ବିଶ୍ବ କୁସ୍ତି, ବଜରଙ୍ଗ, ରବିଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା

ନୁର-ସୁଲତାନ (କାଜାକସ୍ତାନ): ଚଳିତ ବିଶ୍ବ କୁସ୍ତି ପ୍ରତିଯୋଗିତାରୁ ୩ ଭାରତୀୟ ଯୋଦ୍ଧା ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଛନ୍ତି। ବୁଧବାର ମହିଳା କୁସ୍ତିବିତ୍‌ ଭିନେଶ ଫୋଗତ କାଂସ୍ୟ ପଦକ ଜିତି ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଥିଲା ବେଳେ ଗୁରୁବାର ଦୁଇ ପୁରୁଷ ‌ଯୋଦ୍ଧା ବଜରଙ୍ଗ ପୁନିଆ ଓ ରବି କୁମାର ଦାହିୟା ନିଜ ନିଜ ପାଇଁ ସ୍ଥାନ ପକ୍କା କରିଥିଲେ। ଉଭୟ ବଜରଙ୍ଗ ଓ ରବି କୁମାର ବିଶ୍ବ ପ୍ରତିଯୋଗିତାର ସେମିଫାଇନାଲ୍‌ ପହଞ୍ଚିବାରୁ ଅଲିମ୍ପିକ୍ସ ଟିକେଟ୍‌ ନିଶ୍ଚିତ ହୋଇଥିଲା। ଗୁରୁବାର ପୁରୁଷ ୬୫ କେଜି ବର୍ଗର କ୍ବାର୍ଟର ଫାଇନାଲ୍‌ରେ ବିଶ୍ବର ଏକ ନମ୍ବର ବଜରଙ୍ଗ ୮-୧ରେ ଉତ୍ତର କୋରିଆର ଜଙ୍ଗ୍‌ ସନ୍‌ଙ୍କୁ ମାତ୍‌ ଦେଇଥିଲେ। ହେଲେ ସେମିଫାଇନାଲ୍‌ରେ ବିବାଦୀୟ ନିଷ୍ପତ୍ତିକ୍ରମେ ବଜରଙ୍ଗ ପରାସ୍ତ ହୋଇଥିଲେ। ୯-୯ରେ ଲଢ଼େଇ ଶେଷ ହୋଇଥିଲେ ମଧ୍ୟ ତାଙ୍କ କାଜାକସ୍ତାନ ପ୍ରତିଦ୍ବନ୍ଦ୍ବୀ ଦୌଲେଟ୍ ନିୟାଜବେକୋଭଙ୍କୁ ରେଫରି ବିଜୟୀ ଘୋଷିତ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ବଜରଙ୍ଗଙ୍କ ପ୍ରଶିକ୍ଷକ ସାକୋ ବେନିତିଦିସ୍‌ ପ୍ରଶିକ୍ଷକଙ୍କ ବ୍ଲକ୍‌କୁ ଗୋଇଠା ମାରିଥିଲେ। ତଥାପି ବଜରଙ୍ଗଙ୍କ ପାଇଁ ଏବେ ବି ପଦକ ଆଶା ରହିଛି। ସେ ସେମିଫାଇନାଲ୍‌ ହାରି ଯାଇଥିଲେ ମଧ୍ୟ ଶୁକ୍ରବାର କାଂସ୍ୟ ପଦକ ପାଇଁ ରିଜିଚେଜ୍‌ ଲଢ଼େଇରେ ଅବତୀର୍ଣ୍ଣ ହେ‌ବେ।

ସେହିପରି ୫୭ କେଜି ବର୍ଗରେ ରବି କୁମାର ୬-୧ରେ ପୂର୍ବତନ ବିଶ୍ବ ବିଜେତା ୟୁକି ତାକାହାସିଙ୍କୁ ହରାଇ ସେମିଫାଇନାଲ୍‌ ସ୍ଥାନ ପକ୍କା କରିଥିଲେ। ହେଲେ ସେମିଫାଇନାଲ୍‌ରେ ସେ ମଧ୍ୟ ହାରି ଯାଇଛନ୍ତି। ରୁଷିଆର ଜଉର ଉଗୁଏଭ ୬-୪ରେ ରବି କୁମାରଙ୍କୁ ପରାସ୍ତ କରିଥିଲେ। ଏବେ ରବି କୁମାର କାଂସ୍ୟ ପଦକ ପାଇଁ ଲଢ଼ିବେ। ଅନ୍ୟପକ୍ଷରେ ଅଲିମ୍ପିକ୍ସ କାଂସ୍ୟ ବିଜୟିନୀ ଭାରତୀୟ ମହିଳା ଯୋଦ୍ଧା ସାକ୍ଷୀ ମଲ୍ଲିକ ଓ ଦିବ୍ୟା କାକ୍ରନ ନିଜ ନିଜର ପ୍ରିକ୍ବାର୍ଟର ଫାଇନାଲ୍‌ ହାରିଯାଇଛନ୍ତି। ସାକ୍ଷୀ (୬୨ କେଜି) ନାଇଜେରିଆର ଅମିନାତ ଆନେନିୟିଙ୍କଠୁ ଏବଂ ଦିବ୍ୟା (୬୮ କେଜି) ଅଲିମ୍ପିକ୍ସ ଓ ପୂର୍ବତନ ବିଶ୍ବ ବିଜୟିନୀ ସାରା ଦୋସୋଙ୍କଠୁ ହାରିଥିଲେ। ଉଭୟ ପ୍ରତିଦ୍ବନ୍ଦ୍ବୀ କ୍ବାର୍ଟର ଫାଇନାଲ୍‌ରୁ ବିଦାୟ ‌ନେଇ ଯାଇଥିବାରୁ ରିପିଚେଜ୍‌ ଖେଳିବା ଆଶା ମଉଳି ଯାଇଛି। ତେବେ ପୂଜା ଧଣ୍ଡା କାଂସ୍ୟ ପଦକ ମୁକାବିଲା ହାରିଯାଇଛନ୍ତି।

ସମ୍ବନ୍ଧିତ ଖବର