ବିଶ୍ବକପ୍‌ ପିଛା ଛାଡ଼ିନି ବିବାଦ

0

ନୂଆଦିଲ୍ଲୀ: କୌଣସି ବଡ଼ ପ୍ରତିଯୋଗିତା ବିବାଦକୁ ବି ଛାଡ଼ିନାହିଁ। ବିଶ୍ବକପ୍‌ ବି ଏଥିରୁ ବାଦ୍ ପଡ଼ିନାହିଁ। ଦିନିକିଆ କ୍ରିକେଟ୍‌ର ଏହି ମହୋତ୍ସବର କିଛି ବିବାଦୀୟ ଘଟଣା ଏବେ ବି ଅଭୁଲା ରହିଛି।
ସେନ୍‌ ୱର୍ନ ବାସନ୍ଦ(୨୦୦୩)
୨୦୦୩ ମସିହା ବିଶ୍ବକପ୍‌ ଖେଳିବାକୁ ଅଷ୍ଟ୍ରେଲିଆ ଦଳ ଦକ୍ଷିଣ ଆଫ୍ରିକାରେ ପାଦ ଥାପିବାର ମାତ୍ର ଦିନେ ଦୁଇ ଦିନ ଭିତରେ ଏହାର ମୁଖ୍ୟ ବୋଲିଂ ଅସ୍ତ୍ର ସେନ୍‌ ୱର୍ନ ନିଷିଦ୍ଧ ଶକ୍ତିବର୍ଧକ ମୋଡୁରେଟିକ୍‌ ସେବନ କରି ନିଲମ୍ବିତ‌ ହୋଇଥିଲେ। ଫଳରେ ଅଷ୍ଟ୍ରେଲିଆ ମ୍ୟାଚ୍‌ ଖେଳିବା ପୂର୍ବରୁ ୱର୍ନଙ୍କୁ ସ୍ବଦେଶ ଫେରାଇ ଦିଆଯାଇଥିଲା। ବର୍ଷକ ପାଇଁ ତାଙ୍କ ଉପରେ ନିଲମ୍ବନ ଲାଗୁ ହୋଇଥିଲା। ଅପ୍ରତ୍ୟାଶିତ ପ୍ରତ୍ୟାବର୍ତନ ଅଷ୍ଟ୍ରେଲିଆର ଯୋଜନାକୁ ଶକ୍ତ ଝଟକା ପହଞ୍ଚାଇଥିଲେ ମଧ୍ୟ ଦଳର ଖେଳାଳିମାନେ ତୁରନ୍ତ ଏକାଠି‌ ହୋଇ ମୁକୁଟ ବଜାୟ ରଖିବାରେ ସକ୍ଷମ ହୋଇଥିଲା। ଫାଇନାଲରେ ରିକି ପଣ୍ଟିଂଙ୍କ ଦଳ ଭାରତକୁ ଅତି ସହଜରେ ହରାଇ ଦେଇଥିଲା।

ଫ୍ଲାୱାର, ଓଲୋଙ୍ଗା ଓହରିଲେ (୨୦୦୩)
ଜିମ୍ବାୱେରେ ରବର୍ଟ ମୁଗାବେଙ୍କ ସରକାରଙ୍କ ଅରାଜକତା ତଥା ଗଣତନ୍ତ୍ରର ମୃତ୍ୟୁର ପ୍ରତିବାଦ କରିଥିଲେ ଏହି ଦେଶର ଦୁଇ ବିଶ୍ବକପ୍‌ ଖେଳାଳି ଆଣ୍ଡି ଫ୍ଲା୍ୱାର ଏବଂ ‌ହେନରି ଓଲୋଙ୍ଗ। ଉଦ୍‌ଘାଟନୀ ମ୍ୟାଚ୍‌ ପୂର୍ବରୁ ଏହି ଦୁଇ ଜଣ ସାମ୍ବାଦିକ ସମ୍ମିଳନୀ କରି ଜଣାଇ ଦେଇଥିଲେ ପ୍ରତିଯୋଗିତା ଅବସରରେ ଉଭୟ କଳାବ୍ୟାଚ୍‌ ପରିଧାନ କରି ଖେଳିବେ। ଏହାକୁ ଅନ୍ତର୍ଜାତୀୟ ସମର୍ଥନ ମିଳିଥିଲା। କିନ୍ତୁ ଜିମ୍ବାୱେରେ ଏହି ଦୁଇ ଖେଳାଳିଙ୍କୁ ଏତେ ବିରୋଧ କରାଯାଇଥିଲା ସେ ବିଶ୍ବକପ୍‌ ପରେ ଉଭୟ ଖେଳ ଛାଡ଼ି ଦେଇଥିଲେ।

ମ୍ୟାଚ୍‌ ଛାଡ଼ିଲେ ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ୍‌ (୧୯୯୬)
ବିଶ୍ବକପ୍‌ର କିଛି ଦିନ ପୂର୍ବରୁ କଲମ୍ବୋର ସେଣ୍ଟ୍ରାଲ୍ ବ୍ୟାଙ୍କରେ ଏଲଟିଟିଇ ବୋମା ବିସ୍ଫୋରଣ ଘଟାଇଥିଲା। ସୁରକ୍ଷା କାରଣ ଦର୍ଶାଇ ଅଷ୍ଟ୍ରେଲିଆ ଏବଂ ୱେଷ୍ଟଇଣ୍ଡିଜ୍‌ ଶ୍ରୀଲଙ୍କାରେ ଖେଳିବାକୁ ମନା କରି ଦେଇଥିଲେ। ଫଳରେ ଶ୍ରୀଲଙ୍କା ଉଭୟ ମ୍ୟାଚ୍‌ରେ ୱାକ୍‌ଓଭର ପାଇବାର ଫାଇଦା ପାଇ ପୁଲ୍ ଶୀର୍ଷରେ ଅଭିଯାନ ଶେଷ କରିଥିଲା। ପରେ ଭାରତରେ ଖେଳାଯାଇଥିବା ଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇ ଶ୍ରୀଲଙ୍କା ବିଜେତା ହୋଇଥିଲା।

ଉଲମରଙ୍କ ରହସ୍ୟମୟ ମୃତ୍ୟୁ (୨୦୦୭)
ୱେଷ୍ଟଇଣ୍ଡିଜରେ ଆୟୋଜିତ ୨୦୦୭ ମସିହାର ବିଶ୍ବକପ୍‌ ପାକିସ୍ତାନର ଦକ୍ଷିଣ ଆଫ୍ରିକୀୟ ପ୍ରଶିକ୍ଷକ ବବ୍‌ ଉଲମରଙ୍କ ରହସ୍ୟଜନକ ମୃତ୍ୟୁ ବିବାଦରେ ଆଛାଦିତ ରହିଥିଲା। ପାକିସ୍ତାନ ଆଗୁଆ ବିଦାୟ ନେଇଯିବା ସହିତ ଉଲମରଙ୍କ ଅଚାନକ ପରଲୋକ ଖବର ମାସାଧିକ କାଳ ଚର୍ଚାରେ ରହିଥିଲା। ପାକିସ୍ତାନ ଖେଳାଳିମାନେ ମାରି‌ ଦେଇଥିବା ଭଳି ଅଭିଯୋଗ ମଧ୍ୟ ଉଠିଥିଲା। ବ୍ୟାପକ ତଦନ୍ତ ପରେ କିନ୍ତୁ ଉଲମରଙ୍କ ମୃତ୍ୟୁ ସ୍ବାଭାବିକ ଥିଲା ବୋଲି ଜଣାପଡ଼ିଥିଲା। ଏକାଧିକ ଷଡ଼ଯନ୍ତ୍ରର କଥା ଶେଷକୁ ଯୁକ୍ତିହୀନ ସାବ୍ୟସ୍ତ ହୋଇଥିଲା।

କ୍ରୋନିଏଙ୍କ ଶ୍ରବଣଯନ୍ତ୍ର ବିବାଦ (୧୯୯୯)
ଦକ୍ଷିଣ ଆଫ୍ରିକା ଅଧିନାୟକ ହାନସୀ କ୍ରୋନିଏ ଏବଂ ପ୍ରଶିକ୍ଷକ ବବ୍‌ ଉଲମରଙ୍କ କ୍ରୀଡ଼ା କୌଶଳ ବେଶ ସଫଳ ରହୁଥିଲା। କିନ୍ତୁ ସେମାନେ ୧୯୯୯ ବିଶ୍ବକପ୍‌ରେ ଏକ ସୀମା ଉଲ୍ଲଂଘନ କୌଶଳ ଆପଣାଇ ବିବାଦରେ ପଡ଼ିଥିଲେ। ଭାରତ ବିପକ୍ଷ ଉଦ୍‌ଘାଟନୀ ମ୍ୟାଚ୍‌ରେ କ୍ରୋନିଏ ଶ୍ରବଣଯନ୍ତ୍ର ବ୍ୟବହାର କରିବା ନଜରକୁ ଆସିଥିଲା। ଯଦ୍ବାରା ସେ ଡ୍ରେମିଂ ରୁମ୍‌ରେ ଥିବା ଉଲମରଙ୍କଠାରୁ ବିଭିନ୍ନ ନିର୍ଦେଶ ପାଉଥିଲେ। ପାଳି ଆରମ୍ଭ କରୁଥିବା ଭାରତୀୟ ଦଳ ଅଧିନାୟକ‌ ସୌରଭ ଗାଙ୍ଗୁଲି ଏହାକୁ ଦେଖି ଅମ୍ପାୟାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମ୍ୟାଚ୍‌ ରେଫରିଙ୍କ ସହିତ ଆଲୋଚନା ପରେ କ୍ରୋନିଏ ଏହାକୁ କାଢ଼ି ଦେଇଥିଲେ। ଅବଶ୍ୟ ଏହା ବୈଷୟିକ ଭାବେ କୌଣସି କ୍ରିକେଟ୍ ନିୟମ ବିରୋଧୀ ନ ଥିଲା।

ଅଜବ ବର୍ଷା ନିୟମ (୧୯୯୨)
ଦକ୍ଷିଣ ଆଫ୍ରିକାର ପ୍ରଥମ ବିଶ୍ବକପ୍‌ ପଦାର୍ପଣ ଅପ୍ରୀତିକର ପରିସ୍ଥିତିରେ ଶେଷ ହୋଇଥିଲା। ଅଜବ ବର୍ଷା ନିୟମ ପାଇଁ ଦକ୍ଷିଣ ଆଫ୍ରିକା ସେମିଫାଇନାଲରୁ ବିଦାୟ ନେଇଥିଲା। ଇଂଲଣ୍ଡ ବିପକ୍ଷ‌ ସେମିଫାଇନାଲରେ ବର୍ଷା ହେବା ବେଳକୁ ଦକ୍ଷିଣ ଆଫ୍ରିକାକୁ ୧୩ ବଲରୁ ୨୨ ରନ୍‌ ଆବଶ୍ୟକ ଥିଲା। ଖେଳାଳିମାନେ ଡ୍ରେସିଂରୁମ୍‌କୁ ଫେରିଯାଇଥିଲେ। ବର୍ଷା ଛାଡ଼ିବା ପରେ ଦଳକୁ ୭ ବଲରୁ ୨୨ ରନ୍ ସଂଗ୍ରହ କରିବାକୁ କୁହାଯାଇଥିଲା। କିନ୍ତୁ କିଛି ସମୟ ପରେ ଏହାକୁ ମାତ୍ର ଗୋଟିଏ ବଲରୁ ୨୨ ରନ୍‌ ସଂଗ୍ରହ କରିବାକୁ କୁହାଯାଇଥିଲା। ବ୍ରାଏନ୍ ମ୍ୟାକମିଲାନ୍‌ଙ୍କ ସେହି ବଲରୁ ଦକ୍ଷିଣ ଆଫ୍ରିକା ଗୋଟିଏ ରନ୍‌ ସଂଗ୍ରହ‌ କରି ଦୁର୍ଭାଗ୍ୟଜନକ ଭାବେ ବିଦାୟ ନେଇଥିଲା।

ଇଡେନ୍‌ରେ ଦର୍ଶକ ବିଶୃଙ୍ଖଳା (୧୯୯୬)
କୋଲକାତାର ଇଡେନ୍ ଗାର୍ଡେନ୍ସ ଦର୍ଶକ ମ୍ୟାଚ୍‌ର ଦ୍ବାଦଶ ଖେଳାଳି ଭୂମିକା ବି ତୁଲାଇଦିଅନ୍ତି, କିନ୍ତୁ ସବୁକିଛି ଠିକ୍‌ଠାକ୍ ନ ରହିଲେ ଏମାନେ ହିଂସ୍ର ପାଲଟିଯାଆନ୍ତି। ୧୯୯୬ ବିଶ୍ବକପ୍‌ ସେମିଫାଇନାଲରେ ଶ୍ରୀଲଙ୍କା ବିରୋଧରେ ଭାରତ ଦୟନୀୟ ସ୍ଥିତିକୁ ଚାଲିଯିବା ପରେ ଦର୍ଶକମାନେ ବିଶୃଙ୍ଖଳା କରିଥିଲେ। ସିଟ୍‌ରେ ନିଆଁ ଲଗାଇବା ସହିତ ବୋତଲ ଫିଙ୍ଗି ଥିଲେ। ଶ୍ରୀଲଙ୍କାର ୨୫୨ ରନ୍ ଜବାବରେ ସଚିନ ତେନ୍ଦୁଲକର (୬୫ ରନ୍) ବ୍ୟାଟିଂ କରୁଥିବା ପର୍ଯ୍ୟନ୍ତ ସେମାନେ ଶାନ୍ତ ଥିଲେ। ସେ ଆଉଟ୍ ହେବା ମାତ୍ରେ ଲଙ୍କା କାଣ୍ଡ ଘଟାଇଥିଲେ। ୧୨୦/୮ରେ ଭାରତ ସଂଘର୍ଷ କରୁଥିବା ବେଳେ ଏହି ଅଭାବନୀୟ ଘଟଣା ଦେଖି ଶ୍ରୀଲଙ୍କାକୁ ବିଜୟୀ ଘୋଷଣା କରାଯାଇଥିଲା।

ଫ୍ଲିଣ୍ଟଫ୍‌ ହରାଇଲେ ଉପ ଅଧିନାୟକ ପଦ (୨୦୦୭)
କାରବୀୟ ବିଶ୍ବକପ୍‌ରେ ଇଂଲଣ୍ଡ ଅଲରାଉଣ୍ଡର୍‌ ଆଣ୍ଡ୍ରିଉ ଫ୍ଲିଣ୍ଟଫ୍ ଖରାପ କାରଣ ପାଇଁ ଖବରର ଶିରୋନାମାରେ ରହିଥିଲେ। ଉଦ୍‌ଘାଟନୀ ମ୍ୟାଚ୍‌ରେ ଶ୍ରୀଲଙ୍କା ନିକଟରୁ ଇଂଲଣ୍ଡ ହାରିଯିବା ପରେ ସେଣ୍ଟ୍ ଲ୍ୟୁସିଆରେ ଫ୍ଲିଣ୍ଟଫ୍‌ ମଦ୍ୟପାନ ଅବସ୍ଥାରେ ଏକ ଦୁଃସାହସିକ କାର୍ଯ୍ୟ କରିଥିଲେ। ଏଥି ପାଇଁ ତାଙ୍କୁ ଉପ ଅଧିନାୟକ ପଦ ହରାଇବାକୁ ପଡ଼ିବା ସହିତ ଗୋଟିଏ ମ୍ୟାଚ୍‌ ନିଲମ୍ବନ ଦଣ୍ଡ ମିଳିଥିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.