ବିଶ୍ବ ବ୍ୟାଡ୍‌ମିଣ୍ଟନର ନୂଆ ସାମ୍ରାଜ୍ଞୀ

ବିଶ୍ବ ବ୍ୟାଡ୍‌ମିଣ୍ଟନ ଚାମ୍ପିଅନ୍‌ସିପ୍‌ରେ ସ୍ବର୍ଣ୍ଣ ପଦକ ଜିତିବାରେ ସିନ୍ଧୁ ପ୍ରଥମ ଭାରତୀୟ ହୋଇଛନ୍ତି। ଭାରତ ପାଇଁ ଏହି ସମ୍ମାନଜନକ ପ୍ରତିଯୋଗିତାରେ ପ୍ରଥମ ପଦକ ଜିତିବାର ଗୌରବ ପାଇଥିଲେ ପ୍ରକାଶ ପାଦୁକୋନେ। ସେ ୧୯୮୩ ମସିହାରେ କାଂସ୍ୟ ପଦକ ଜିତି ବ୍ୟାଡ୍‌ମିଣ୍ଟନ କ୍ରୀଡ଼ାରେ ଭାରତ ପାଇଁ ନୂଆ ଇତିହାସ ସୃଷ୍ଟି କରିଥିଲେ। ଏହାପରେ ତାଙ୍କ ସମକକ୍ଷ ହେବା ତଥା ବିଶ୍ବ ପଦକ ହାସଲ କରିବା ପାଇଁ କୌଣସି ଭାରତୀୟଙ୍କୁ ୩୦ ବର୍ଷ ପ୍ରତୀକ୍ଷା କରିବାକୁ ପଡ଼ିଥିଲା। ଶେଷରେ ୨୦୧୩ରେ ସିନ୍ଧୁ ହିଁ ଦ୍ବିତୀୟ ଭାରତୀୟ ତଥା ପ୍ରଥମ ଭାରତୀୟ ମହିଳା ଭାବେ ବିଶ୍ବ ଚାମ୍ପିଅନ୍‌ସିପ୍‌ରେ ପଦକ ହାସଲ କରିବାର ଗୌରବ ବହନ କରିଥିଲେ। ସେତେବେଳେ ମଧ୍ୟ ସିନ୍ଧୁ କାଂସ୍ୟ ପଦକ ଜିତିଥିଲେ। ଏହାପରଠୁ ବିଶ୍ବ ଚାମ୍ପିଅନ୍‌ସିପ୍‌ରେ ପଦକ ଅମଳ କରିବାର ଧାରାକୁ ସିନ୍ଧୁ ହିଁ ଲମ୍ବାଇଥିଲେ। ୨୦୧୩ ପର ବର୍ଷ ୨୦୧୪ରେ ମଧ୍ୟ ଲଗାତାର ଦ୍ବିତୀୟ ଥର ପାଇଁ ସିନ୍ଧୁ କାଂସ୍ୟ ପଦକ ହାସଲ କରିଥିଲେ। ପୁଣି ୨୦୧୭ରେ ଏଥିରେ ଉନ୍ନତି ଆଣି ସିନ୍ଧୁ ରୌପ୍ୟ ପଦକ ହାସଲ କରି ପୁଣି ନୂଆ ଇତିହାସ ରଚିଥିଲେ। ସେତେବେଳେ ବିଶ୍ବ ଚାମ୍ପିଅନ୍‌ସିପ୍‌ରେ ରୌପ୍ୟ ଜିତିବାରେ ସେ ପ୍ରଥମ ଭାରତୀୟ (ଉଭୟ ପୁରୁଷ ଓ ମହିଳାଙ୍କ ମଧ୍ୟରେ) ହୋଇଥିଲେ। ସେତିକିରେ ମଧ୍ୟ ସିନ୍ଧୁ ସନ୍ତୁଷ୍ଟ ରହିନଥିଲେ। କ୍ରମାଗତ ଦ୍ବିତୀୟ ବର୍ଷ ପାଇଁ ତଥା ୨୦୧୮ରେ ମଧ୍ୟ ସିନ୍ଧୁ ରୌପ୍ୟ ପଦକ ସଫଳତାକୁ ଦୋହରାଇଥିଲେ। ହେଲେ କୌଣସି ବି ଭାରତୀୟ ବିଶ୍ବ ଚାମ୍ପିଅନ୍‌ସିପ୍‌ରେ ଏପର୍ଯ୍ୟନ୍ତ ସ୍ବର୍ଣ୍ଣିମ ସଫଳତା ହାତେଇବାରେ ସମର୍ଥ ହୋଇନଥିଲେ। ଏହା ମଧ୍ୟରେ ବାସେଲ୍‌ରେ ଆୟୋଜିତ ଚଳିତ ବର୍ଷର ବିଶ୍ବ ଚାମ୍ପିଅନ୍‌ସିପ୍‌ରେ ଅନ୍ୟତମ ଭାରତୀୟ ବି ସାଇ ପ୍ରଣୀତ ସେମିଫାଇନାଲ୍‌ ପ୍ରବେଶ କରି ପଦକ ପକ୍କା କରିବା ସାଙ୍ଗକୁ ପୁରୁଷ ଖେଳାଳି ଭାବେ ଭାରତ ପାଇଁ ୩୬ ବର୍ଷ (ପାଦୁକୋନେଙ୍କ ପରେ) ପ୍ରତୀକ୍ଷାର ଅନ୍ତ ଘଟାଇଥିଲେ। ଅବଶ୍ୟ ପୁରୁଷ ଏକକ ବର୍ଗ ସେମିଫାଇନାଲ୍‌ରେ ବିଶ୍ବର ଶୀର୍ଷ ମାନ୍ୟତା ଜାପାନା ତାରକା କେଣ୍ଟୋ ମୋମୋଟାଙ୍କ ନିକଟରୁ ହାରି ପ୍ରଣୀତ ସେହି କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ। କିନ୍ତୁ ୨୪ ବର୍ଷ ବୟସ୍କା ସିନ୍ଧୁ ସ୍ବର୍ଣ୍ଣ ପଦକ ହାସଲ ପାଇଁ ଯେମିତି ବଦ୍ଧ ପରିକର ଥିଲେ। କ୍ରମାଗତ ଦୁଇ ବର୍ଷ ଧରି ଫାଇନାଲ୍‌ରେ (ଓକୁହାରା ଓ କାରୋଲିନା ମାରିନ୍‌ଙ୍କଠୁ) ହାରିବା ପରେ ଏଥର ସେହି ବାଧା ଅତିକ୍ରମ କରିବାର ପଣ କରିଥିଲେ। ତାହା ହିଁ ରବିବାର ଫାଇନାଲ୍‌ରେ ତାଙ୍କ ଆକ୍ରମକ ଆଭିମୁଖ୍ୟରୁ ପ୍ରତୀୟମାନ ହୋଇଥିଲା। ଶେଷରେ ନିଜ ପ୍ରୟାସରେ ସଫଳ ମଧ୍ୟ ହୋଇଥିଲେ। ଏଥି ସହିତ ସେ ବିଶ୍ବ ବ୍ୟାଡ୍‌ମିଣ୍ଟନରେ ନୂଆ ସାମ୍ରାଜ୍ଞୀ ଭାବେ ଉଭା ହୋ‌ଇଛନ୍ତି।

ସମ୍ବନ୍ଧିତ ଖବର