ବିଶ୍ୱ କୀର୍ତିମାନ ଧାରା ଲମ୍ବିଲା: ଦିନିକିଆରେ ତୃତୀୟ ଦ୍ୱିଶତକ

ମୋହଲି (ଚଣ୍ଡୀଗଡ଼): ରୋହିତ ଶର୍ମା ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍‌ରେ ନିଜ ନାମରେ ଥିବା ବିଶ୍ୱ କୀର୍ତିମାନ ପୃଷ୍ଠାରେ ଆଉ ଏକ ଅଧ୍ୟାୟ ଯୋଡ଼ିଛନ୍ତି। ଦିନିକିଆ କ୍ରିକେଟ୍‌ରେ ରଥୀ ମହାରଥୀମାନେ ଯାହା ଏପର୍ଯ୍ୟନ୍ତ କରିପାରିନଥିଲେ ରୋହିତ କରି ଦେଖାଇ ଦେଇଛନ୍ତି। ଦିନିକିଆରେ କୌଣସି ବି ବ୍ୟାଟ୍‌ସମ୍ୟାନ୍‌ ଗୋଟିଏରୁ ଅଧିକ ଦ୍ୱିଶତକ ଜମାଇବାରେ ସମର୍ଥ ହେଉନଥିଲା ବେଳେ ୨୦୧୪ ଶ୍ରୀଲଙ୍କା ବିପକ୍ଷ କୋଲ୍‌କାତା ମ୍ୟାଚ୍‌ରେ ଦ୍ୱିତୀୟ ଦ୍ୱିଶତକ ହାସଲ କରି ରୋହିତ ପ୍ରଥମେ ବିଶ୍ୱ କୀର୍ତିମାନ ନିଜ ନାମକୁ ନେଇଯାଇଥିଲେ। ପୁଣି ବୁଧବାର ସେହି ଶ୍ରୀଲଙ୍କା ବିପକ୍ଷରେ ଆଉ ଏକ ଦ୍ୱିଶତକ ହାସଲ କରି ବ୍ୟକ୍ତିଗତ ତୃତୀୟ ସହ ବିଶ୍ୱ କୀର୍ତିମାନକୁ ଅପହଞ୍ଚ ଦୂରରେ ପହଞ୍ଚାଇ ଦେଇଛନ୍ତି। ବୁଧବାର ମୋହାଲିର ପଞ୍ଜାବ କ୍ରିକେଟ୍‌ ସଂଘ (ପିସିଏ)ର ଆଇଏସ୍‌ ବିନ୍ଦ୍ରା ଷ୍ଟାଡିୟମ୍‌ରେ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ଅବସରରେ ସେ ଦ୍ୱିଶତକ ଜମାଇବା ପରେ କୀର୍ତିମାନ ପୁସ୍ତକରେ ନିଜ ନାମକୁ ପୁଣି ଥରେ ଯୋଡ଼ି ଦେଇଛନ୍ତି। ଏହା ପୁଣି ରୋହିତଙ୍କ ୩ ଦ୍ୱିଶତକ ମଧ୍ୟରୁ ଶ୍ରୀଲଙ୍କା ବିପକ୍ଷରେ ଦ୍ୱିତୀୟ। ରୋହିତ ୧୫୩ ବଲ୍‌ରୁ ୧୩ ଚୌକା ଓ ୧୨ ଛକା ସହାୟତାରେ ୨୦୮ ରନ୍‌ର ଅପରାଜିତ ପାଳି ଖେଳି ଭାରତ ସ୍କୋର୍‌କୁ ୩୯୨ରେ ପହଞ୍ଚାଇଥିଲେ। ଏହା ଥିଲା ରୋହିତଙ୍କର ତୃତୀୟ ଦିନିକିଆ ଦ୍ୱିଶତକ। ଫଳରେ ଭାରତର ଏହି ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଏକମାତ୍ର ଖେଳାଳି ଭାବେ ଦିନିକିଆ ଆନ୍ତର୍ଜାତିକ କ୍ରିକେଟରେ ୩ ଦ୍ୱିଶତକ ହାସଲ କରି ନିଜର ବିଶ୍ୱ କୀର୍ତିମାନ ଧାରା ଆଗକୁ ବଢ଼ାଇଛନ୍ତି। ୨୦୧୩ ମସିହା ନଭେମ୍ବର ୨ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷ ବେଙ୍ଗାଲୁରୁ ଦିନିକିଆରେ ୨୦୯ ରନ୍‌ ରୋହିତଙ୍କ ପାଇଁ ଦିନିକିଆ ଆନ୍ତର୍ଜାତିକରେ ପ୍ରଥମ ଦ୍ୱିଶତକ ଥିଲା। ଏହାର ଗୋଟିଏ ବର୍ଷ ପରେ ୨୦୧୪ ନଭେମ୍ବର ୧୩ ତାରିଖରେ ଶ୍ରୀଲଙ୍କା ବିପକ୍ଷ କୋଲ୍‌କାତା ଦିନିକିଆରେ ୨୬୪ ରନ୍‌ ରୋହିତଙ୍କ ବ୍ୟକ୍ତିଗତ ସର୍ବାଧିକ ସ୍କୋର୍‌ର କୀର୍ତିମାନ ପାଇଥିଲା। ଏଥ ସହିତ ଦୁଇଟି ଦ୍ୱିଶତକ ହାସଲ କରିବାରେ ରୋହିତ ବିଶ୍ୱ କୀତିମାନ ପ୍ରତିଷ୍ଠା କରିଥିଲେ। ତାଙ୍କର ୨୬୪ ରନ୍‌ ପୂର୍ବରୁ ଦିକିକିଆରେ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର୍‌ କୀର୍ତିମାନ ନ୍ୟୁଜିଲାଣ୍ଡ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ମାର୍ଟିନ୍‌ ଗପ୍ଟିଲ (୨୩୭*)ଙ୍କ ନାମରେ ଥିଲା।

ଏହି କୀର୍ତିମାନକୁ କାଟିବା ସହିତ ରୋହିତ ମଧ୍ୟ ଦିନିକିଆ ଆନ୍ତର୍ଜାତିକରେ ଦୁଇଟି ଦ୍ୱିଶତକ ଜମାଇବାରେ ପ୍ରଥମ ଖେଳାଳି ହୋଇଥିଲେ। ଏବେ ରୋହିତଙ୍କ ତୃତୀୟ ଦ୍ୱିଶତକ ଦିନିକିଆ ଆନ୍ତର୍ଜାତିକରେ ତାଙ୍କ ନାମକୁ ବହୁ ଉପରକୁ ନେଇଯାଇଛି। ଦିନିକିଆରେ ଏପର୍ଯ୍ୟନ୍ତ ମୋଟ ୭ ଦ୍ୱିଶତକ ଦେଖିବାକୁ ମିଳିଥିଲା ବେଳେ ସେଥିରୁ ଏକା ରୋହିତଙ୍କ ନାମରେ ୩ ରହିଲା। ଦିନିକିଆରେ ଦ୍ୱିଶତକ ଜମାଇବାରେ ସେ ମଧ୍ୟ ତୃତୀୟ ଭାରତୀୟ ହୋଇଛନ୍ତି। ଅବଶିଷ୍ଟ ୪ଟି ଦ୍ୱିଶତକ ମଧ୍ୟରୁ ଦୁଇଟି ଭାରତୀୟ ତାରକା ସଚିନ୍‌ ତେନ୍ଦୁଲକର (୨୦୦* ବନାମ ଦକ୍ଷିଣ ଆଫ୍ରିକା, ୨୦୧୦ ମସିହା, ଗ୍ଵାଲିଅର୍‌) ଓ ବୀରେନ୍ଦ୍ର ସେହବାଗ୍‌ (୨୧୯ ବନାମ େଓ୍ଵଷ୍ଟଇଣ୍ଡିଜ୍‌, ୨୦୧୧ ମସିହା, ଇନ୍ଦୋର)ଙ୍କ ନାମରେ ଥିଲା ବେଳେ ଅବଶିଷ୍ଟ ଦୁଇଟି ଗପ୍ଟିଲ (୨୩୭* ବନାମ େଓ୍ଵଷ୍ଟଇଣ୍ଡିଜ୍‌, ୨୦୧୫ ମସିହା, େଓ୍ଵଲିଂଟନ୍‌) ଏବଂ େଓ୍ଵଷ୍ଟଇଣ୍ଡିଜ୍‌ ତାରକା କ୍ରିସ୍‌ ଗେଲ୍‌ (୨୧୫ ବନାମ ଜିମ୍ବାେଓ୍ଵ, ୨୦୧୫ ମସିହା, କାନ୍‌ବେରା)ଙ୍କ ନାମରେ ରହିଛି। ହେଲେ ଏମାନଙ୍କ ମଧ୍ୟରୁ କେହି ବି ଏକରୁ ଅଧିକ ଦ୍ୱିଶତକ ହାସଲ କରିବାରେ ସମର୍ଥ ହୋଇନଥିଲା ବେଳେ ରୋହିତ ଏକାକି ୩ ଦ୍ୱିଶତକ ଜମାଇ ସାରିଲେଣି। ଅନ୍ୟପକ୍ଷରେ ରୋହିତଙ୍କ ଅପରାଜିତ ୨୦୮ ରନ୍‌ ମଧ୍ୟ ଜଣେ ଅଧିନାୟକ ଭାବେ ଦ୍ୱିତୀୟ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‌ର କୀର୍ତିମାନ ପାଇଛି। ୨୦୧୧ ମସିହା ଇନ୍ଦୋରରେ େଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷ ସେହବାଗ୍‌ଙ୍କ ୨୧୯ ରନ୍‌ ଏବେ ବି ଅତୁଟ କୀର୍ତିମାନ ହୋଇ ରହିଛି। ଇନ୍ଦୋର ମ୍ୟାଚ୍‌ରେ ସେହବାଗ୍‌ ଭାରତୀୟ ଦଳର ନେତୃତ୍ୱ ନେଇଥିଲା ଏବେ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ବୁଧବାର ମୋହଲିରେ ରୋହିତ ମଧ୍ୟ ଭାରତୀୟ ଦଳର ନେତୃତ୍ୱ ନେଇଛନ୍ତି।

୩୭ ବଲ୍‌ରୁ ଶେଷ ୧୦୦

 

ରୋହିତ ତାଙ୍କ ୨୦୮ ରନ୍‌ ଅପରାଜିତ ପାଳିର ଅଧାରୁ ଅଧିକ ରନ୍‌ ଭାରତୀୟ ପାଳିର ଶେଷ ୧୦ ଓଭରରେ ହାସଲ କରିଥିଲେ। ୪୦ତମ ଓଭରରେ ଶତକ ପୂରଣ କରିବା ପରେ ମାତ୍ର ୩୭ ବଲ୍‌ରୁ ବିସ୍ଫୋରକ ବ୍ୟାଟିଂ ସହ ଆଉ ୧୦୭ ରନ୍‌ ସଂଗ୍ରହ କରି ନେଇଥିଲେ। ୧୦୦ ରନ୍‌ ଭିତରେ ମାତ୍ର ଗୋଟିଏ ଛକା ମାରିଥିବା ରୋହିତ ପରବର୍ତୀ ସମୟରେ ୧୧ ଛକା ମରିଥିଲେ। ନିଜ କୀର୍ତ୍ତିିମାନଭରା ପାଳିର ୭୦ରୁ ଅଧିକ ପ୍ରତିଶତକ ରନ୍‌ ସେ ଛକା ଓ ଚୌକାରୁ ସଂଗ୍ରହ କରିଥିଲେ। ସେଥିମଧ୍ୟରେ ରହିଥିଲା ୧୩ ଚୌକା ଏବଂ ୧୨ ଛକା। ତାଙ୍କ ପାଇଁ ଭାରତ ଶେଷ ୧୦ ଓଭରରୁ ୧୪୭ ରନ୍‌ ସଂଗ୍ରହ କରି ନେଇଥିଲା।

ସମ୍ବନ୍ଧିତ ଖବର