ବିଶ୍ୱ ବନ୍ଧୁକଚାଳନା: ଆଉ ୨ ସ୍ୱର୍ଣ୍ଣ ସହ ଭାରତକୁ ୨୪ ପଦକ

ଚାଙ୍ଗ୍‌ଓନ୍‌ (ଦକ୍ଷିଣ କୋରିଆ): ବନ୍ଧୁକଚାଳନା ବିଶ୍ୱ ପ୍ରତିଯୋଗିତାରେ ଭାରତ ଗୁରୁବାର ଆଉ ୨ ସ୍ୱର୍ଣ୍ଣ ପଦକ ହାସଲ କରିଛି। କନିଷ୍ଠ ବନ୍ଧୁକଚାଳକ ଉଦୟବୀର ସିଂହ ପୁରୁଷ ୨୫ ମିଟର ପିସ୍ତଲ ବର୍ଗରେ ବ୍ୟକ୍ତିଗତ ସ୍ୱର୍ଣ୍ଣ ଜିତିଥିଲା ବେଳେ ଦଳଗତ ବର୍ଗରେ ମଧ୍ୟ ଭାରତକୁ ସ୍ୱର୍ଣ୍ଣ ମିଳିଛି।  ଏଥି ସହିତ ଚଳିତ ପ୍ରତିଯୋଗିତାରେ ଭାରତର ମୋଟ ପଦକ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି। ସେଥିରେ ୯ ସ୍ୱର୍ଣ୍ଣ, ୮ ରୌପ୍ୟ ଓ ୭ କାଂସ୍ୟ ପଦକ ସାମିଲ ରହିଛି। ଫଳରେ ପଦକ ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଛି।  ଉଦୟବୀର ମୋଟ ୫୮୭ (ପ୍ରେସିସନ୍‌ରେ ୨୯୧ ଓ ରାପିଡ୍‌ରେ ୨୯୬) ସ୍କୋର୍‌ କରି ପ୍ରଥମ ସ୍ଥାନ ଅକ୍ତିଆର କରିଥିଲା ବେଳେ ଆମେରିକାର ହେନ୍‌ରି ଲିଭରେଟେ (୫୮୪) ଓ କୋରିଆର ଲି ଜାଇକ୍ୟୁନ୍‌ (୫୮୨) ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ହାସଲ କରିଥିଲେ। ତେବେ ଏହି ବର୍ଗରେ ଭାରତର ବିଜୟବୀର ସିଧୁ (୫୮୧) ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲା ବେଳେ ରାଜକନ୍‌ଓ୍ଵର ସିଂହ ସାନ୍ଧୁ (୫୬୮) ୨୦ତମ ସ୍ଥାନ ପାଇଥିଲେ। ଅନ୍ୟପକ୍ଷରେ ଉଦୟବୀର, ବିଜୟବୀର ଓ ରାଜ୍‌କନ୍‌ଓ୍ଵରଙ୍କୁ ନେଇ ଗଠିତ ଭାରତୀୟ ଦଳ ମୋଟ ୧୭୩୬ (୫୮୭, ୫୮୧ ଓ ୫୬୮) ସ୍କୋର୍‌ କରି ପ୍ରଥମ ସ୍ଥାନ ସହ ସ୍ୱର୍ଣ୍ଣ ପଦକ ଉପରେ କବ୍‌ଜା କରିନେଇଥିଲେ। ଚୀନ୍‌ (୧୭୩୦) ଓ କୋରିଆ (୧୭୨୧) ଯଥାକ୍ରମେ ଦଳଗତ ରୌପ୍ୟ ଓ କାଂସ୍ୟ ପଦକ ଜିତିଥିଲେ। କିନ୍ତୁ ବରିଷ୍ଠ ବର୍ଗରେ ଭାରତୀୟ ପ୍ରତିଯୋଗୀମାନେ ନିରାଶ କରିଛନ୍ତି। ସିରାଜ୍‌ ସେଖ୍‌ (୪୯) ପୁରୁଷ ସ୍କିଟ୍‌ ଯୋଗ୍ୟତା ପର୍ଯ୍ୟାୟରେ ଅଷ୍ଟମ ସ୍ଥାନରେ ଅଭିଯାନ ଶେଷ କରିଥିଲା ବେଳେ ଅଙ୍ଗଦବୀର ସିଂହ (୪୭) ଏବଂ ମାଇରାଜ୍‌ ଅହମ୍ମଦ (୪୧) ଯଥାକ୍ରମେ ୬୯ ଓ ୭୯ତମ ସ୍ଥାନରେ ସନ୍ତୁଷ୍ଟ ରହିଛନ୍ତି। ସେହିପରି ୨୫ ମିଟର ସେଣ୍ଟର ଫାୟାର ପିସ୍ତଲ ବର୍ଗରେ ଭାରତ ପଦକଶୂନ୍ୟ ରହିଛି।

ସମ୍ବନ୍ଧିତ ଖବର