ବିଶ୍ବକପ୍‌ ଯୋଗ୍ୟତା: ଓମାନଠୁ ପୁଣି ହାରିଲା ଭାରତ

ମସ୍କାଟ୍: ବିଶ୍ବକପ୍‌ ଯୋଗ୍ୟତା ପାଇଁ ଖେଳୁଥିବା ଭାରତକୁ ବିଜୟ ମିଳୁନି। ପୂର୍ବରୁ ୪ ମ୍ୟାଚ୍‌ ଖେଳିସାରିଥିବା ଭାରତ ପ୍ରଥମ ମୁକାବିଲାରେ ନିଜଠୁ ଉଚ୍ଚମାନ୍ୟତାପ୍ରାପ୍ତ ଓମାନ ନିକଟରୁ ହାରିଥିଲା। ଏହାପରେ କାତାର, ବାଂଲାଦେଶ ଓ ଆଫଗାନିସ୍ତାନ ସହ ଅମୀମାଂସିତ ରଖି ପଏଣ୍ଟ୍‌ ବାଣ୍ଟିଥିଲା। ଫଳରେ ମଙ୍ଗଳବାର ମୁକାବିଲା ଭାରତ ପାଇଁ ଆଗକୁ ବଢ଼ିବାକୁ ‘କର ବା ମର’ ସଦୃଶ ଥିଲା। ହେଲେ ପ୍ରତିଯୋଗିତାର ପ୍ରଥମ ପ୍ରତିଦ୍ବନ୍ଦ୍ବୀ ଓମାନ ନିକଟରୁ ପୁଣି ହାରିଗଲା। ମଙ୍ଗଳବାର ମ୍ୟାଚ୍‌ରେ ପ୍ରବଳ ଲଢ଼ିବା ସତ୍ତ୍ବେ ଓମାନ ୧-୦ ଗୋଲ୍‌ରେ ଭାରତକୁ ପରାସ୍ତ କରିଦେଲା। ମୋହସିନ୍‌ ଅଲ୍‌ ଘାସାନି ୩୩ ମିନିଟ୍‌ରେ ମ୍ୟାଚ୍‌ର ଏକମାତ୍ର ଗୋଲ୍‌ କରି ଓମାନ ବିଜୟର ନାୟକ ସାଜିଥିଲେ। ଏଥି ସହିତ ୫ ମ୍ୟାଚ୍‌ରୁ ଚତୁର୍ଥ ବିଜୟ ସହ ଓମାନ ମୋଟ ୧୨ ପଏଣ୍ଟ ପାଇ ନିଜ ଦ୍ବିତୀୟ ସ୍ଥାନ ଦୃଢ଼ କରିନେଇଛି। ଓମାନ ଏହା ପୂର୍ବରୁ ବାଂଲାଦେଶ ଓ ଆଫ୍‌ଗାନିସ୍ତାନକୁ ପରାସ୍ତ କରିଥିଲା। ଅନ୍ୟପକ୍ଷରେ ସମାନ ୫ ମ୍ୟାଚ୍‌ ପରେ ବିଜୟ ଶୂନ୍ୟ ରହିଥିବା ଭାରତ ଗ୍ରୁପ୍‌-ଇ’ର ୩ ପଏଣ୍ଟ୍‌ ସହ ଚତୁର୍ଥ ସ୍ଥାନରେ ରହିବାକୁ ବାଧ୍ୟ ହୋଇଛି। ଏହି ଗ୍ରୁପ୍‌ରେ କାତାର ୧୩ ପଏଣ୍ଟ ସହ ତାଲିକାର ଶୀର୍ଷରେ ରହିଛି। ବାଂଲାଦେଶ ପଞ୍ଚମ ତଥା ଶେଷ ସ୍ଥାନରେ ରହିଛି।

ସମ୍ବନ୍ଧିତ ଖବର