ବିଶ୍ୱକପ୍‌ରେ ହୋଇଛି ୨୬

ସୁଟ୍‌ଆଉଟ୍‌ ଉପରେ ସମସ୍ତଙ୍କ ନଜର

ମସ୍କୋ: ମସ୍କୋ ମହାସମରର ନକ୍‌ଆଉଟ୍‌ ପର୍ଯ୍ୟାୟ ଶନିବାରଠାରୁ ଆରମ୍ଭ ହୋଇ ଯାଇଛି। ଏହି ପର୍ଯ୍ୟାୟର ନିର୍ଧାରିତ ସମୟ ସହ ଅତିରିକ୍ତ ସମୟ ପରେ ବି ଯଦି ମ୍ୟାଚ୍‌ ବରାବର ସ୍ଥିତିରେ ରହେ, ତାହାଲେ ପେନାଲ୍ଟି ସୁଟ୍‌ଆଉଟ୍‌ର ସହଯୋଗ ନିଆଯିବ। ଏଭଳି ମ୍ୟାଚ୍‌ର ଫଳାଫଳ ନିର୍ଣ୍ଣୟ କରିବା ଲାଗି ସୁଟଆଉଟ୍‌ ହିଁ ଏକମାତ୍ର ସାହାରା ହେବ। ବିଶ୍ୱକପ୍‌ରେ ପେନାଲ୍ଟି ସୁଟ୍‌ଆଉଟ୍‌ର ଶୁଭାରମ୍ଭ ୧୯୭୮ ମସିହାରେ ହୋଇଥିଲା। ସେବେଠାରୁ ୨୬ ମ୍ୟାଚ୍‌ର ଫଳାଫଳ ନିର୍ଣ୍ଣୟ ଏଥିରେ କରାଯାଇଛି। ବିଶ୍ୱକପ୍‌ ପେନାଲ୍ଟିରେ ମୋଟ ୨୪୦ କିକ୍‌ ଦେଖିବାକୁ ମିଳିଛି। ସେଥିମଧ୍ୟରୁ ୧୭୦ ଗୋଲ୍‌ ହୋଇଥିଲା ବେଳେ ଅବଶିଷ୍ଟ ୭୦ ପ୍ରୟାସରେ ଖେଳାଳିମାନେ ବିଫଳ ହୋଇଛନ୍ତି। ବିଶ୍ୱକପ୍‌ର ପେନାଲ୍ଟି ସୁଟ୍‌ଆଉଟ୍‌ରେ ପ୍ରତି ୧୦ କିକ୍‌ରୁ ୭ ଟିରେ ଗୋଲ୍‌ ହୋଇଛି। ୧୯୭୮ରେ ଆର୍ଜେଣ୍ଟିନାରେ ସୁଟ୍‌ଆଉଟ୍‌କୁ ପ୍ରଥମ ଥର ପାଇଁ ସାମିଲ କରାଯାଇଥିଲେ ମଧ୍ୟ ସେହି ସଂସ୍କରଣରେ ଏହାର ଆବଶ୍ୟକତା ପଡ଼ି ନଥିଲା। ଗୋଲ୍‌ରକ୍ଷକଙ୍କ ବାମ ପଟକୁ ପେନାଲ୍ଟି ପାଇଁ ସବୁଠାରୁ ଉପଯୋଗୀ ସ୍ଥାନ ଭାବେ ବିବେଚନା କରାଯାଏ। ସେହିଭଳି ଏଥିଲାଗି ସବୁଠାରୁ ଖରାପ ସ୍ଥାନ ହେଲା ଗୋଲ୍‌ ପୋଷ୍ଟର ତଳ ଏବଂ ମଧ୍ୟଭାଗ। ୧୯୯୪ରେ ପ୍ରଥମ ଥର ପାଇଁ ପେନାଲ୍ଟି ସୁଟ୍‌ଆଉଟ୍‌ରେ ବିଜେତା ବଛା ହୋଇଥିଲା। ସେଥର ଇଟାଲିକୁ ହରାଇ ବ୍ରାଜିଲ ବିଜେତା ଆଖ୍ୟା ଅର୍ଜନ କରିଥିଲା। ୨୦୦୬ରେ ମଧ୍ୟ ଏହି ପଦ୍ଧତିରେ ଇଟାଲି ବିଜୟୀ ହୋଇଥିଲା। ବିଶ୍ୱକପ୍‌ର ୨୬ ‘ବେଷ୍ଟ ଅଫ୍‌ ଫାଇଭ୍‌ କିକ୍‌’ ମଧ୍ୟରୁ ମାତ୍ର ଦୁଇଟି ସଡନ୍‌ଡେଥ୍‌ରେ ପହଞ୍ଚିଥିଲା। ବିଶ୍ୱକପ୍‌ର ଗତ ୨୦ଟି ସଂସ୍କରଣ ମଧ୍ୟରୁ ୧୯୭୮ରେ ୦, ୧୯୮୨ରେ ୧, ୧୯୮୬ରେ ୩, ୧୯୯୦ରେ ୪, ୧୯୯୪ରେ ୩, ୧୯୯୮ରେ ୩, ୨୦୦୨ରେ ୨, ୨୦୦୬ରେ ୪, ୨୦୧୦ରେ ୨ ଏବଂ ୨୦୧୪ ବ୍ରାଜିଲ ବିଶ୍ୱକପ୍‌ର ୪ ମ୍ୟାଚ୍‌ ପେନାଲ୍ଟି ସୁଟ୍‌ଆଉଟରେ ଫୈସଲା ହୋଇଥିଲା।

ଜର୍ମାନି ସବୁଠୁ ସଫଳ, ଇଂଲଣ୍ଡ ସବୁଠୁ ବିଫଳ
ବିଶ୍ୱକପ୍‌ର ପ୍ରଥମ ସୁଟ୍‌ଆଉଟ୍‌ ୧୯୮୨ ମସିହାରେ ପଶ୍ଚିମ ଜର୍ମାନି-ଫ୍ରାନ୍ସ ସେମିଫାଇନାଲରେ ଦେଖିବାକୁ ମିଳିଥିଲା। ଏହି ମ୍ୟାଚ୍‌କୁ ୫-୪ରେ ଜିତି ଫ୍ରାନ୍ସ ଫାଇନାଲ୍‌ ଯାଇଥିଲା। ସେବେଠାରୁ ଜର୍ମାନି ସଫଳ ଦଳ ଭାବେ ଲଗାତାର ୧୫ ଗୋଲ୍‌ ଦେଇଥିଲା ବେଳେ ସମସ୍ତ ଚାରିଟି ସୁଟ୍‌ଆଉଟ୍‌ରେ ବିଜୟୀ ହୋଇଛି। ଜର୍ମାନି ବିଦାୟ ନେଇ ସାରିଥିବାରୁ ଆର୍ଜେଣ୍ଟିନା ଚଳିତ ବିଶ୍ୱକପ୍‌ର ସଫଳତମ ସୁଟଆଉଟ୍‌ ଦଳ ହୋଇଥିଲା। ସୁଟ୍‌ଆଉଟ୍‌ରେ ୫ ଥର ଅବତୀର୍ଣ୍ଣ ହୋଇ ଏହି ଦଳ ୪ ଥର ସଫଳ ହୋଇଥିଲା। ସେହିଭଳି ବ୍ରାଜିଲ ୪ରୁ ୩, ଫ୍ରାନ୍ସ ୪ରୁ ୨, ପର୍ତୁଗାଲ, ବେଲଜିୟମ, ସ୍ୱିଡେନ୍‌ ଓ ଉରୁଗୁଏ ୧ରୁ ୧, ସ୍ପେନ୍‌ ୩ରୁ ୧, ସ୍ୱିଜରଲାଣ୍ଡ ୧ରୁ ୦, ଜାପାନ ୧ରୁ ୦, ମେକ୍ସିକୋ ୨ରୁ ୦ ଏବଂ ଇଂଲଣ୍ଡର ସଫଳତା ହାର ୩ରୁ ୦ ରହିଛି। ଆର୍ଜେଣ୍ଟିନା ସୁଟ୍‌ଆଉଟରୁ ୧୭ ଗୋଲ୍‌ କରିଛି। ଅନ୍ୟ ପକ୍ଷରେ ୫ ପ୍ରୟାସରେ ବିଫଳ ହୋଇଛି କିମ୍ବା ପ୍ରତିପକ୍ଷକୁ ବିଫଳ କରିଛି। ସୁଟ୍‌ଆଉଟର ଏକମାତ୍ର ପରାଜୟ ସେମାନେ ୨୦୦୬ରେ ଜର୍ମାନି ବିପକ୍ଷରେ ପାଇଥିଲେ।

ସମ୍ବନ୍ଧିତ ଖବର