ବ୍ୟାଡ୍‌ମିଣ୍ଟନ ବିଶ୍ୱ କନିଷ୍ଠ ପ୍ରତିଯୋଗିତାରେ ଭାରତ ଷଷ୍ଠ

ଯୋଗ୍ୟକର୍ତା (ଇଣ୍ଡୋନେସିଆ): ଏଠାରେ ଶେଷ ହୋଇଥିବା ବିଶ୍ୱ କନିଷ୍ଠ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ଭାରତ ଷଷ୍ଠ ସ୍ଥାନରେ ସନ୍ତୁଷ୍ଟ ରହିଛି। ଗ୍ରୁପ୍‌ ପର୍ଯ୍ୟାୟରେ ଅପରାଜେୟ ରହିଥିବା ଭାରତ କ୍ୱାର୍ଟର ଫାଇନାଲ୍‌ରେ ମାଲେସିଆ ନିକଟରୁ ହାରିଯାଇଥିଲା। ତେବେ ପଞ୍ଚମ ଓ ଷଷ୍ଠ ସ୍ଥାନ ପାଇଁ ମୁକାବିଲାରେ ଦ୍ୱିତୀୟ ମାନ୍ୟତା ଇଣ୍ଡୋନେସିଆ ନିକଟରୁ ୧-୩ରେ ହାରି ଷଷ୍ଠ ସ୍ଥାନରେ ଅଭିଯାନ ଶେଷ କରିଛି। ମିଶ୍ରିତ ଯୁଗଳରେ ଧ୍ରୁବ କପିଲା-ରୁତୁପର୍ଣ୍ଣା ପଣ୍ଡା ୧୧-୨୧ ଓ ୬-୨୧ରେ ସିତି ଫଦିଆ ସିଲ୍‌ଭା ରାମଧାନ୍ତି-ରିନୋଭ ରିଭାଲ୍‌ଡିଙ୍କ ନିକଟରୁ ଏବଂ କାର୍ତିକେୟ ଗୁଲ୍‌ସନ୍‌ କୁମାର ପୁରୁଷ ଏକକରେ ଲକ୍ଷ୍ମଣ ଲିଓନାର୍ଡେର ରୁମ୍ବେଙ୍କଠୁ ୧୬-୨୧ ଓ ୨୦-୨୨ରେ ହାରି ଯାଇଥିଲା ବେଳେ ପୁରୁଷ ଯୁଗଳରେ କୃଷ୍ଣ ପ୍ରସାଦ ଗାରଗେ-ଧ୍ରୁବ ୨୪-୨୨, ୨୩-୨୧ରେ ପରାସ୍ତ କରି ଆଶା ଦେଇଥିଲେ ମଧ୍ୟ ଆକର୍ଷି କାଶ୍ୟପ ୨୨-୨୪ ଓ ୨୧-୨୩ରେ ଜର୍ଜିଆ ତୁନ୍‌ଜୁଙ୍ଗ୍‌ଙ୍କଠୁ ହାରି ଭାରତକୁ ନିରାଶ କରିଥିଲେ। ପଦକରୁ ବଞ୍ଚିତ ହୋଇଥିଲେ ମଧ୍ୟ ଭାରତ ୨୦୧୫ ତୁଳନାରେ ଦୁଇଟି ସ୍ଥାନ ଉଚ୍ଚରେ ଅଭିଯାନ ଶେଷ କରି ସାନ୍ତ୍ୱନା ପାଇଛି। ୨୦୧୫ରେ ଭାରତ ଅଷ୍ଟମ ସ୍ଥାନ ପାଇଥିଲା ବେଳେ ସର୍ବଶ୍ରେଷ୍ଠ ପ୍ରଦର୍ଶନ (ଚତୁର୍ଥ) ୨୦୦୮ରେ ପାଇଥିଲା।

 

ସମ୍ବନ୍ଧିତ ଖବର