ବିଶ୍ବକପ୍ ଦଳରେ ବୀରେନ୍ଦ୍ର ଓ ଅମିତ

ଭୁବନେଶ୍ବର,: ଓଡ଼ିଶା ପୁରୁଷ ହକି ବିଶ୍ବକପ୍ ପାଇଁ ଗୁରୁବାର ୧୮ ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି। ଆଶା ଓ ଆଶଙ୍କା ଭିତରେ ଥିବା ଓଡ଼ିଆ ‌ଖେଳାଳିଙ୍କ ମଧ୍ୟରୁ ୨ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସ ଏହି ଦଳରେ ସ୍ଥାନ ପାଇଛନ୍ତି। କଳିଙ୍ଗ ଷ୍ଟାଡିୟମରେ ନଭେମ୍ବର ୨୮ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଏହି ମର୍ଯ୍ୟାଦାଜନକ ପ୍ରତିଯୋଗିତା ଲାଗି ମନପ୍ରୀତ୍ ସିଂହଙ୍କୁ ଅଧିନାୟକ ଏବଂ ଚିଙ୍ଗଲସାନା ସିଂହ କଙ୍ଗୁଜମଙ୍କୁ ଉପ ଅଧିନାୟକ ନିଯୁକ୍ତ କରାଯାଇଛି। ନଭେମ୍ବର ୨୮ ତାରିଖରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ।
ଭାରତୀୟ ଦଳରେ ଅଭିଜ୍ଞ ତଥା ପୂର୍ବତନ ଅଧିନାୟକ ପିଆର ଶ୍ରୀଜେଶଙ୍କ ସହିତ କୃଷ୍ଣ ବାହାଦୂର ପାଠକଙ୍କୁ ଦ୍ବିତୀୟ ‌ଗୋଲରକ୍ଷକ ଭାବେ ଦଳରେ ନିଆଯାଇଛି। ଆହତ କାରଣରୁ ଏସୀୟ ଚାମ୍ପିଅନ୍ସ ଟ୍ରଫିରୁ ବଞ୍ଚିତ ହୋଇଥିବା ଅଭିଜ୍ଞ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା ଦଳକୁ ପ୍ରତ୍ୟାବର୍ତନ କରିବାର ସୁଯୋଗ ପାଇଛନ୍ତି। ବୀରେନ୍ଦ୍ର ଓ ଅମିତଙ୍କ ସହିତ ଡିଫେଣ୍ଡର ଦାୟିତ୍ବରେ ରହିବେ ହରମନପ୍ରୀତ ସିଂହ, ବରୁଣ କୁମାର, କୋଠାଲଜିତ୍ ସିଂହ ଖଣ୍ଡଙ୍ଗବାମ, ସୁରେନ୍ଦର କୁମାର। ପୁରୋଭାଗକୁ ସମ୍ଭାଳିବେ ଅଧିନାୟକ ମନପ୍ରୀତ୍ ସିଂହ, ଉପ ଅଧିନାୟକ ଚିଙ୍ଗଲସାନା ସିଂହ କଙ୍ଗୁଜମ, ନୀଳକଣ୍ଠ ଶର୍ମା, ହାର୍ଦିକ ସିଂହ ଏବଂ ସୁମିତ କୁମାର। ଫରୱାର୍ଡ ତଥା ଆଗ୍ରଭାଗ ଦାୟିତ୍ବ ଲାଗି ଅଭିଜ୍ଞ ଆକାଶଦୀପ ସିଂହ, ମନଦୀପ୍ ସିଂହ, ଦିଲୀପ୍ରୀତ୍ ସିଂହ, ଲଳିତ କୁମାର ଉପାଧ୍ୟାୟ ଏବଂ ସିମ୍ରନଜିତ୍ ସିଂହ ରହିଛନ୍ତି। ମନଦୀପ ଓ ସିମ୍ରନଜିତ୍ ସିଂହ ପୂର୍ବରୁ ଭାରତ ପାଇଁ କନିଷ୍ଠ ବିଶ୍ବକପ୍ ଜିତି ସାରିଥିବା ବେଳେ ଏବେ ବରିଷ୍ଠ ଦଳରେ ସ୍ଥାନ ପାଇଛନ୍ତି।
ଭାରତ ପୁଲ୍ ‘ସି’ରେ ବିଶ୍ବର ୩ ନମ୍ବର ତଥା ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ବେଲଜିୟମ, କାନାଡ଼ା ଓ ଦକ୍ଷିଣ ଆଫ୍ରିକା ସହିତ ସ୍ଥାନ ପାଇଛି। ପ୍ରତି ୪ ପୁଲର ଶୀର୍ଷ ଦଳ ସିଧାସଳଖ କ୍ବାର୍ଟରଫାଇନାଲ୍‌ ପ୍ରବେଶ କରିବାର ନିୟମ ରହିଥିବା ବେଳେ ଶେଷ ଦଳ ବାଦ୍ ପଡ଼ିଯି‌ବେ। ଦ୍ବିତୀୟ ଓ ତୃତୀୟ ସ୍ଥାନ ଦଖଲକାରୀ ଦଳ ପାଇଁ କ୍ବାର୍ଟରଫାଇନାଲ୍‌ ପ୍ରବେଶ ଲାଗି କ୍ରସ୍ ଓଭର ଖେଳିବାକୁ ପଡ଼ିବ।
ବିଶ୍ବକପ୍ ପାଇଁ ଆମେ ଶ୍ରେଷ୍ଠ ଉପଲବଧ୍ ଦଳ ବାଛିଛୁ। ୩୪ ଜଣିଆ ପୁଲରୁ ୧୮ ଜଣ ଚୂଡାନ୍ତ କରିବା ଲାଗି ଆମକୁ ଅନେକ କଠୋର ନିଷ୍ପତ୍ତି ନେବାକୁ ପଡ଼ିଛି। ବର୍ତମାନର ଫର୍ମ ଓ ଫିଟନେସକୁ ବିଚାରକୁ ନେଇ ମନୋନୀତ ଏହି ୧୮ ଜଣିଆ ଦଳ ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ନେଇ ଗଠିତ ହୋଇଛି। ଦଳ ନିଶ୍ଚିତ ଲଢ଼ୁଆ ପ୍ରଦର୍ଶନ ଦେଖାଇବ ବୋଲି ଭାରତୀୟ ଦଳ ମୁଖ୍ୟ ପ୍ରଶିକ୍ଷକ ହରେନ୍ଦ୍ର ସିଂହ ପ୍ରକାଶ କରିଛନ୍ତି।
ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୩୪ ଜଣିଆ ଦଳର ପ୍ରଶିକ୍ଷଣ ଶିବିର ନଭେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ।
ରୂପୀନ୍ଦର, ସୁନୀଲ ବାଦ୍: ହକି ବିଶ୍ବକପ୍ ଦଳରେ ୩ ଜଣ ପ୍ରମୁଖ ଖେଳାଳିଙ୍କୁ ସୁଯୋଗ ମିଳିନାହିଁ। ସେମାନେ ହେଲେ-ଏସଭି ସୁନୀଲ, ରୂପୀନ୍ଦରପାଲ୍ ସିଂହ ଏବଂ ରମଣଦୀପ ସିଂହ। ଏସୀୟ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଦିଲ୍ଲୀପ ତିର୍କି-ଧନରାଜ ପିଲ୍ଲେ ପ୍ରଦର୍ଶନୀ ମ୍ୟାଚ୍ ପୂର୍ବରୁ ଆଣ୍ଠୁରେ ଆଘାତ ପାଇଥିଲେ ଏସଭି ସୁନୀଲ। ସେହିଭଳି ରମଣଦୀପ ମଧ୍ୟ ତାଙ୍କ ଗୋଡ଼ ଆଘାତ ସମସ୍ୟାରୁ ସମ୍ପୂର୍ଣ୍ଣ ବାହାରି ନାହାନ୍ତି। କେବଳ ଫର୍ମ ଆଧାରରେ ରୂପୀନ୍ଦର ଦଳରୁ ବାଦ୍ ପଡ଼ିଛନ୍ତି।
ଯୁବ ଖେଳାଳିଙ୍କୁ ସୁଯୋଗ: ଗତ ସୁଲତାନ ଜୋହର କପ୍‌ରେ ଭାରତର ପ୍ରତିନିଧିତ୍ବ କରିଥିବା ଯୁବ ଦଳରୁ ମୋଟ ୬ ଜଣ ଭାରତୀୟ ବିଶ୍ବକପ୍ ଦଳରେ ସ୍ଥାନ ପାଇଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟ କିନ୍ତୁ ନୀଳକଣ୍ଠ ଶର୍ମା ଏବଂ ହାର୍ଦିକ ସିଂହ। ‌ଘୋଷିତ ଭାରତୀୟ ଦଳରେ ହରମନପ୍ରୀତ୍ ସିଂହ ଏକମାତ୍ର ଡ୍ରାଗ୍ଲ ଫ୍ଲିକର ରହିଛନ୍ତି।
ଭାରତୀୟ ଦଳ
‌େଗ‌ାଲ୍‌ରକ୍ଷକ: ପିଆର୍‌ ଶ୍ରୀଜେଶ, କୃଷ୍ଣ ବାହାଦୂର ପାଠକ। ଡିଫେଣ୍ଡର: ହରମନପ୍ରୀତ୍ ସିଂହ, ବୀରେନ୍ଦ୍ର ଲାକ୍ରା, ବରୁଣ କୁମାର, କୋଠାଜିତ୍ ସିଂହ ଖଣ୍ଡଙ୍ଗବାମ, ସୁରେନ୍ଦର କୁମାର, ଅମିତ ‌ରୋହିଦାସ। ମିଡଫିଲ୍ଡ: ମନପ୍ରୀତ୍ ସିଂହ (ଅଧିନାୟକ), ଚିଙ୍ଗଲସାନା ସିଂହ କଙ୍ଗୁଜମ (ଉପଅଧିନାୟକ), ନୀଳକଣ୍ଠ ଶର୍ମା, ହାର୍ଦିକ ସିଂହ, ସୁମିତ। ଫରୱାର୍ଡ: ଆକାଶଦୀପ ସିଂହ, ମନଦୀପ ସିଂହ, ଦିଲ୍‌ପ୍ରୀତ୍ ସିଂହ, ଲଳିତ କୁମାର ଉପାଧ୍ୟାୟ, ସିମ୍ରନଜିତ୍ ସିଂହ।

ଏ ଦଳ ସନ୍ତୁଳିତ, ସେମିଫାଇନାଲ୍ ଆଶା ରହିବ: ଦିଲୀପ ତିର୍କି
ଭୁବନେଶ୍ବର: ବିଶ୍ବକପ୍ ପାଇଁ ଘୋଷିତ ଭାରତୀୟ ଦଳକୁ ନେଇ ଢେର ଆଶାବାଦୀ ହୋଇପଡ଼ିଛନ୍ତି କିମ୍ବଦନ୍ତୀ ଅଲିମ୍ପିଆନ୍ ଦିଲୀପ ତିର୍କି। ଦଳ ସନ୍ତୁଳିତ ରହିଛି ଏବଂ ସେମିଫାଇନାଲ୍ ପର୍ଯ୍ୟନ୍ତ ଯିବାର ଆଶା ରହିବ ବୋଲି କହିଛନ୍ତି ଭାରତୀୟ ଦଳର ଏହି ପୂର୍ବତନ ଅଧିନାୟକ। ଭାରତୀୟ ଦଳରେ ଦୁଇ ଜଣ ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସ ସ୍ଥାନ ପାଇବା ଖୁସିର କଥା। ଘରୋଇ ପ୍ରଶଂସକଙ୍କ ଆଗରେ ଭାରତୀୟ ଦଳ ମଧ୍ୟ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଉତ୍ସାହ ପାଇବ। ପ୍ରତି ମ୍ୟାଚ୍‌ରେ ଦଳକୁ ଭଲ ଖେଳିବାକୁ ପଡ଼ିବ। ବିଶେଷ କରି ଡ୍ରାଗ୍‌ ଫ୍ଲିକର ଭଲ କଲେ ଭାରତ ଯେଭଳି ଦଳ ରହିଛି ନିଶ୍ଚିତ ସୁଯୋଗ ସୃଷ୍ଟି କରିପାରିବ। ନିକଟ ଅତୀତରେ ଭାରତ ଯେତେ ଅନ୍ତର୍ଜାତୀୟ ପ୍ରତି‌ଯୋଗିତା ଖେଳିଛି ନିଶ୍ଚିତ ଭଲ କରିଛି। ସେଭଳି ଜୋସ ଓ ମାନସିକତା ନେଇ ଖେଳିବାକୁ ପଡ଼ିବ। ତଥାପି ସବୁ ଦଳ ନିଶ୍ଚିତ ବିଶ୍ବକପ୍‌କୁ ଲକ୍ଷ୍ୟରେ ରଖି ଆସିଥିବେ। ମ୍ୟାଚ୍ ଦିନ ଶ୍ରେଷ୍ଠ ପ୍ରଦର୍ଶନ ଦେବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଆମେ ଗତ ଏସୀୟ କ୍ରୀଡ଼ାରେ ମାଲେସିଆଠାରୁ ହାରି ସେମିଫାଇନାଲରୁ ଆଗକୁ ଯାଇପାରିନଥିଲୁ। କିନ୍ତୁ ସେଠାରେ ବିଜେତା ହୋଇଥିବା ଜାପାନକୁ ଗତ ମାସରେ ଏସୀୟ ଚାମ୍ପିଅନ୍ସ ଟ୍ରଫିରେ ୯-୦ରେ ହରାଇବାରେ ସକ୍ଷମ ହୋଇଥିଲୁ। ଏଥିରୁ ସବୁକିଛି ଅନୁମେୟ। ଭାରତକୁ ମଧ୍ୟ ପରବର୍ତୀ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ଅର୍ଜନ କରିବା ଲକ୍ଷ୍ୟରେ ‌ଖେଳିବାକୁ ପଡ଼ିବ। ଘୋଷିତ ଭାରତୀୟ ଦଳ ସମ୍ପୂର୍ଣ୍ଣ ଫିଟ୍ ରହିଛି। ଶ୍ରୀଜେଶଙ୍କ ଭଳି ଗୋଲ୍‌ରକ୍ଷକ ସହିତ ଦୃଢ଼ ମଧ୍ୟଭାଗ ଏବଂ ଆକ୍ରମଣାତ୍ମକ ଅଗ୍ରଭାଗ ମଧ୍ୟ ଭାରତୀୟ ଦଳ ପାଇଛି। ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ନେଇଥିବା ମନପ୍ରୀତ୍ ସିଂହଙ୍କ ଦଳକୁ କେବଳ ପେନାଲଟି କର୍ନର ରୂପାନ୍ତର ପ୍ରତିଶତ ଉପରେ ଗୁରୁତ୍ବ ଦେବାକୁ ହେବ। ଏ କ୍ଷେତ୍ରରେ ଆମର ସାମ୍ପ୍ରତିକ ପ୍ରଦର୍ଶନ ଭଲ ଥିବାରୁ ଏହା ଜାରି ରହିଲେ ଭଲ ଫଳ ମିଳିବ। ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଦଳକୁ ମଧ୍ୟ ରକ୍ଷଣଭାଗକୁ ଦୃଢ଼ କରିବାକୁ ପଡ଼ିବ। ବେଳେବେଳେ ଆମେ ଭଲ ଖେଳି ମଧ୍ୟ ଅନ୍ତିମ କ୍ଷଣରେ ଗୋଲ୍‌ବରଣ କରି ମ୍ୟାଚ୍ ହାରିଯାଇଥାଉ। ରି ଟାକଲିଂ ଏବଂ କାଉଣ୍ଟର ଆଟାକକୁ ହାତେଇ ଏଥି ପ୍ରତି ସତର୍କ ରହିବାକୁ ପଡ଼ିବ। ହକି ଅତି ଫାଷ୍ଟ ହୋଇଯାଇଥିବାରୁ ଗ୍ରୀନ୍ କାର୍ଡ ଏଡ଼ାଇବା ପ୍ରତି ମଧ୍ୟ ଧ୍ୟାନ ଦେବାକୁ ହେବ। ଆମର ଯଦି ୩/୪ ଜଣ ଗ୍ରିନ୍ କାର୍ଡ ପାଉଛନ୍ତି ତେବେ ମୋଟ ଉପରେ ୮ ମିନିଟ ୧୦ ଜଣରେ ‌‌ଖେଳିବା ମହଙ୍ଗା ପଡ଼ିପାରେ ବୋଲି ଦିଲୀପ ସକର୍ତ କରାଇ ଦେଇଥିଲେ।
ବ୍ୟକ୍ତିଗତ ଭାବେ ଏହି ବିଶ୍ବକପ୍‌କୁ ନେଇ ମୁଁ ବହୁତ ଖୁସୀ। ମୋଠାରୁ ସମ୍ଭବତଃ ଅଧିକ ଖୁସୀ କେହି ନଥିବେ। ଭାରତର ପ୍ରତିଟି ମ୍ୟାଚ୍‌କୁ ଉପଭୋଗ କରିବାକୁ ମୁଁ ମଧ୍ୟ ବ୍ୟଗ୍ର ରହିଛି ବୋଲି ଦିଲୀପ ଗୁରୁବାର ‘ସମ୍ବାଦ ଭବନ’ରେ କଥାହେ‌ବା ଶେଷରେ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର