ମହିଳା ଟି-୨୦ କ୍ରିକେଟ୍‌ ବିଶ୍ୱକପ୍‌: ଭାରତୀୟ ଦଳ ଘୋଷିତ, ନଭେମ୍ବର ୧୧ରେ ଭାରତ-ପାକିସ୍ତାନ ମ୍ୟାଚ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜରେ ହେଉଥିବା ଆଇସିସି ମହିଳା ଟି-୨୦ ବିଶ୍ୱକପ୍‌ କ୍ରିକେଟ ପାଇଁ ଶୁକ୍ରବାର ଭାରତୀୟ ଟିମ ଘୋଷଣା ହୋଇଛି। ବିସିସିଆଇ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛି। ଟିମ୍‌ର ଅଧିନାୟିକା ଦାୟିତ୍ୱ ହରମନପ୍ରୀତଙ୍କୁ ଦିଆଯାଇଛି। ସ୍ମୃତି ମାନ୍ଧାନା ଉପ-ଅଧିନାୟିକା ରହିବେ। ନିକଟରେ ଶ୍ରୀଲଙ୍କାରେ ଖେଳିବାକୁ ଥିବା ଟିମରେ କେବଳ ଗୋଟିଏ ପରିବର୍ତ୍ତନ କରାଯାଇଛି।

ମହିଳା ବିଶ୍ୱକପ୍‌ ଟି-୨୦ ଭାରତୀୟ ଟିମ୍‌

ହରମନପ୍ରୀତ କୌର(ଅଧିନାୟିକା), ସ୍ମୃତି ମନ୍ଧାନା(ଉପ-ଅଧିନାୟିକା), ମିତାଲି ରାଜ, ବେଦା କୃଷ୍ଣାମୂର୍ତ୍ତି, ଜେମିମା ରଡ୍ରିଗେଜ, ତାନ୍ୟା ଭାଟିଆ (ଓ୍ଵିକେଟକିପର), ପୁନମ ଯାଦବ, ରାଧା ଯାଦବ, ଅନୁଜା ପାଟିଲ, ଏକତା ବିଷ୍ଟ, ଡି. ହେମଲତା, ମାନସୀ ଜୋଶୀ, ପୂଜା ବାସ୍ତ୍ରାକର ଓ ଅରୁନ୍ଧତୀ ରେଡ୍ଡି।

ଷଷ୍ଠ ଆଇସିସି ମହିଳା ବିଶ୍ୱକପ୍‌ ଟି-୨୦ର ଆୟୋଜନ ନଭେମ୍ବର ୯ରୁ ଆରମ୍ଭ ହୋଇ ୧୬ ଦିନ ପରେ ଶେଷ ହେବ। ଭାରତୀୟ ଟିମକୁ ‘ଗ୍ରୁପ-ବି’ରେ ରଖାଯାଇଛି। ଲିଗ୍‌ ମ୍ୟାଚରେଭାରତୀୟ ଖେଳାଳିମାନେ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ ଆୟରଲାଣ୍ଡ ଖେଳାଳିଙ୍କୁ ମୁକାବିଲା କରିବେ। ଭାରତୀୟ ଟିମ ନଭେମ୍ବର ୯ରେ ଗୁଏନାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଅଭିଯାନ ଆରମ୍ଭ କରିବ। ଏହା ପରେ ନଭେମ୍ବର ୧୧ରେ ଚିରପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟିବ। ନଭେମ୍ବର ୧୫ରେ ଆୟରଲାଣ୍ଡ ସହିତ ୩ୟ ମୁକାବିଲା ହେବାକୁ ଥିବା ବେଳେ ଅଷ୍ଟ୍ରେଲିଆ ବିପକ୍ଷରେ ନଭେମ୍ବର ୧୭ରେ ଶେଷ ଲିଗ ମ୍ୟାଚ ଖେଳିବ।

ସମ୍ବନ୍ଧିତ ଖବର