନୂଆଦିଲ୍ଲୀ: ବ୍ୟାଟ୍‌ସମ୍ୟାନ୍‌ ଡେ୍ଵନ୍‌ ବ୍ରାଭୋଙ୍କ ବିଶାଳ ଛକାକୁ ନିଜର ଉପସ୍ଥିତ ବୁଦ୍ଧି ଓ ଅପାର ଉଦ୍ୟମରେ ଫିଲ୍‌ଡର ଲାଫଲିନ୍‌ କ୍ୟାଚ୍‌ ନେଇଛନ୍ତି। କ୍ରିକେଟ ଇତିହାସରେ ଏହା ହେଉଛି ସବୁଠାରୁ ବିପଦପୂର୍ଣ୍ଣ ଛକା କ୍ୟାଚ୍‌ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ରସିଦ ଖାନ୍‌ଙ୍କ ବଲକୁ ବାଉଣ୍ଡ୍ରି ଆଡ଼କୁ ଠେଲିଥିଲେ ବ୍ରାଭୋ। ଏହି ବଲ୍‌ଟି ଲେଗ୍‌ ଅଫ୍‌ ଦିଗରେ ବାଉଣ୍ଡ୍ରୀ ଆଡ଼କୁ ଯାଉଥିଲା। ବଲ୍‌ଟି ଛକା ହେବା ପୂର୍ବରୁ ଲାଫ୍‌ଲିନ୍‌ ଉପରକୁ ଡେଇଁ ବଲକୁ ଧରି ପୁଣି ଥରେ ଉପରକୁ ଫିଙ୍ଗି ଦେଇଥିଲେ। ବଲ୍‌ଟି ମାଟିରେ ପଡ଼ିବା ପୂର୍ବରୁ ଦୂରରେ ଛିଡ଼ା ହୋଇଥିବା ଅନ୍ୟତମ ଫିଲ୍‌ଡର େଓ୍ଵଦରଲାଣ୍ଡ ଦୌଡ଼ି ଆସି କ୍ୟାଚ୍‌ ନେଇଥିଲେ। ଏଭଳି କ୍ୟାଚ୍‌କୁ ଦେଖି ଦର୍ଶକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

ଅଷ୍ଟ୍ରେଲିଆରେ ବିଗ ବେସ୍‌ ଲିଗ୍‌ ଚାଲିଛି। ଭାରତରେ ଯେମିତି ଇଣ୍ଡିଆନ୍‌ ପ୍ରିମିୟର ଲିଗ ବେଳେ ଦର୍ଶକ ଉତ୍ସାହିତ ହୋଇ ଥାଆନ୍ତି, ସେହିଭଳି ଅଷ୍ଟ୍ରେଲିଆରେ ବିଗ ବେସ୍‌ ଲିଗ୍‌ରେ ମଧ୍ୟ ଏହି ପ୍ରକାରର ଅନୁଭୂତି ଦେଖିବାକୁ ମିଳିଥାଏ। ଏଠାରେ ମଧ୍ୟ କ୍ରିକେଟ ଦୁନିଆର ଜଣାଶୁଣା ଖେଳାଳି ଭାଗ ନେଇଥାନ୍ତି। ଆଡିଲେଡ୍‌ ଷ୍ଟ୍ରାଇକରର୍ସ ଓ ମେଲବୋର୍ଣ୍ଣ ରେନିଗେଡ଼ ମଧ୍ୟରେ ମୁକାବିଲା ହୋଇଛି।

ପ୍ରଥମେ ବ୍ୟାଟିଂ କରି ଆଡିଲେଡ଼ ଷ୍ଟ୍ରାଇକର୍‌ ୫ ଓ୍ଵିକେଟ ହରାଇ ୧୭୩ ରନ୍‌ ସଂଗ୍ରହ କରିଥିଲା। ଅଧିନାୟକ ଟ୍ରାଭିସ୍‌ ହେଡ୍‌ ଅର୍ଦ୍ଧଶତକ(୫୮) ହାସଲ କରିଥିଲେ। ସେହିପରି କୋଲିନ୍‌ ଇଙ୍ଗଗ୍ରାମ ୬୮ ରନ୍‌ ସଂଗ୍ରହ କରିଥିଲେ। ଜବାବରେ ୨ୟ ପାଳିରେ ମେଲବୋର୍ଣ୍ଣ ରେନିଗେଡ଼ ମୂଳରୁ ସଂଘର୍ଷ କରି ମଧ୍ୟ ୧୪୭ ରନ୍‌ ସଂଗ୍ରହ କରିବାକୁ ସମର୍ଥ ହୋଇଥିଲା।

ସମ୍ବନ୍ଧିତ ଖବର