ବିଶ୍ବ ମହିଳା ମୁଷ୍ଟିଯୁଦ୍ଧ, ପ୍ରି-କ୍ବାର୍ଟର ଫାଇନାଲ୍‌ରେ ମନୀଷା

ନୂଆଦିଲ୍ଲୀ: ଚଳିତ ମହିଳା ମୁଷ୍ଟିଯୁଦ୍ଧ ବିଶ୍ବ ପ୍ରତିଯୋଗିତାରେ ଭାରତକୁ ଭଲ ଆରମ୍ଭ ମିଳିଛି। ବିଶ୍ବ ପ୍ରତିଯୋଗିତାରେ ପଦାର୍ପଣ କରିଥିବା ୨୦ ବର୍ଷ ବୟସ୍କା ହରିଆନା ଝିଅ ମନୀଷା ମୁନ୍‌ ତାଙ୍କଠୁ ଅଧିକ ଓଜନ ପ୍ରତିଦ୍ବନ୍ଦ୍ବୀ ଆମେରିକାର କ୍ରିଷ୍ଟିନା କ୍ରୁଜ୍‌ଙ୍କୁ ଧରାଶାୟୀ କରି ୫୪ କେଜି ବର୍ଗରେ ପ୍ରିକ୍ବାର୍ଟର ଫାଇନାଲ୍‌ ପହଞ୍ଚି ଯାଇଛନ୍ତି। ଚଳିତ ବର୍ଷ ଇଣ୍ଡିଆ ଓପନ୍‌ରେ ସ୍ବର୍ଣ୍ଣ ଓ ପୋଲାଣ୍ଡ୍‌ରେ ଆୟୋଜିତ ସିଲେସିଆନ୍‌ ମହିଳା ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଥିବା ମନୀଷା ତାଙ୍କଠୁ ଦୁଇଗୁଣା ଅଧିକ ବୟସର ଏବଂ ଦୁଇଥର ବିଶ୍ବ ପ୍ରତିଯୋଗିତାରେ କାଂସ୍ୟ ଜିତିଥିବା କ୍ରିଷ୍ଟିନାଙ୍କୁ ସମସ୍ତ ତିନିଟିଯାକ ରାଉଣ୍ଡ୍‌ରେ ମାତ୍‌ ଦେଇଥିଲେ। ଫଳରେ ୫ ଜଣ ବିଚାରକଙ୍କ ନିଷ୍ପତ୍ତି ଅନୁଯାୟୀ ମନୀଷା ୫-୦ (୨୯-୨୮, ୩୦-୨୭, ୩୦-୨୬, ୩୦-୨୬ ଓ ୨-୨୮)ରେ ହିଁ ବିଜୟୀ ଘୋଷିତ ହୋଇଥିଲେ। ରବିବାର ପ୍ରିକ୍ବାର୍ଟର ଫାଇନାଲ୍‌ରେ ମନୀଷାଙ୍କ ଲଢ଼େଇ ବିଶ୍ବ ବିଜୟିନୀ କାଜାକସ୍ତାନର ଦିନା ଝୋଲାମନ୍‌ଙ୍କ ସହ ହେବ। ଏଠାରେ ସୂଚନାଯୋଗ୍ୟ, ପୋଲାଣ୍ଡ୍‌ରେ ଝୋଲାମନ୍‌ଙ୍କୁ ମନୀଷା ପରାସ୍ତ କରିଥିଲେ। ଶୁକ୍ରବାର ନୂଆଦିଲ୍ଲୀ କେଡି ଯାଦବ ‌ଷ୍ଟାଡିୟମ୍‌ରେ ଝିଅର ଲଢ଼େଇ ଦେଖିବା ପାଇଁ ମନୀଷାଙ୍କ ମା ଉଷା ରାଣୀ ଓ ଜେଜେ ମା ସରୋଜ ଦେବୀ କାଇଥାଲରୁ ଆସି ଉପସ୍ଥିତ ଥିଲେ। ବିଶ୍ବ ପ୍ରତିଯୋଗିତା ପଦାର୍ପଣରେ ପ୍ରଥମ ଲଢ଼େଇ ଜିତିଥିବାରୁ ମୁଁ ଖୁବ୍ ଗର୍ବିତ ବୋଲି ମନୀଷା କହିବା ସହିତ ଆଗକୁ ଭଲ କରିବାର ଆତ୍ମବିଶ୍ବାସ ରଖିଥିବା କହିଥିଲେ। ଅନ୍ୟପକ୍ଷରେ ପ୍ରଥମ ଲଢ଼େଇରେ ଜାପାନର ମୁଜୁକି ହିରୁଟାଙ୍କୁ ୪-୧ରେ ପରାସ୍ତ କରିଥିବା ଝୋଲାମନ୍‌ ଆଗାମୀ ଲଢ଼େଇ ପୂର୍ବରୁ ମନୀଷା ଜଣେ ଦକ୍ଷ ମୁଷ୍ଟିଯୋଦ୍ଧା ବୋଲି କହିଛନ୍ତି। ମୁଁ ତାଙ୍କ ନିକଟରୁ ପୋଲାଣ୍ଡ୍‌ରେ ହାରିଥିଲି ବୋଲି କହିଥିଲେ ଝୋଲାମନ୍‌।

ସମ୍ବନ୍ଧିତ ଖବର