ବନ୍ଧୁକଚାଳନା ବିଶ୍ୱ ପ୍ରତିଯୋଗିତା:ମନୁ, ହୀନା ଫାଇନାଲ୍‌ରୁ ବଞ୍ଚିତ:ଓମ୍‌ ପ୍ରକାଶଙ୍କୁ ସ୍ୱର୍ଣ୍ଣ

ଚାଙ୍ଗ୍‌ଓନ୍‌ (ଦକ୍ଷିଣ କୋରିଆ): ଭାରତୀୟ ବନ୍ଧୁକଚାଳକ ଓମ୍‌ ପ୍ରକାଶ ମିଥରଓ୍ଵାଲ୍‌ ଏଠାରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱ ପ୍ରତିଯୋଗିତାରେ ସ୍ୱର୍ଣ୍ଣିମ ସଫଳତା ପାଇଛନ୍ତି। ଚଳିତ ବର୍ଷ ଗୋଲ୍‌ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଉଭୟ ୧୦ ମିଟର ଏୟାର ପିସ୍ତଲ ଓ ୫୦ ମିଟର ପିସ୍ତଲ ବର୍ଗରେ କାଂସ୍ୟ ପଦକ ଜିତିଥିବା ୨୩ ବର୍ଷ ବୟସ୍କ ଓମ୍‌ ପ୍ରକାଶ ମଙ୍ଗଳବାର ବିଶ୍ୱ ପ୍ରତିଯୋଗିତାରେ ୫୬୪ ସ୍କୋର୍‌ ସହ ଶୀର୍ଷ ସ୍ଥାନରେ ରହି ସ୍ୱର୍ଣ୍ଣ ପଦକ କବ୍‌ଜା କରିଛନ୍ତି। ଏହି ବର୍ଗରେ ସର୍ବିଆର ଦାମିର୍‌ ମିକେକ୍‌ (୫୬୨) ଓ କୋରିଆର ଦାଏମ୍ୟୁଙ୍ଗ୍‌ ଲି (୫୬୦) ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ହାସଲ କରିଛନ୍ତି। ତେବେ ୨୦୧୪ ସଂସ୍କରଣରେ ରୌପ୍ୟ ପଦକ ଜିତିଥିବା ଅନ୍ୟତମ ଭାରତୀୟ ଜିତୁ ରାୟ (୫୫୨) ସପ୍ତଦଶ ସ୍ଥାନରେ ରହି ନିରାଶ କରିଥିଲେ। ସେହିପରି ସମାନ ବର୍ଗରେ ଓମ୍‌ ପ୍ରକାଶ (୫୬୪), ଜିତୁ ରାଏ (୫୫୨) ଓ ମନ୍‌ଜିତ୍‌ (୫୩୨)ଙ୍କୁ ନେଇ ଗଠିତ ଭାରତୀୟ ଦଳ ମୋଟ ୧୬୪୮ ସ୍କୋର୍‌ ସହ ପଞ୍ଚମ ସ୍ଥାନରେ ରହି ପଦକରୁ ବଞ୍ଚିତ ହୋଇଛି। ଏହି ପ୍ରତିଯୋଗିତା ଆଗାମୀ ୨୦୨୦ ଅଲିମ୍ପିକ୍ସ ପାଇଁ ପ୍ରଥମ ଯୋଗ୍ୟତା ପର୍ଯ୍ୟାୟ ରହିଛି। ତେବେ ୨୦୨୦ ଅଲିମ୍ପିକ୍ସରେ ୫୦ ମିଟର ସାମିଲ ନଥିବାରୁ ଏହି ବର୍ଗରୁ କାହାରିକୁ ଯୋଗ୍ୟତା ମିଳିବନି। ଚଳିତ ବିଶ୍ୱ ପ୍ରତିଯୋଗିତାରେ ଭାରତୀୟ ମହିଳା କିନ୍ତୁ ନିରାଶ କରିଛନ୍ତି। ୧୦ ମିଟର ଏୟାର ପିସ୍ତଲ ବର୍ଗରେ ମନୁ ଭାକେର୍‌ (୫୭୪) ଓ ହୀନା ସିଧୁ (୫୭୧) ଯଥାକ୍ରମେ ତ୍ରୟୋଦଶ ଓ ୨୯ତମ ସ୍ଥାନରେ ରହିଥିଲେ। ପୁଣି ଭାକେର୍‌, ସିଧୁ ଓ ସ୍ୱେତା ସିଂହଙ୍କୁ ନେଇ ଗଠିତ ଭାରତୀୟ ଦଳ ମୋଟ ୧୭୧୩ ସ୍କୋର୍‌ କରି ଚତୁର୍ଥ ସ୍ଥାନରେ ଅଭିଯାନ ଶେଷ କରିଛି।
ଅନ୍ୟପକ୍ଷରେ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ହାତେଇଥିବା ଭାରତୀୟ ଯୋଡ଼ି ସୌରଭ ଚୌଧୁରୀ ଓ ଅଭିଜ୍ଞା ପାଟିଲ ଏହି ବିଶ୍ୱ ପ୍ରତିଯୋଗିତାରେ କନିଷ୍ଠ ବର୍ଗରେ ୧୦ ମିଟର ଏୟାର ପିସ୍ତଲରେ ଭାରତକୁ ମିଶ୍ରିତ ଦଳ କାଂସ୍ୟ ପଦକ ଭେଟି ଦେଇଛନ୍ତି। କୋରିଆ ଉଭୟ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିନେଇଛି। ଏବେ ତିନି ପଦକ ଭାରତକୁ ୧୨ ବର୍ଷ ତଳର ପ୍ରଦର୍ଶନକୁ ଟପିଯିବାର ସମ୍ଭାବନା ଦେଇଛି। ୧୨ ବର୍ଷ ତଳେ ଜାଗ୍ରେବ୍‌ ସଂସ୍କରଣରେ ଭାରତ ମୋଟ ୬ ପଦକ ଜିତିଥିଲା। ଚଳିତ ବିଶ୍ୱ ପ୍ରତିଯୋଗିତାରେ ପୂର୍ବରୁ ସୋମବାର ଅଞ୍ଜୁମ୍‌ ମୁଦ୍‌ଗିଲ୍‌ ଓ ଅପୂର୍ବୀ ଚାନ୍ଦିଲା ୧୦ ମିଟର ଏୟାର ରାଇଫଲ୍‌ ବର୍ଗରେ ରୌପ୍ୟ ପଦକ ଜିତି ସାରିଛନ୍ତି।

ସମ୍ବନ୍ଧିତ ଖବର