ବିଶ୍ବକପ୍ ଫାଇନାଲ୍ ମୁକାବିଲା ଆଜି : ନୂଆ ବିଜେତା ଅପେକ୍ଷାରେ କ୍ରିକେଟ ଦୁନିଆ
ଲଣ୍ଡନ : ଦୀର୍ଘ ୪୫ ଦିନ ଏବଂ ୪୭ ମ୍ୟାଚ୍ ପରେ ବିଶ୍ବକପ୍ କ୍ରିକେଟର ଫାଇନାଲ୍ ମୁକାବିଲା ରବିବାର ଐତିହାସିକ ଲର୍ଡସ ଷ୍ଟାଡିୟମ୍ରେ ଖେଳାଯିବ। ଏହି ବହୁ ପ୍ରତୀକ୍ଷିତ ଲଢ଼େଇରେ କ୍ରିକେଟ୍ର ଜନକ ଇଂଲଣ୍ଡ ଏବଂ ଅଣ୍ଡରଡଗ୍ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବେ। ଚାରି ବର୍ଷରେ ଥରେ ଆୟୋଜିତ କ୍ରିକେଟ୍ ମହାଯୁଦ୍ଧର ଏହି ମହାମୁକାବିଲା ଉପରେ ଏବେ ସାରା ବିଶ୍ବର ନଜର ରହିଛି। କ୍ରିକେଟ୍ ଦୁନିଆ ବି ନୂଆ ବିଜେତା ଅପେକ୍ଷାରେ ଅଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏଥର ଫାଇନାଲରେ ଯିଏ ବିଜେତା ହେଉନା କାହିଁକି, କ୍ରିକେଟ୍ ଜଗତକୁ ନୂଆ ବିଶ୍ବବିଜେତା ମିଳିବ। କାରଣ ଦୁଇ ଫାଇନାଲିଷ୍ଟ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ପୂର୍ବରୁ କେବେ ବି ବିଶ୍ବକପ୍ ଜିତି ନାହାନ୍ତି। ସେହି ଦୃଷ୍ଟିରୁ ରବିବାରର ଫାଇନାଲ୍ ପୂର୍ବର ସବୁ ଫାଇନାଲଠାରୁ ସ୍ବତନ୍ତ୍ର ବୋଲି କୁହାଯାଉଛି। ସେଥିପାଇଁ ଲର୍ଡସରେ ଆସନ୍ତାକାଲି ନ୍ୟୁଜିଲାଣ୍ଡ ବୋଲିଂ ଏବଂ ଇଂଲଣ୍ଡ ବ୍ୟାଟିଂ ମଧ୍ୟରେ ଘମାଘୋଟ ଲଢ଼େଇ ହେବ ବୋଲି କ୍ରିକେଟ୍ ପ୍ରେମୀ ଆଶା ରଖିଛନ୍ତି।
ଏଥର ଆୟୋଜକ ଇଂଲଣ୍ଡ ୫ ଥରର ବିଶ୍ବବିଜେତା ଅଷ୍ଟ୍ରେଲିଆକୁ ହରାଇ ଫାଇନାଲକୁ ଯାଇଛି। ସେପଟେ ନ୍ୟୁଜିଲାଣ୍ଡ ଦୁଇ ଥରର ବିଜେତା ଭାରତକୁ ଧରାଶାୟୀ କରି ଟ୍ରଫି ଟକ୍କରରେ ଅବତୀର୍ଣ୍ଣ ହେଉଛି। ଇଂଲଣ୍ଡ ୧୯୭୯, ୧୯୮୭ ଓ ୧୯୯୨ ପରେ ଚତୁର୍ଥ ଥର ପାଇଁ ଫାଇନାଲରେ ପହଞ୍ଚିଛି। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଲଗାତାର ଦ୍ବିତୀୟ ଥର ଲାଗି ଫାଇନାଲ ଖେଳିବାର ସୁଯୋଗ ପାଇଛି। ୨୦୧୫ ସଂସ୍କରଣରେ ନ୍ୟୁଜିଲାଣ୍ଡ ପ୍ରଥମ ଥର ପାଇଁ ଫାଇନାଲ୍ ଖେଳିଥିଲା। ହେଲେ ଅଷ୍ଟ୍ରେଲିଆଠାରୁ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲା।
ଚଳିତ ବିଶ୍ବକପର ଲିଗ୍ ପର୍ଯ୍ୟାୟରେ କେନ୍ ୱିଲିୟମସନ୍ଙ୍କ ନ୍ୟୁଜିଲାଣ୍ଡକୁ ଇଅନ୍ ମର୍ଗାନଙ୍କ ଇଂଲଣ୍ଡ ଦଳ ଅନାୟାସରେ ହରାଇଥିଲା। ଏଣୁ ଆସନ୍ତାକାଲି ଘରୋଇ ପରିବେଶରେ ଇଂଲଣ୍ଡ ଦଳ ପ୍ରବଳ ଆତ୍ମବିଶ୍ବାସର ସହ ପଡ଼ିଆକୁ ଓହ୍ଲାଇବ। ଅନ୍ୟପକ୍ଷରେ ପ୍ରବଳ ସଂଘର୍ଷ ଏବଂ କିଛିଟା ଭାଗ୍ୟ ବଳରେ ଫାଇନାଲରେ ପହଞ୍ଚିଥିବା ନ୍ୟୁଜିଲାଣ୍ଡ ପାଖରେ ବିଶ୍ବକପ୍ ଜିତିବା ସହ ଏହି ପରାଜୟର ପ୍ରତିଶୋଧ ନେବାର ସୁଯୋଗ ରହିବ। ଉଭୟ ଦେଶ କିନ୍ତୁ ପରସ୍ପର ବିପକ୍ଷରେ ୯୦ଟି ଦିନିକିଆ ଖେଳିଛନ୍ତି। ସେଥିମଧ୍ୟରୁ ଇଂଲଣ୍ଡ ୪୧ ଏବଂ ନ୍ୟୁଜିଲାଣ୍ଡ ୪୩ ମ୍ୟାଚ୍ ଜିତିଛି। ଦୁଇଟି ମ୍ୟାଚ୍ ଟାଇ ରହିଛି। ୪ଟି ମ୍ୟାଚ୍ର ଫଳାଫଳ ମିଳିନି। ବିଶ୍ବକପ ଫଳାଫଳରେ ମଧ୍ୟ ଇଂଲଣ୍ଡଠାରୁ ନ୍ୟୁଜିଲାଣ୍ଡ ଟିକିଏ ଆଗରେ ରହିଛି। ବିଶ୍ବକପରେ ଉଭୟ ଦଳ ପରସ୍ପରକୁ ୯ ଥର ଭେଟିଥିଲା ବେଳେ ସେଥିମଧ୍ୟରୁ ନ୍ୟୁଜିଲାଣ୍ଡ ୫ଟି ମ୍ୟାଚ୍ ଜିତିଛି। ଇଂଲଣ୍ଡ ୪ଟିରେ ବିଜୟୀ ହୋଇଛି। ତେବେ ଏସବୁ ପରିସଂଖ୍ୟାନ ଅପେକ୍ଷା ଆସନ୍ତାକାଲି ଫାଇନାଲ ମୁକାବିଲାେର ଯେଉଁ ଦଳର ପ୍ରଦର୍ଶନ ଭଲ ରହିବ ସେ ହିଁ ନୂଆ ବିଶ୍ବ ଚାମ୍ପିଅନ୍ ହେବ।