ଲଣ୍ଡନ: ଇଂଲଣ୍ଡରେ ଆୟୋଜିତ ହେବାକୁ ଯାଉଥିବା ୫୦ ଓଭରିଆ କ୍ରିକେଟ୍ର ପୁରୁଷ ବିଶ୍ବକପ୍ ଆଉ ୪୮ ଦିନ ବାକି ଅଛି। ତେବେ ୫୦ ଦିନ ପୂର୍ବରୁ ଅଭ୍ୟାସ ମ୍ୟାଚ୍ଗୁଡ଼ିକର ଟିକେଟ ବିକ୍ରି ଆରମ୍ଭ ହୋଇଯାଇଛି। ଅଫିସିଆଲ ସିଡବ୍ଲୁସି୧୯ ଟିକେଟିଂ ୱେବ୍ସାଇଟ୍ରୁ ହିଁ ଟିକେଟ କିଣିପାରିବେ ବୋଲି କୁହାଯାଇଛି। ପୌଢ଼ମାନଙ୍କ ପାଇଁ ଟିକେଟର ସର୍ବନିମ୍ନ ମୂଲ୍ୟ ୧୫ ଏବଂ ୧୬ ବର୍ଷରୁ କମ୍ ବୟସ୍କମାନଙ୍କ ପାଇଁ ୧ ପାଉଣ୍ଡ୍ ଧାର୍ଯ୍ୟ କରାଯାଇଛି। ଅଭ୍ୟାସ ମ୍ୟାଚ୍ଗୁଡ଼ିକ ମେ’ ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ଖେଳାଯିବାର ସୂଚୀ ରହିଛି। ପ୍ରତ୍ୟେକ ଦଳ ମୁଖ୍ୟ ପ୍ରତିଯୋଗିତା ପୂର୍ବରୁ ୨ ଲେଖାଏଁ ଅଭ୍ୟାସ ମ୍ୟାଚ୍ ଖେଳିବେ। ଅଭ୍ୟାସ ମ୍ୟାଚ୍ଗୁଡ଼ିକ ୪ ଭେନ୍ୟୁ (ବ୍ରିଷ୍ଟଲ କାଉଣ୍ଟି ଗ୍ରାଉଣ୍ଡ୍, କାର୍ଡିଫ୍ ୱେଲ୍ସ ଷ୍ଟାଡିୟମ୍, ହାମ୍ପସାୟର ବାଉଲ୍ ଏବଂ ଦି ଓଭାଲ୍)ରେ ଖେଳାଯିବ। ଅନ୍ଲାଇନ୍ ବ୍ୟତୀତ ଅବଶିଷ୍ଟ ଟିକେଟ ପ୍ରତି ମ୍ୟାଚ୍ ଦିନ ହିଁ ସଂପୃକ୍ତ ଭେନ୍ୟୁରେ ଉପଲବ୍ଧ ହେବ। ତେବେ ଭେନ୍ୟୁସ୍ଥଳରେ ଟିକେଟ ମୂଲ୍ୟ ଅନ୍ଲାଇନ୍ ତୁନାରେ ୫ ପାଉଣ୍ଡ୍ ଅଧିକ ରହିବ। ଫଳରେ ଅନ୍ଲାଇନ୍ ଜରିଆରେ ଆଗୁଆ ଟିକେଟ କ୍ରୟ କରିନେବାକୁ ଆୟୋଜକ ପରାମର୍ଶ ଦେଇଛନ୍ତି।
ବିଶ୍ବକପ୍ ଦଳରେ ସ୍ଥାନ ପାଇବାକୁ କାର୍ତିକ ହକ୍ଦାର: କାଲିସ
କୋଲ୍କାତା: ଭାରତୀୟ ବିଶ୍ବକପ୍ ଦଳରେ ସ୍ଥାନ ପାଇବାକୁ ଦୀନେଶ କାର୍ତିକ ପ୍ରମୁଖ ହକ୍ଦାର ହେବେ ବୋଲି କହିଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲ୍ରାଉଣ୍ଡର ତଥା କୋଲ୍କାତା ନାଇଟ୍ ରାଇଡର୍ସର ମୁଖ୍ୟ ପ୍ରଶିକ୍ଷକ ଜ୍ୟାକ୍ସ କାଲିସ। ଇଂଲଣ୍ଡ ଓ ୱେଲ୍ସ୍ରେ ହେବାକୁ ଥିବା ବହୁଦଳୀୟ ପ୍ରତିଯୋଗିତାରେ ଏହି ଅଭିଜ୍ଞ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ଙ୍କୁ ସ୍ଥାନ ମିଳିବା ଦରକାର। ସଂପ୍ରତି କାର୍ତିକ ଜଣେ ଭଲ ଫିନିସର୍। ବାଂଲାଦେଶ ବିପକ୍ଷ ନିଦାସ ଟ୍ରଫି ଫାଇନାଲ୍ରେ ସେ ମ୍ୟାଚ୍ ବିଜୟୀ ପାଳି ଖେଳି ଭାରତକୁ ବିଜେତା କରାଇ ନିଜକୁ ପ୍ରମାଣିତ କରିସାରିଛନ୍ତି। ଗତ ୩ ବର୍ଷ ମଧ୍ୟରେ ତାଙ୍କୁ ଭାରତୀୟ ଦଳରେ କମ୍ ସୁଯୋଗ ମିଳିଛି। ୨୦୧୭ରୁ ଏପର୍ଯ୍ୟନ୍ତ ସେ ୨୦ ଦିନିକିଆ ଖେଳି ୪୬.୭୫ ହାରରେ ୪୨୫ ସଂଗ୍ରହ କରିଛନ୍ତି। ଏହି ପ୍ରଦର୍ଶନ ତାଙ୍କୁ ଦଳରେ ସ୍ଥାନ ପାଇବା ଦୌଡ଼ରେ ରଖିଛି। ସେ ମଧ୍ୟ ୪ ନମ୍ବର ସ୍ଥାନ ପାଇଁ ବିକଳ୍ପ ହେବେ ବୋଲି କାଲିସ କହିଛନ୍ତି। ଭାରତ ମଧ୍ୟ ୨୦୧୯ ବିଶ୍ବକପ୍ର ପ୍ରମୁଖ ଦାବିଦାର ରହିବ। ତୃତୀୟ ଥର ଲାଗି ଟ୍ରଫି ଜିତିପାରିବ ବୋଲି ସେ ନିଜର ମତ ରଖିଛନ୍ତି। କାର୍ତିକ କେକେଆର୍ ପାଇଁ ଜଣେ ବିସ୍ମୟ ଖେଳାଳି। ଭଲ ଫିନିସର ହେବା ସହ ଚାପକୁ ମଧ୍ୟ ନିଜ ହାତକୁ ନେଇପାରୁଛନ୍ତି ବୋଲି କହିଛନ୍ତି କାଲିସ୍।