ବିଶ୍ବକପ୍‌ ‌ଷ୍ଟେଜ୍‌-୩ରେ ଭାରତୀୟ ତୀରନ୍ଦାଜ୍‌ଙ୍କୁ କାଂସ୍ୟ

ଅନ୍ତଲ୍ୟା (ତୁର୍କି): ଏଠାରେ ଚାଲିଥିବା ତୀରନ୍ଦାଜୀ ବିଶ୍ବକପ୍‌ ଷ୍ଟେଜ୍‌-୩ରେ ଭାରତକୁ ଏକମାତ୍ର ପଦକ ଭାବେ କାଂସ୍ୟ ମିଳିଛି। ଶନିବାର ରଜତ ଚୌହାନ୍‌, ଅଭିଷେକ ବର୍ମା ଓ ଅମନ୍‌ ସାଇନିଙ୍କୁ ନେଇ ଗଠିତ ପୁରୁଷ କମ୍ପାଉଣ୍ଡ ଦଳ କାଂସ୍ୟ ପକଦ ପାଇଁ ପ୍ଲେ-ଅଫ୍‌ ମୁକାବିଲାରେ ଉଚ୍ଚ ମାନ୍ୟତା ରୁଷୀୟ ଦଳ (ଆଣ୍ଟନ୍‌ ବୁଲାଏଭ୍‌, ଆଲେକ୍‌ଜାଣ୍ଡର ଦାମ୍‌ବାଏଭ୍‌ ଓ ପାଭେଲ୍‌ କ୍ରି‌‌ଲୋଭ୍‌)କୁ ୨୩୫-୨୩୦ରେ ପରାସ୍ତ କରିଥିଲା। ଫଳରେ ଏହି ବିଶ୍ବକପ୍‌ରେ ଭାରତ କାଂସ୍ୟ ଜରିଆରେ ଏକମାତ୍ର ପଦକ ହାସଲ କରିବାକୁ ସମର୍ଥ ହୋଇଛି। ମହିଳା ଦଳ ନିକଟରେ ଆଉ ଏକ କାଂସ୍ୟ ପଦକ ହାସଲର ସୁଯୋଗ ଥିଲାବେଳେ ଜ୍ୟୋତି ସୁରେଖା ଭେନ୍ନମ, ମୁସ୍‌କାନ କିରାର ଓ ସ୍ବାତୀ ଦୁଧୱାଲ ୨୨୬-୨୨୮ରେ ବ୍ରିଟେନ୍‌ (ଲୟଲା ଆନିସନ୍‌, ଇଲା ଗିବ୍‌ସନ ଓ ଲୁସି ମାସନ୍‌) ନିକଟରୁ ହାରିଯାଇଥିଲେ। ଅନ୍ୟପକ୍ଷରେ ରିକର୍ଭ ବର୍ଗରେ ଭାରତୀୟ ତୀରନ୍ଦାଜ୍‌ମାନେ ପଦକ ହାସଲ କରିବାକୁ ଆଦୌ ସଫଳ ହୋଇନଥିଲେ। ଏଠାରେ ସୂଚନାଯୋଗ୍ୟ, ବିଶ୍ବକପ୍‌ ଷ୍ଟେଜ୍‌-୩ ନେଦରଲାଣ୍ଡ୍‌‌ରେ ଆୟୋଜିତ ହେବାକୁ ଥିବା ବିଶ୍ବ ଚାମ୍ପିଅନ୍‌ସିପ୍‌ ପୂର୍ବରୁ ଅନ୍ତିମ ପ୍ରତିଯୋଗିତା ଥିଲା।

ସମ୍ବନ୍ଧିତ ଖବର