ଟେଷ୍ଟ୍‌ କ୍ରିକେଟ୍‌ରେ ବିଶ୍ବସ୍ତରୀୟ ବୋଲରଙ୍କ ଅଭାବ: ସଚିନ

ଗୋଲାପି ବଲ୍‌କୁ ନେଇ‌ ଗୁରୁମନ୍ତ୍ର

ଇନ୍ଦୋର: ଟେଷ୍ଟ୍‌ କ୍ରିକେଟ୍‌ରେ ବ୍ୟାଟ୍-ବଲ୍ ଲଢ଼େଇ କଥା ପଡ଼ିଲେ ଅପଣାଛାଏଁ ସୁନୀଲ ଗାଭାସ୍କର-ଆଣ୍ଡି ରବର୍ଟସ, ସଚିନ ତେନ୍ଦୁଲକର-ଗ୍ଲେନ୍ ମ୍ୟାକ୍‌ଗ୍ରା, ସଚିନ ତେନ୍ଦୁଲକର-ସେନ୍ ୱର୍ନ ପ୍ରତିଦ୍ବନ୍ଦ୍ବିତା ମନକୁ ଚାଲିଆସେ। ଆଜିକାଲି କିନ୍ତୁ ଏଭଳି ଲଢ଼େଇ ଆଉ ଦେଖିବାକୁ ମିଳୁନାହିଁ। ଏହାର କାରଣ ଉପରୁ ପରଦା ଉଠାଇଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ଟେଷ୍ଟ୍‌ କ୍ରିକେଟ୍‌ରେ ବିଶ୍ବସ୍ତରୀୟ ବୋଲରଙ୍କ ଅଭାବ ଏହାର ମୁଖ୍ୟ କାରଣ ବୋଲି ସଚିନ ମତ ରଖିଛନ୍ତି। ୨୪ ବର୍ଷର ଜାଜ୍ଜୁଲ୍ୟମାନ ଖେଳ ଜୀବନରେ ୨୦୦ ଟେଷ୍ଟ୍‌ ଖେଳିଥିବା ସଚିନ ଏଥିନେଇ ଦୁଃଖ ପ୍ରକାଶ କରିବାକୁ ଯାଇ କହିଛନ୍ତି ଯେ କ୍ରିକେଟ୍‌ପ୍ରେମୀ ଯେଉଁ ଦ୍ବିପାକ୍ଷିକ ପ୍ରତିଦ୍ବନ୍ଦ୍ବିତାକୁ ଅପେକ୍ଷା କରିଥାଆନ୍ତି, ତାହା ଏବେ ଆଉ ଦେଖିବାକୁ ମିଳୁନାହିଁ। ଏହାର ମୁଖ୍ୟ କାରଣ ହେଲା ସଂପ୍ରତି ଟେଷ୍ଟ୍‌ କ୍ରିକେଟ୍‌ରେ ହାତଗଣତି ବିଶ୍ବସ୍ତରୀୟ ବୋଲର ଅଛନ୍ତି। ଦ୍ରୁତ ବୋଲିଂର ମାନ ଆହୁରି ବଢ଼ିବାର ଆବଶ୍ୟକତା ରହିଛି। ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ।

କମିଛି କ୍ରିକେଟ୍ ମାନ
କ୍ରିକେଟ୍‌ର ପ୍ରତିଦ୍ବନ୍ଦ୍ବିତା ସ୍ତର କେବଳ ତିନିଟି ଦେଶ ଭାରତ, ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସୀମିତ ରହିଗଲାଣି ବୋଲି ହୋଇଥିବା‌ ପ୍ରଶ୍ନର ଉତ୍ତର ଦେଇ ସଚିନ କହିଛନ୍ତି ଯେ କ୍ରିକେଟ୍‌ର ମାନ ନିଶ୍ଚିତ ଭାବେ କମିଛି। ଟେଷ୍ଟ କ୍ରିକେଟ୍ ପାଇଁ ଯାହା ଆଦୌ ଭଲ ଖବର ନୁହେଁ। ଟେଷ୍ଟ୍‌ କ୍ରିକେଟ୍‌ର ଉନ୍ନତ ଭବିଷ୍ୟତ ପାଇଁ ଆମକୁ କ୍ରିକେଟ୍‌ର ସ୍ତର ଯଥେଷ୍ଟ ବଢ଼ାଇବାକୁ ହେବ। ମୁଁ ପୁଣି ଥରେ କହିବି ଏହାର ମୁଖ୍ୟ କାରଣ ହେଉଛି ପିଚ୍। ଉଭୟ ଦ୍ରୁତ ବୋଲର ଏବଂ ସ୍ପିନରଙ୍କୁ ସୁହାଉଥିବା ନିରପେକ୍ଷ ପିଚ୍ ପ୍ରଦାନ କରାଗଲେ ବଲ୍ ବ୍ୟାଟ୍ ମଧ୍ୟରେ ପୂର୍ବରୁ ଥିବା ସନ୍ତୁଳନ ପୁନର୍ବାର ଅବସ୍ଥାପିତ ହୋଇପାରିବ। ସନ୍ତୁଳନର ଅଭାବ ପାଇଁ ପ୍ରତିଦ୍ବନ୍ଦ୍ବିତା ଦୁର୍ବଳ ହେଉଛି। ସେଥିପାଇଁ ଟେଷ୍ଟ୍‌ କ୍ରିକେଟ୍ ପ୍ରଶଂସକଙ୍କୁ ଆକର୍ଷିତ କରିପାରୁନି। ଟେଷ୍ଟ୍‌ କ୍ରିକେଟ୍ ପାଇଁ ଭଲ ୱିକେଟ୍ ପ୍ରସ୍ତୁତ ହେବା ନିହାତି ଜରୁରୀ। ଏକ୍ଷେତ୍ରରେ ଚଳିତ ବର୍ଷର ଆସେସ୍‌ ଶୃଙ୍ଖଳାରେ ଉପଯୋଗ ହୋଇଥିବା ପିଚ୍‌କୁ ଆଦର୍ଶ ଭାବେ ନେବାକୁ ସଚିନ ଆହ୍ବାନ କରିଛନ୍ତି। ଏଥିନେଇ ସେ କହିଛନ୍ତି ଯେ ଚଳିତ ବର୍ଷର ଆସେସ୍‌ରେ ନିକଟ ଅତୀତର କେତେକ ଶ୍ରେଷ୍ଠ ପିଚ୍ ଦେଖିବାକୁ ମିଳିଥିଲା। କେବଳ ଓଲ୍ଡ ଟ୍ରାଫର୍ଡକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ପିଚ୍‌ରେ ବ୍ୟାଟ୍ ଓ ବଲ୍‌ର ପ୍ରବଳ ଲଢ଼େଇ ଦେଖିବାକୁ ମିଳିଥିଲା। ଏହି ମ୍ୟାଚ୍‌ଗୁଡ଼ିକ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଏବଂ ରୁଚିକର ଥିଲା ବୋଲି ଆମେ କହି ପାରିବା।

ଡ୍ରେସିଂ ରୁମ୍ ମନ୍ଦିର ସଦୃଶ
ଆଇପିଏଲ୍‌ର ପ୍ରଦର୍ଶନ ଆଧାରରେ ଜଣେ ଖେଳାଳିଙ୍କୁ ଭାରତୀୟ ଦିନିକିଆ ଦଳରେ ସ୍ଥାନ ମିଳିବା କଥାକୁ ସଚିନ ପସନ୍ଦ କରିନାହାନ୍ତି। ଆଇପିଏଲ୍ ପ୍ରଦର୍ଶନ ଭାରତୀୟ ଟ୍ବେଣ୍ଟି-୨୦ ଦଳ ପାଇଁ ବିଚାରକୁ ନିଆଯାଇପାରେ। ହେଲେ ଦିନିକିଆ ପାଇଁ ନୁହେଁ ବୋଲି ସଚିନ ସ୍ପଷ୍ଟ ଭାବେ କହିଥିଲେ। ୧୯୯୧ ମସିହା ପର୍ଥ ଶତକ ସହ ୧୯୯୯ର ପାକିସ୍ତାନ ବିପକ୍ଷ ଚେନ୍ନାଇ ଶତକ, ୨୦୦୪ରେ ସିଡ୍‌ନିରେ ଦ୍ବିଶତକ ହାସଲ କରିବାକୁ ସଚିନ ନିଜ ଖେଳ ଜୀବନର ସ୍ମରଣୀୟ ଶତକ ଭାବେ ବର୍ଣ୍ଣନା କରିଛନ୍ତି। ପାଞ୍ଚଟି ପିଢ଼ିର ଖେଳାଳିଙ୍କ ସହ ଖେଳିବାର ସୌଭାଗ୍ୟ ପାଇଥିବା କହିବା ସହ ଡ୍ରେସିଂ ରୁମ୍‌କୁ ସଚିନ ମନ୍ଦିର ସହ ତୁଳନା କରିଛନ୍ତି।

ଗୋଲାପି ବଲ୍‌କୁ ନେଇ‌ ଗୁରୁମନ୍ତ୍ର
ନିଜେ କେବେ ଗୋଲାପି ବଲ୍‌ରେ ଖେଳି ନଥିଲେ ମଧ୍ୟ ଗୋଲାପି କ୍ରିକେଟ୍ (ଦିବା-ରାତ୍ର ଟେଷ୍ଟ୍‌ ‌ଯେଉଁଥିରେ ଗୋଲାପି ବଲ୍‌ର ବ୍ୟବହାର ହୋଇଥାଏ) ନେଇ ସଚିନ ଅନେକ ମହତ୍ବପୂର୍ଣ୍ଣ କଥା‌ କହିଛନ୍ତି। କୋଲକାତାର ଐତିହାସିକ ଇଡେନ୍ ଗାର୍ଡେନ୍ସଠାରେ ଆସନ୍ତା ୨୨ ତାରିଖରୁ ଖେଳାଯିବାକୁ ଥିବା ଭାରତ-ବାଂଲାଦେଶ ଦିବା ରାତ୍ର ଟେଷ୍ଟ୍ ନେଇ ଉତ୍ସାହ ଜାହିର କରି ସଚିନ କହିଛନ୍ତି ଯେ ଗୋଲାପି ବଲ୍ ଖେଳିଥିବା କେତେକ କ୍ରିକେଟରଙ୍କଠାରୁ ମୁଁ ଶୁଣିଛି ଯେ ସୂର୍ଯ୍ୟାସ୍ତ ବେଳେ ସେମାନେ ଗୋଲାପି ବଲ୍‌କୁ ଭଲ ଭାବରେ ଦେଖିପାରନ୍ତି ନାହିଁ। ଏଥିନେଇ ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ମୁଁ ଏହାକୁ ଭିନ୍ନ ଭାବରେ ଦେଖେ। ମୋ ମତରେ ସବୁକିଛି ସିମ୍‌କୁ ଦେଖିବା ଉପରେ ନିର୍ଭର କରେ। ଗୋଲାପି ବଲ୍‌ର ସିମ୍ ଦେଖା ଯାଉଛି କି ନାହିଁ, ତାହା ସବୁଠାରୁ ଗୁରୁତ୍ବପୂର୍ଣ୍ଣ। କାରଣ ସିମ୍‌ ଉପରେ ହିଁ ସବୁକିଛି ନିର୍ଭର କରେ। ଦକ୍ଷ ବ୍ୟାଟ୍ସମ୍ୟାନ୍‌ମାନେ ବୋଲରଙ୍କ କଚଟି, ଅଙ୍ଗୁଳି ଏବଂ ସିମ୍‌କୁ ସବୁବେଳେ ଅନୁଧ୍ୟାନ କରନ୍ତି। ଏଣୁ ସିମ୍ ମ୍ୟାଚ୍ ସାରା ଦେଖାଯିବା ଦରକାର। ଏହା ହିଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଦିଗ। ସ୍ପିନର ହୁଅନ୍ତୁ କି ଦ୍ରୁତ ବୋଲର ସିମ୍ ଭଲ ଭାବେ ଦେଖାଗଲେ ବଲ୍ କେଉଁ ଦିଗକୁ ଯାଉଛି, ତାହା ଜାଣିହୁଏ। କୋକାବୁରା ଏବଂ ଏସ୍‌ଜି ବଲ୍ ଅପେକ୍ଷା ଗୋଲାପି ବଲ୍‌କୁ ମୁଠାଇ ଧରିବା ନେଇ ମଧ୍ୟ କିଛିଟା ସମସ୍ୟା ରହିଛି। ଭାରତୀୟ ବୋଲରଙ୍କ ପାଇଁ ଏହା ଏକ ବଡ଼ ଆହ୍ନାନ ହେବ। କାକର ମଧ୍ୟ ଏକ୍ଷେତ୍ରରେ ମହତ୍ବପୂର୍ଣ୍ଣ ଭୂମିକା ତୁଲାଇବ। ଦିବା ରାତ୍ର ଟେଷ୍ଟ୍ ପ୍ରଶଂସକଙ୍କୁ ଷ୍ଟାଡିୟମ୍ ଟାଣି ଆଣିବାକୁ ସକ୍ଷମ ହେବ ବୋଲି ସଚିନ ଆଶା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର