ସତ୍ୟପୀରଙ୍କ ଦ୍ୱିତୀୟ ବିଶ୍ୱ କୀର୍ତ୍ତିମାନ

ପୁଣି ଥରେ ଗିନିଜ୍ ବୁକ୍ ରେକର୍ଡ ଭାଙ୍ଗିଲେ

ଭୁବନେଶ୍ୱର : ବହୁମୂଖୀ ପ୍ରତିଭା ସତ୍ୟପୀର ପଧାନ ଆଉ ଏକ ବିଶ୍ବ କୀର୍ତ୍ତିମାନ କରିଛନ୍ତି। ଗୁରୁବାର ସେ ଗୋଟିଏ ହାତରେ ଏକ କିଲୋଗ୍ରାମ ଓଜନର ଡମ୍ବଲ ଧରି ଗୋଟିଏ ମିନିଟ୍‌ରେ ସର୍ବାଧିକ ସଂଖ୍ୟକ ମୁଥ ମାରିବାର ନିଆରା କୀର୍ତ୍ତିମାନ କରିଛନ୍ତି। ସତ୍ୟପୀର ଗିନିଜ୍ ବୁକ୍‌ ଅଫ୍ ରେକର୍ଡସ ଧାର୍ଯ୍ୟ କରିଥିବା ୨୬୦ ମୁଥ ଲକ୍ଷ୍ୟକୁ ସହଜରେ ଟପି ଏହି କୀର୍ତ୍ତିମାନକୁ ନିଜ ନାଁରେ କରି ନେଇଛନ୍ତି। ଏକ ମିନିଟ୍‌ର ଅବଧିରେ ସେ ୩୧୨ ମୁଥ ମାରିଥିଲେ। ପୂର୍ବରୁ ସତ୍ୟପୀର ଗୋଟିଏ ମିନିଟ୍‌ରେ ଗୋଟିଏ ହାତରେ ସର୍ବାଧିକ ସଂଖ୍ୟକ ମୁଥ ମାରିବାର କୀର୍ତିମାନକୁ ଭାଙ୍ଗି ସାରିଛନ୍ତି। ଏହି କୀର୍ତ୍ତିମାନ ପାକିସ୍ତାନର ମହମ୍ମଦ ରସିଦଙ୍କ ନାଁରେ ଥିଲା। ହେଲେ ଗତବର୍ଷ ଜୁନ୍ ମାସରେ ସତ୍ୟପୀର ଏହାକୁ ଭାଙ୍ଗି ଗିନିଜ୍ ବୁକ୍ ଅଫ୍ ରେକର୍ଡସରେ ନିଜ ନାମକୁ ଲିପିବଦ୍ଧ କରି ନେଇଥିଲେ। ରସିଦ ଏକ ମିନିଟରେ ୩୭୭ ମୁଥ ମାରିଥିଲା ବେଳେ ସତ୍ୟପୀର ୩୯୩ ମୁଥ ମାରି ତାଙ୍କୁ ପଛରେ ପକାଇ ଦେଇଥିଲେ।
ଗୁରୁବାର ଜୟଦେବ ଭବନରେ କରିଥିବା ପ୍ରୟାସରେ ସତ୍ୟପୀର ଏହି ଦ୍ବିତୀୟ ଗିନିଜ୍ ବୁକ୍ ଅଫ୍ ରେକର୍ଡସ ନିଜ ନାଁରେ କରିଥିଲେ। ତେବେ ଏହାକୁ ଆନୁଷ୍ଠାନିକ ସ୍ବୀକୃତି ମିଳିବାକୁ ଅନ୍ୟୁନ ଦୁଇ ସପ୍ତାହ ସମୟ ଲାଗିବ। ଭିଡିଓ ଫୁଟେଜ୍ ଏବଂ ଅନ୍ୟାନ୍ୟ ପ୍ରମାଣ ମିଳିବା ପରେ ଗିନିଜ୍ ବୁକ୍ ଅଫ୍‌ ରେକର୍ଡସ ପକ୍ଷରୁ ତାଙ୍କୁ ଏହାର ପ୍ରମାଣପତ୍ର ଜାରି କରାଯିବ। ସାମରିକ କଳା ସହ ପବର୍ତାରୋହଣରେ ରୁଚି ରଖିଥିବା ସତ୍ୟପୀର ସଂପ୍ରତି ହାଇଟେକ୍ ମେଡିକାଲ ହସ୍ପିଟାଲ ଆଣ୍ଡ କଲେଜରେ ଏମପିଟି କରୁଛନ୍ତି। ତା’ ସହିତ ସେ ମଧ୍ୟ ଛୋଟ ଛୋଟ ପିଲାମାନଙ୍କୁ ନିଃଶୁକ୍ଳ ସାମରିକ କଳା ଶିକ୍ଷା ପ୍ରଦାନ କରୁଛନ୍ତି। ବିଭିନ୍ନ କାରଣ ପାଇଁ କଳାହାଣ୍ଡିର ଭାବମୂର୍ତି ଭଲ ନାହିଁ। ଏହି କୀର୍ତ୍ତିମାନ ଜରିଆରେ ବିଶ୍ବ ଦରବାରରେ ଥିବା ମୋ ଜିଲ୍ଲାର ଥିବା ସେହି ଭାବମୂର୍ତିକୁ ବଦଳାଇବାକୁ ଚାହୁଁଛି ବୋଲି ସତ୍ୟପୀର କହିଛନ୍ତି।

ଏହି ଅବସରରେ ପ୍ରଶିକ୍ଷିତ ଟାଇମ୍ କିପରଙ୍କ ସହ ଅନ୍ତର୍ଜାତୀୟ ଖ୍ୟାତି ସ˚ପନ୍ନ ବିଶେଷଜ୍ଞ ସେନସାଇ ସୁଧୀର କୁମାର ଚତ୍ରିଆ, ହାଇଟେକ୍ ମେଡିକାଲ କଲେଜର ବରିଷ୍ଠ ଅଧିକାରୀ, ପ୍ରାୟୋଜକ ୱେଲନେସ୍ ସଂସ୍ଥା ଏବଂ ଅନୁପମା ଗ୍ରୁପର ପ୍ରତିନିଧି ଉପସ୍ଥିତ ଥି‌େଲ। ସୂଚନାଯୋଗ୍ୟ ଯେ ସତ୍ୟପୀର କଳାହାଣ୍ତି ଜିଲ୍ଲାର ଭବାନୀ ପାଟଣା ସହର ନିକଟସ୍ଥ ଦେପୁର ଗ୍ରାମର ଅନିରୁଦ୍ଧ ଏବ˚ ଶକୁନ୍ତଳା ପ୍ରଧାନଙ୍କ ଏକମାତ୍ର ପୁଅ।

ସମ୍ବନ୍ଧିତ ଖବର