ବିଶ୍ବକପ୍‌ ଆଉ ୪୪ ଦିନ, ବିଶ୍ବକପ୍‌ ଦଳ ଘୋଷଣା ଆଜି: ୪ ନଂ ସ୍ଥାନକୁ ନେଇ ଦ୍ବନ୍ଦ୍ବ

ନୂଆଦିଲ୍ଲୀ: ଚଳିତ ବର୍ଷ ଇଂଲଣ୍ଡ୍‌ରେ ଆୟୋଜିତ ହେବାକୁ ଯାଉଥିବା ୫୦ ଓଭରିଆ କ୍ରିକେଟ୍‌ ବିଶ୍ବକପ୍‌ ପାଇଁ ଭାରତୀୟ ଦଳ ଆସନ୍ତାକାଲି ଘୋଷଣା କରାଯିବ। ଏହି ବିଶ୍ବକପ୍‌ ମେ’ ୩୦ରୁ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଶୃଙ୍ଖଳା ପରେ ପରେ ଅଧିନାୟକ ବିରାଟ କୋହଲି ବିଶ୍ବକପ୍‌ ପାଇଁ ୧୪ ଜଣ ଖେଳାଳିଙ୍କ ନାମ ଆପାତତଃ ଚୂଡ଼ାନ୍ତ ହୋଇସାରିଥିବା ଆଭାସ ଦେଇଥିଲେ। ଫଳରେ ଘୋଷିତ ହେବାକୁ ଥିବା ୧୫ ଜଣିଆ ଦଳର କେବଳ ୪ ନଂ ସ୍ଥାନ ପାଇଁ ଚିନ୍ତା ରହିଥିବା କୋହଲିଙ୍କ ଅଭାସରୁ ସ୍ପଷ୍ଟ ହୋଇଛି। ଏହି ବ୍ୟାଟିଂ କ୍ରମ ପାଇଁ କିଏ ଉପଯୁକ୍ତ ସେନେଇ ଚୟନକର୍ତା ଏବେ ବି ଦ୍ବନ୍ଦ୍ବରେ ରହିଛନ୍ତି। ସୋମବାର ଚୟନସମିତି ‌ବୈଠକରେ ୪ ନଂ କ୍ରମ ପାଇଁ ବିଶେଷକରି ଆଲୋଚନା ହେବ। ଏହି କ୍ରମ ପାଇଁ ଏକାଧିକ ଖେଳାଳି ଦାବିଦାର ରହିଛନ୍ତି। ସେମାନଙ୍କ ମଧ୍ୟରେ ଅମ୍ବାତି ରାୟୁଡୁ, ବିଜୟ ଶଙ୍କର, ଦୀନେଶ କାର୍ତିକ ଓ ଋଷଭ ପନ୍ତ୍‌ଙ୍କ ନାମ ଚର୍ଚାରେ ରହିଛି। ଏମାନଙ୍କ ମଧ୍ୟରୁ କିଏ ବିଶ୍ବକପ୍‌ ଟିକେଟ୍‌ ପାଇବ ତାହା ସୋମବାର ସ୍ପଷ୍ଟ ହୋଇଯିବ।

ସଂପ୍ରତି ଚାଲିଥିବା ଆଇପିଏଲ୍‌ (ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌)ରେ ସୋମବାର ମୁମ୍ବାଇରେ ଭାରତୀୟ ଦଳର ଉପଅଧିନାୟକ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍‌ସ ଓ ଅଧିନାୟକ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁହାଁମୁହିଁ ହେବେ। ଏହି ମ୍ୟାଚ୍‌ ରାତି ୮ଟାରେ ଖେଳାଯିବାକୁ ଥିଲା ବେଳେ ସେହି ମୁମ୍ବାଇରେ ଚୟନକର୍ତା, କୋହଲି ଓ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଅପରାହ୍ନରେ ବୈଠକରେ ଏକତ୍ରିତ ହୋଇ ବିଶ୍ବକପ୍‌ ଦଳ ଚୟନ କରିବେ। ଏହି ବୈଠକ ପରେ ସମ୍ଭବତଃ ଅପରାହ୍ନ ୩ଟାରେ ବିସିସିଆଇ ସାମ୍ବାଦିକ ସମ୍ମିଳନୀ ଡାକି ଦଳ ଘୋଷଣା କରିବ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ସାମ୍ବାଦିକ ସମ୍ମିଳନୀରେ ବିସିସିଆଇ ପକ୍ଷରୁ କାର୍ଯ୍ୟକାରୀ ସଂପାଦକ ଅମିତାଭ ଚୌଧୁରୀ ଏବଂ ମନୋନୟନ ସମିତି ଅଧ୍ୟକ୍ଷ ଏମ୍‌ଏସ୍‌କେ ପ୍ରସାଦ ସୂଚନା ଦେବେ। ବିଦେଶରେ ବିଶ୍ବକପ୍‌ ଖେଳିବାକୁ ଯାଉଥିବାରୁ ଭାରତୀୟ ଦଳରେ ଆହତ ସମସ୍ୟାକୁ ଦୃଷ୍ଟିରେ ରଖି ମନୋନୟନ ସମିତି ୪ ଜଣ ଦ୍ରୁତ ବୋଲରଙ୍କୁ ସାମିଲ କରିବା ଯୋଜନାରେ ରହିଛି। ପୁଣି ଧୋନିଙ୍କ ସାଙ୍ଗକୁ ଜଣେ ଦ୍ବିତୀୟ ୱିକେଟ୍‌ ରକ୍ଷକ ରଖିବାକୁ ମଧ୍ୟ ଚିନ୍ତା କରାଯାଉଛି। ଏହା ବ୍ୟତୀତ ୪ ନଂ ପାଇଁ ଜଣେ ବିଶେଷଜ୍ଞ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ବି ନିଆଯାଇପାରେ ବୋଲି ଚୟନକର୍ତା ଚାହୁଁଥିବେ। ତେଣୁ ୧୫ ଜଣିଆ ଦଳର ଏକମାତ୍ର ସ୍ଥାନ ପାଇଁ ଏବେ ୩ ବିକଳ୍ପ ଉଭା ହୋଇଛି। ବିଶେଷକରି ବିଶେଷଜ୍ଞ ବ୍ୟାଟ୍ସମ୍ୟାନ୍‌ ବିକଳ୍ପ ପାଇଁ ଅମ୍ବାତି ରାୟୁଡୁଙ୍କ ନାମ ଆଗରେ ରହିଥିଲା ବେଳେ ଦ୍ବିତୀୟ ୱିକେଟ୍‌ରକ୍ଷକ ଭାବେ ଦୀନେଶ କାର୍ତିକ କିମ୍ବା ଋଷଭ ପନ୍ତ୍‌ଙ୍କ ନାମ ଚର୍ଚାରେ ରହିଛି। ଅନ୍ୟପକ୍ଷରେ ଚତୁର୍ଥ ଦ୍ରୁତ ବୋଲର ବିକଳ୍ପ ଭା‌ବେ ଉମେଶ ଯାଦବ, ଖଲିଲ ଅହମ୍ମଦ, ଈଶାନ୍ତ ଶର୍ମା ଓ ନଭ୍‌ଦୀପ୍‌ ସାଇନିଙ୍କ ମଧ୍ୟରୁ ମଧ୍ୟ ଜଣଙ୍କୁ ସୁଯୋଗ ମିଳିପାରେ ବୋଲି ଆକଳନ କରାଯାଉଛି। ବିଶ୍ବକପ୍‌ ବେଳେ କେହି ବି ଆହତ ହେଲେ ତାଙ୍କ ବଦଳ ଖେଳାଳି ପଠାଇବାକୁ ଅଯଥା ସମୟ ଅପଚୟ ନକରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯିବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।

ସୋମବାର ଘୋଷଣା ପୂର୍ବରୁ ଏକ ବିଶ୍ବକପ୍‌ ଦଳ ଆକଳନ କରାଯାଇଛି। ଶୀର୍ଷ କ୍ରମ ପାଇଁ ରୋହିତ ଶର୍ମା, ଶିଖର ଧାୱନ୍‌, ଲୋକେଶ ରାହୁଲ୍‌ ଓ ଅଧିନାୟକ ବିରାଟ କୋହଲି ରହିଥିଲା ବେ‌ଳେ ମହେନ୍ଦ୍ର ସିଂହ ଧୋନି, କେଦାର ଯାଦବ, ହାର୍ଦିକ୍ ପାଣ୍ଡ୍ୟା ଓ ବିଜୟ ଶଙ୍କର ମଧ୍ୟକ୍ରମ ସମ୍ଭାଳିବେ। ବୋଲିଂରେ କୁଲ୍‌ଦୀପ୍‌ ଯାଦବ, ୟୁଜ୍‌ବେନ୍ଦ୍ର ଚହଲ୍‌, ଭୁବନେଶ୍ବର କୁମାର, ଯଶ୍‌ପ୍ରୀତ୍‌ ବୁମ୍‌ରା, ମହମ୍ମଦ ସାମି ଓ ରବୀନ୍ଦ୍ର ଜାଦେଜାଙ୍କ ନାମ ସମ୍ଭାବ୍ୟ ତାଲିକାରେ ରହିଛି। ଅନ୍ୟପକ୍ଷରେ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ତାଙ୍କ ଆକଳନର ବିଶ୍ବକପ୍‌ ଦଳ ଘୋଷଣା କରି ୪ ନଂ ସ୍ଥାନ ପାଇଁ ରାୟୁଡୁଙ୍କୁ ଦାବିଦାର କରିଥିଲା ବେଳେ ଜାଦେଜାଙ୍କ ସ୍ଥାନରେ ଉମେଶ ଯାଦବଙ୍କୁ ଅଗ୍ରାଧିକାର ଦେଇଛନ୍ତି। ହେଲେ ପୂର୍ବତନ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ବୀରେନ୍ଦ୍ର ସେହବାଗ୍‌ ତାଙ୍କ ଆକଳନର ଦଳରେ ରାୟୁଡୁ ଓ ଉମେଶ ଯାଦବଙ୍କୁ ବାଦ୍‌ ଦେଇ ରବୀନ୍ଦ୍ର ଜାଦେଜା ଓ ଋଷଭ ପନ୍ତ୍‌ଙ୍କୁ ସାମିଲ କରିଛନ୍ତି। ଅନ୍ୟତମ ପ୍ରାରମ୍ଭିକ ବ୍ୟାଟ୍‌ସ୍‌ମ୍ୟାନ୍‌ ଗୌତମ ଗମ୍ଭୀର ତାଙ୍କ ଆକଳନର ଦଳରେ ସଞ୍ଜୁ ସାମ୍‌ସନ୍‌, ନଭ୍‌ଦୀପ୍‌ ସାଇନି, ରବିଚନ୍ଦ୍ରନ୍‌ ଅଶ୍ବିନ୍‌ଙ୍କୁ ସ୍ଥାନ ଦେଇ ଉମେଶ ଯାଦବ, ରବୀନ୍ଦ୍ର ଜାଦେଜା ଓ ବିଜୟ ଶଙ୍କରଙ୍କୁ ବାଦ୍‌ ଦେଇଛନ୍ତି। ଗମ୍ଭୀର ୪ ନଂ ପାଇଁ ସଂଜୁ ସାମ୍‌ସନ୍‌ଙ୍କୁ ବାଛିଛନ୍ତି। କିନ୍ତୁ କିମ୍ବଦନ୍ତୀ କ୍ରିକେଟର୍‌ ତଥା ଲିଟିଲ ମାଷ୍ଟର ସୁନିଲ ଗାଭାସ୍କର ତାଙ୍କ ଆକଳନର ବିଶ୍ବକପ୍‌ ଦଳରେ ଲୋକେଶ ରାହୁଲ୍‌ଙ୍କୁ ହିଁ ୪ ନଂରେ ବ୍ୟାଟିଂ ପାଇଁ ବାଛିଛନ୍ତି।

ସମ୍ବନ୍ଧିତ ଖବର