ଦିନିକିଆରେ ବିଶ୍ୱ କୀର୍ତିମାନ

ପ୍ରଥମ ଓ୍ଵିକେଟ୍‌ ଭାଗୀଦାରିରେ ୩୦୪ ରନ୍‌: ଇମାମ୍‌ ୧୧୩, ଜମନ୍‌ ୨୧୦*

ବୁଲାଓ୍ଵାୟୋ: ଗୋଟିଏ ବିଶ୍ୱ କୀର୍ତିମାନ ସାଙ୍ଗକୁ ଦୁଇଟି ପାକିସ୍ତାନୀ କିର୍ତିମାନ ବଳରେ ଶୁକ୍ରବାର ଖେଳାଯାଇଥିବା ଚତୁର୍ଥ ଦିନିକିଆରେ ଘରୋଇ ଜିମ୍ବାେଓ୍ଵକୁ ୨୪୪ ରନ୍‌ରେ ପରାସ୍ତ କରି ପାକିସ୍ତାନ ୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ୪-୦ର ଅଗ୍ରଣୀ ପାଇଯାଇଛି। ଅପରାଜିତ ଦ୍ୱିଶତକୀୟ ପାଳି ଖେଳିଥିବା ଫକର୍‌ ଜମନ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଦୁଇ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଇମାମ୍‌ ଉଲ୍‌ ହକ୍‌ ଓ ଫକର୍‌ ଜମନ୍‌ ପ୍ରଥମ ଓ୍ଵିକେଟ୍‌ରେ ୩୦୪ ରନ୍‌ ଯୋଡ଼ିଥିଲେ। ଯାହାଦ୍ୱାରା ବିଶ୍ୱ କୀର୍ତିମାନ ପ୍ରତିଷ୍ଠା ହୋଇଥିଲା। ପୂର୍ବରୁ ଏହି କୀର୍ତିମାନ ସିଂହଳୀ ଯୋଡ଼ି ଉପୁଲ ତରଙ୍ଗା ଓ ସନତ୍‌ ଜୟସୂରିଆଙ୍କ ନାମରେ ରହିଥିଲା। ସିଂହଳୀ ଯୋଡ଼ି ୨୦୦୬ ଜୁଲାଇ ୧ ତାରିଖରେ ଇଂଲଣ୍ଡ ବିପକ୍ଷ ଲିଡ୍‌ସ ଦିନିକିଆରେ ୨୮୬ ରନ୍‌ର ଭାଗୀଦାରି ପାଇଥିଲେ। ଯାହାକି ଆଜି ପର୍ଯ୍ୟନ୍ତ ଅତୁଟ ରହିଥିଲା। ଶୁକ୍ରବାର ଜିମ୍ବାେଓ୍ଵ ବିପକ୍ଷ ଚତୁର୍ଥ ଦିନିକିଆରେ ପ୍ରଥମ ଓ୍ଵିକେଟ୍‌ ଭାଗୀଦାରିରେ ୨୧୦ ରନ୍‌ କରି ଅପରାଜିତ ରହିଥିବା ଫକର୍‌ ଜମନ୍‌ ପାକିସ୍ତାନର ପ୍ରଥମ ବ୍ୟାଟ୍‌ସମ୍ୟାନ୍‌ ଭାବେ ଦ୍ୱିଶତକ ହାସଲ କରିବାର କୀର୍ତିମାନ ପାଇଲେ। ଏକ୍ଷେତ୍ରରେ ଜମନ୍‌ ମଧ୍ୟ ଭାରତର ରୋହିତ ଶର୍ମା (୨୬୪), ନ୍ୟୁଜିଲାଣ୍ଡ୍‌ର ମାର୍ଟିନ୍‌ ଗପ୍ଟିଲ (୨୩୭*), ଭାରତର ବୀରେନ୍ଦ୍ର ସେହବାଗ୍‌ (୨୧୯) ଏବଂ େଓ୍ଵଷ୍ଟଇଣ୍ଡିଜ୍‌ର କ୍ରିସ୍‌ ଗେଲ୍‌ (୨୧୫)ଙ୍କ ପରେ ପଞ୍ଚମ ବ୍ୟାଟ୍‌ସମ୍ୟାନ୍‌ ଭାବେ ଦିନିକିଆରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‌ କରିବା ତାଲିକାରେ ଯୋଡ଼ି ହୋଇଯାଇଥିଲା ବେଳେ ଷଷ୍ଠ ବ୍ୟାଟ୍‌ସମ୍ୟାନ୍‌ ଭାବେ ଦିନିକିଆ ଆନ୍ତର୍ଜାତିକ ଦ୍ୱିଶତକ ହାସଲ ତାଲିକାରେ ସାମିଲ ହେଲେ। ରୋହିତ ଶର୍ମା ଏକା ତିନି ଥର ଏଭଳି ସଫଳତା ହାତେଇଥିଲା ବେଳେ ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର (୨୦୦*) ମଧ୍ୟ ପୂର୍ବରୁ ଏହି ତାଲିକାରେ ରହିଛନ୍ତି। ହେଲେ ଦିନିକିଆ ଆନ୍ତର୍ଜାତିକ ଇତିହାସରେ ଏପର୍ଯ୍ୟନ୍ତ କୌଣସି ବି ପାକିସ୍ତାନୀ ବ୍ୟାଟ୍‌ସମ୍ୟାନ୍‌ ଦ୍ୱିଶତକ ଜମାଇ ପାରିନଥିଲେ। ୧୯୯୭ ମେ ୨୧ ତାରିଖ ଚେନ୍ନାଇ ମ୍ୟାଚ୍‌ରେ ଭାରତ ବିପକ୍ଷରେ ସଇଦ୍‌ ଅନ୍‌ଓ୍ଵର କରିଥିବା ୧୯୪ ରନ୍‌ ପାକିସ୍ତାନୀ ବ୍ୟାଟ୍‌ସମ୍ୟାନ୍‌ ଭାବେ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‌ ରହିଥିଲା।

ଅନ୍ୟପକ୍ଷରେ ଇମାମ୍‌ ଉଲ୍‌ ହକ୍‌ (୧୧୩) ଓ ଫକର୍‌ ଜମନ୍‌ (୨୧୦*)ଙ୍କ ୩୦୪ ରନ୍‌ ଭାଗୀଦାରି ବଳରେ ଟସ୍‌ ଜିିତି ପ୍ରଥମେ ବ୍ୟାଟିଂ ନେଇଥିବା ପାକିସ୍ତାନ ୧ ଓ୍ଵିକେଟ୍‌ ବିନିମୟରେ କରିଥିଲା ୩୯୯ ରନ୍‌। ଯାହାକି ପାକିସ୍ତାନର ସର୍ବୋଚ୍ଚ ଦିନିକିଆ ଆନ୍ତର୍ଜାତିକ ସ୍କୋର୍‌ ଥିଲା। ଏହା ପୂର୍ବରୁ ୨୦୧୦ ଜୁନ୍‌ ୨୧ ତାରିଖରେ ବାଂଲାଦେଶ ବିପକ୍ଷ ଦାମ୍ବୁଲା ଦିନିକିଆରେ ୩୮୫/୭ ପାକିସ୍ତାନର ସର୍ବୋଚ୍ଚ ଦଳଗତ ସ୍କୋର୍‌ ଥିଲା। ଶୁକ୍ରବାର ବୁଲାଓ୍ଵାୟୋରେ ସର୍ବୋଚ୍ଚ ଦଳଗତ ସ୍କୋର୍‌ କରିବାରେ ପାକିସ୍ତାନ ପାଇଁ ଆସିଫ୍‌ ଅଲ୍ଲୀ (୫୯*)ଙ୍କ ଅପରାଜିତ ଅର୍ଧଶତକ ମଧ୍ୟ ମହତ୍ୱପୂର୍ଣ୍ଣ ଅବଦାନ ରଖିଥିଲା। ଇମାମ୍‌ ଉଲ୍‌ ହକ୍‌ ୧୨୨ ବଲ୍‌ରୁ ୮ ଚୌକା ବଳରେ ୧୧୩ ରନ୍‌ ସଂଗ୍ରହ କରିଥିଲା ବେଳେ ଫକର୍‌ ଜମନ୍‌ ୧୫୬ ବଲ୍‌ରୁ ୨୪ ଚୌକା ଓ ୫ ଛକା ସହାୟତାରେ ୨୧୦ ରନ୍‌ କରି ଅପରାଜିତ ରହିଥିଲେ। ଆସିଫ୍‌ ୨୨ ବଲ୍‌ରୁ ୫ ଚୌକା ଓ ୩ ଛକା ମାରି ଅପରାଜିତ ୫୦ ରନ୍‌ କରିଥିଲେ। ଜମନ୍‌ଙ୍କ ସହ ଆସିଫ୍‌ ଅବିଭାଜିତ ଦ୍ୱିତୀୟ ଓ୍ଵିକେଟ୍‌ରେ ୮ ଓଭରରୁ ୯୫ ରନ୍‌ ଆଦାୟ କରିଥିଲେ। ଜମନ୍‌ଙ୍କର ଏହା ଥିଲା ବ୍ୟକ୍ତିଗତ ତୃତୀୟ ଦିନିକିଆ ଶତକ। ଜବାବରେ ପାକିସ୍ତାନର ବିରାଟ ସ୍କୋର୍‌କୁ ପିଛା କରିବାକୁ ଯାଇ ଘରୋଇ ଜିମ୍ବାେଓ୍ଵ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ନିୟମିତ ଅନ୍ତରାଳରେ ଓ୍ଵିକେଟ୍‌ ହରାଇ ଘରୋଇ ଦଳ ୪୨.୪ ଓଭରରେ ୧୫୫ ରନ୍‌ କରି ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ତିରିପାନୋ ୪୪ ଓ ଚିଗୁମ୍ବୁରା ୩୭ ରନ୍‌ କରିଥିଲା ବେଳେ ସାଦବ୍‌ ଖାନ୍‌ ସଫଳ ପାକିସ୍ତାନୀ ବୋଲର ଭାବେ ୪ ଓ୍ଵିକେଟ୍‌ ନେଇଥିଲେ।

ସଂକ୍ଷିପ୍ତ ସ୍କୋର୍‌: ପାକିସ୍ତାନ ପାଳି: ୫୦ ଓଭରରେ ୩୯୯/୧ (ଇମାମ୍‌ ଉଲ୍‌ ହକ୍‌-୧୧୩, ଫକର୍‌ ଜମନ୍‌-୨୧୦*, ଆସିଫ୍‌ ଅଲ୍ଲୀ-୫୦*, େଓ୍ଵଲିଂଟନ୍‌ ମାସାକାଜା-୧/୭୮)। ଜିମ୍ବାେଓ୍ଵ ପାଳି: ୪୨.୪ ଓଭରରେ ୧୫୫ (ତିରିପାନୋ-୪୪, ଚିଗୁମ୍ବୁରା-୩୭, ସାଦବ୍‌ ଖାନ୍‌-୪/୨୮, ଫହିମ୍‌ ଅସ୍ରଫ୍‌-୨/୧୬, ଉସ୍‌ମାନ ଖାନ୍‌-୨/୨୩)।

ସମ୍ବନ୍ଧିତ ଖବର