ବିଶ୍ବକପ୍‌ ଖେଳାଳିଙ୍କ ପାଇଁ ଆଇପିଏଲ୍ କଟକଣା ନାହିଁ: କୋହଲି

ବେଙ୍ଗାଲୁରୁ: ବିଶ୍ବକପ୍‌ ସମ୍ଭାବନା ଥିବା ଭାରତୀୟ ଖେଳାଳିଙ୍କ ଲାଗି ସେମାନଙ୍କ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ସୀମିତ ମ୍ୟାଚ୍‌ ଖେଳିବା ଲାଗି କିଛି କଟକଣା ରଖିଛନ୍ତି କି‌ ବୋଲି ପ୍ରଶ୍ନ ହେବାରୁ କୋହଲି ମନା କରି ଦେଇଛନ୍ତି। ନିଜ ମ୍ୟାଚ୍‌ ଓ ବୋଝ ନିଜେ ପରିଚାଳନା କରିବାକୁ ସେ ଖେଳାଳିଙ୍କ ଉପରେ ଛାଡ଼ି ଦେଇଛନ୍ତି। ଫ୍ରାଞ୍ଚାଇଜ୍‌ ପକ୍ଷରୁ ଏଭଳି କୌଣସି ନିର୍ଦେଶନାମା ଦିଆଯାଇନାହିଁ ବୋଲି କୋହଲି କହିଛନ୍ତି। ରବିବାର ବେଙ୍ଗାଲୁରୁରେ ଆଇପିଏଲ୍ ଦଳ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍‌ର ଏକ ନୂଆ ଆପ୍‌ ଉନ୍ମୋଚନ କରିବା ଅବସରରେ କୋହଲି ଏଭଳି କହିଛନ୍ତି। କାହାରି ଉପରେ ଆପଣ ମ୍ୟାଚ୍‌ ଖେଳିବା ସଂଖ୍ୟାକୁ ନେଇ କଟକଣା ଲଗାଇ ପାରିବେ ନାହିଁ। ମୁଁ ୧୦, ୧୨ କିମ୍ବା ୧୫ ମ୍ୟାଚ୍‌ ଖେଳିବାକୁ ସକ୍ଷମ। ଏହାର ଅର୍ଥ ନୁହେଁ ଅନ୍ୟ ଖେଳାଳିମାନେ ବି ସମାନ ସଂଖ୍ୟକ ଖେଳିବାକୁ ବାଧ୍ୟ। ମୋଠାରୁ କେହି କେହି ଅଧିକ ଏବଂ କିଛି ଖେଳାଳି କମ୍‌ ମ୍ୟାଚ୍‌ ଖେଳିବାକୁ ସାମର୍ଥ୍ୟ ରଖିଥିବେ। ଏହା ବ୍ୟକ୍ତିଗତ କଥା। କିନ୍ତୁ ଯେଉଁମାନେ ବିଶ୍ବକପ୍‌ ଖେଳିବାକୁ ଚାହାନ୍ତି ସେମାନେ ନିଜକୁ ସତେଜ ଓ ଫୁର୍ତ୍ତି ରଖିବାକୁ ନିଜ ଯୋଜନା ପ୍ରସ୍ତୁତ କରିବା ଉଚିତ। ଆଇପିଏଲ୍ ସମୟରେ ଭାରତୀୟ ଦଳର ଖେଳାଳିମାନେ ନିଶ୍ଚିତ ସେମାନଙ୍କ ଦାୟିତ୍ବ ଏବଂ ଶାରୀରିକ ସକ୍ଷମତା କଥା ବୁଝିବେ। ଭାରତୀୟ ଦଳ ପ୍ରତି ଦିନ ଉନ୍ନତି କରିବା ଆବଶ୍ୟକ ରହିଛି। କୋହଲିଙ୍କ ମତ ସହିତ ଆର୍‌ସିବିର ଦୁଇ ପ୍ରଶିକ୍ଷକ ଆଶିଷ ନେହେରା ଏବଂ ଗ୍ୟାରି କର୍ଷ୍ଟେନ ମଧ୍ୟ ଏକମତ ହୋଇଛନ୍ତି। ବରଂ ଆଇପିଏଲ୍‌ ଖେଳିବା ଭାରତୀୟ ଖେଳାଳିଙ୍କ ପାଇଁ ଫାଇଦା ସାବ୍ୟସ୍ତ ହେବ ବୋଲି ନେ‌ହେରା କହିଛନ୍ତି।

ସମ୍ବନ୍ଧିତ ଖବର