ବିଜୟରୁ ବିଶ୍ବକପ୍‌ ଅଭିଯାନ, ବିଜେତା ଅଷ୍ଟ୍ରେଲିଆକୁ ହରାଇଲା ଭାରତ

ସିଡ୍‌ନି: ବିଶ୍ବ ବିଜେତା ଅଷ୍ଟ୍ରେଲିଆକୁ ପରାସ୍ତ କରି ଭାରତ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିଛି। ଶୁକ୍ରବାର ଏହି ବିଶ୍ବକପ୍‌ର ଉଦ୍‌ଘାଟନୀ ମୁକାବିଲାରେ ଗତଥରର ତଥା ମୋଟ ୪ ଥର ବିଜେତା ଅଷ୍ଟ୍ରେଲିଆକୁ ଭେଟିଥିଲା ଭାରତ। ଏଥିରେ ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ଜରିଆରେ ମେଗ୍‌ ଲାନିଙ୍ଗ୍‌ଙ୍କ ଦଳକୁ ହର୍‌ମନ୍‌ପ୍ରୀତ୍‌ କୌରଙ୍କ ଭାରତୀୟ ଦଳ ୧୭ ରନ୍‌ରେ ପରାସ୍ତ କରିଥିଲା। ଏଥି ସହିତ ପୂରା ୨ ପଏଣ୍ଟ୍‌ ପାଇଁ ଭାରତ ଟ୍ରଫି ହାସଲ ଲକ୍ଷ୍ୟରେ ଆଗକୁ ବଢ଼ିଛି। ଚମତ୍କାର ବୋଲିଂ କରିଥିବା କଚଟି ସ୍ପିନର ପୁନମ୍‌ ଯାଦବ (୪-୦-୧୯-୪) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଭାରତ ତା’ର ପରବର୍ତୀ ମ୍ୟାଚ୍‌ ୨୪ ତାରିଖ ଦିନ ପର୍ଥରେ ବାଂଲାଦେଶ ସହ ଖେଳିବ।

ଶୁକ୍ରବାର ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ ପାଇଁ ଭାରତକୁ ଆମନ୍ତ୍ରଣ କରିଥିଲା। ସେଫାଳି ବର୍ମା (୨୯ ରନ୍‌, ୧୫ ବଲ୍‌, ୫ ଚୌକା, ୧ ଛକା) ଏବଂ ସ୍ମୃତି ମନ୍ଧାନା (୧୦ ରନ୍‌, ୧୧ ବଲ୍‌, ୨ ଚୌକା) ପ୍ରଥମ ୱିକେଟ୍‌ରେ ୪ ଓଭରରୁ ୪୧ ରନ୍ ଆଦାୟ କରି ଦୃଢ଼ ମୁଳଦୂଆ ପକାଇଥିଲେ। ଦୁହେଁ ଦଳକୁ ବଡ଼ ସ୍କୋର୍‌ ଦେବାର ସମ୍ଭାବନା ସୃଷ୍ଟି କରିଥିଲେ ମଧ୍ୟ ଲାଗ ଲାଗ ଦୁଇଟି ଓଭରରେ ପାଭିଲିୟନ୍‌ ଫେରିଯାଇଥିଲେ। ଏଲିସେ ପେରି ଓ ଜେସ୍‌ ଜୋନାସେନ୍‌ ଯଥାକ୍ରମେ ଏହି ଦୁଇ ଜଣଙ୍କୁ ଆଉଟ୍‌ କରି ଭାରତର ରନ୍‌ ଗତିରେ ଅଙ୍କୁଶ ଲଗାଇଥିଲେ। ଏହାର ପର ଓଭରରେ ଅଧିନାୟିକା ହର୍‌ମନ୍‌ପ୍ରୀତ୍‌ କୌର (୨)ଙ୍କୁ ଜୋନାସେନ୍‌ ଦ୍ବିତୀୟ ଶିକାର କରିନେଇଥି‌ଲେ। ତେବେ ଜେମିମା ରୋଦ୍ରିଗ୍ବେଜ (୨୬ ରନ୍‌, ୩୩ ବଲ୍‌), ଦୀପ୍ତି ଶର୍ମା (ଅପରାଜିତ ୪୯ ରନ୍‌, ୪୬ ବଲ୍‌, ୩ ଚୌକା) ଓ ଭେଦା କୃଷ୍ଣମୂର୍ତ୍ତି (ଅପରାଜିତ ୯, ୧୧ ବଲ୍‌)ଙ୍କ ବଳରେ ଭାରତ ନିର୍ଧାରିତ ୨୦ ଓଭରରେ ୪ ୱିକେଟ୍‌ ବିନିମୟରେ ୧୩୨ ରନ୍‌ କରିଥିଲା। ରୋଦ୍ରିଗ୍ବେଜଙ୍କୁ ଡେଲିସା କିମିନ୍‌ସେ ଆଉଟ୍‌ କରିଥିଲେ। ତେବେ ସେ ଆଉଟ୍‌ ହେବା ପୂର୍ବରୁ ଦୀପ୍ତିଙ୍କ ସହ ଚତୁର୍ଥ ୱିକେଟ୍‌ରେ ୫୩ ରନ୍ ଯୋଡ଼ି ସ୍ଥିତି ସୁଧାରି ନେଇଥିଲେ।

ଜବାବରେ ଅଷ୍ଟ୍ରେଲିଆର ଆରମ୍ଭ ଓ ଶେଷ ନିରାଶାଜନକ ଥିଲା। ବିଶେଷକରି ଶିଖା ପାଣ୍ଡେ, ପୁନମ୍‌ ଯାଦବଙ୍କ ଚମତ୍କାର ବୋଲିଂ ସାଙ୍ଗକୁ ଦମ୍‌ଦାର କ୍ଷେତ୍ରରକ୍ଷଣ ଅଷ୍ଟ୍ରେଲିଆର ୯ ଜଣଙ୍କୁ ଏକ ଅଙ୍କ ସ୍କୋର୍‌ ଟପିବାକୁ ଦେଇନଥିଲା। କେବଳ ପ୍ରାରମ୍ଭିକ ବ୍ୟାଟର୍‌ ଆସ୍‌ଲେ ହିଲି (୫୧ ରନ୍‌, ୩୫ ବଲ୍‌, ୬ ଚୌକା, ୧ ଛକା) ଏବଂ ମଧ୍ୟକ୍ରମରେ ଆସ୍‌ଲେ ଗାର୍ଡନର୍‌ (୩୪ ରନ୍‌, ୩୬ ବଲ୍‌, ୩ ଚୌକା, ୧ ଛକା) ଦୁଇ ଅଙ୍କ ଛୁଇଁବା ସହିତ ବେଶ୍‌ କିଛି ସମୟ ଲଢ଼ିଥିଲେ। ଏକ ସମୟରେ ୧୦୧ ରନ୍‌ରେ ୬ ୱିକେଟ୍‌ ହରାଇଥିବା ଅଷ୍ଟ୍ରେଲିଆ ଆଉ ୧୪ ରନ୍‌ ମଧ୍ୟରେ ଅବଶିଷ୍ଟ ୪ ୱିକେଟ୍‌ ହରାଇ ପରାଜୟ ପାଇଁ ବାଧ୍ୟ ହୋଇଥିଲା। ଘରୋଇ ଦଳ ୧୯.୫ ଓଭରରେ ୧୧୫ ରନ୍‌ କରି ସମସ୍ତ ୱିକେଟ୍‌ ହରାଇଥିଲା। ଭାରତ ପକ୍ଷରୁ ପୁନମ୍‌ ୪, ଶିଖା ୩ ଓ ରାଜେଶ୍ବରୀ ଗାଏକ୍ବାଡ ଗୋଟିଏ ୱିକେଟ୍‌ ନେଇଥିଲା ବେଳେ ୨ ଜଣ ରନ୍‌ ଆଉଟ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର