ବର୍ଷ ଶେଷ ମାନ୍ୟତା ଭାରତ ୧,୨,୩

ଦୁବାଇ: ବିଦାୟୀ ବର୍ଷର ଶେଷ ଆଇସିସି ମାନ୍ୟତା ରବିବାର ପ୍ରକାଶ ପାଇଛି। ଆଇସିସି ଟେଷ୍ଟ ଓ ଦିନିକିଆ ମାନ୍ୟତାରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଅଦଳ ବଦଳ ଭାବେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଦଳଗତ ଭାବେ ଭାରତ ଟେଷ୍ଟ ମାନ୍ୟତାର ପ୍ରଥମ ସ୍ଥାନରେ ରହିଛି। ୧୨୪ ପଏଣ୍ଟ ସହ ଭାରତ ପ୍ରଥମ ସ୍ଥାନରେ ଥିଲା ବେଳେ ଦକ୍ଷିଣ ଆଫ୍ରିକା ୧୧୧ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଅନ୍ୟ ପକ୍ଷରେ ଦିନିକିଆରେ ଭାରତ ୧୧୯ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ଥିଲା ବେଳେ ମାତ୍ର ଗୋଟିଏ ପଏଣ୍ଟ ଅଧିକ ପାଇ ଦକ୍ଷିଣ ଆଫ୍ରିକା ପ୍ରଥମ ସ୍ଥାନ ଅଧିକାର କରିଛି। ସେପଟେ ଟେ୍ଵଣ୍ଟି-୨୦ରେ ବିରାଟ ବାହିନୀ (୧୨୧) ପାକିସ୍ତାନ (୧୨୪) ଏବଂ ନ୍ୟୁଜିଲାଣ୍ଡ (୧୨୩) ପଛକୁ ତୃତୀୟ ସ୍ଥାନରେ ରହିଛି। ଫଳରେ ଭାରତ ୧,୨,୩ ସଫଳତା ସହ ୨୦୧୭ ଶେଷ କରିଛି। ସେପଟେ ଭାରତୀୟ ମହିଳା ଦଳ ଆଇସିସି ମାନ୍ୟତାର ଚତୁର୍ଥ ସ୍ଥାନରେ ବର୍ଷ ଶେଷ କରିଛି।

ସ୍ମିଥ୍‌ଙ୍କ ପଛରେ କୋହଲି, ଅଶ୍ୱିନଙ୍କୁ କାଟିଲେ ଜାଦେଜା

ଭାରତୀୟ ଅଧିନାୟକ ବିରାଟ କୋହଲି ବୈବାହିକ ଜୀବନ ଆରମ୍ଭ କରି ସତରକୁ ନିଜ ପାଇଁ ସ୍ମରଣୀୟ କରିଥିଲେ ମଧ୍ୟ ଟେଷ୍ଟ ମାନ୍ୟତାରେ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭେନ ସ୍ମିଥ୍‌ଙ୍କ ପଛରେ ରହି ଯାଇଛନ୍ତି। ଆଇସିସି ଟେଷ୍ଟ ବ୍ୟାଟ୍ସମ୍ୟାନ୍‌ ମାନ୍ୟତାରେ ସ୍ମିଥ୍‌ ଏକ ନମ୍ବରରେ ରହି ବର୍ଷ ଶେଷ କରିଛନ୍ତି। କୋହଲି ତାଙ୍କ ତଳକୁ ଅର୍ଥାତ୍‌ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ତେବେ ଶୀର୍ଷ ୨୦ ତାଲିକାରେ ଭାରତୀୟଙ୍କ ସଂଖ୍ୟା ପୂର୍ବାପେକ୍ଷା ଯଥେଷ୍ଟ ବଢ଼ିଛି। ଚେତେଶ୍ୱର ପୂଜାରା ୩, ଲୋକେଶ ରାହୁଲ ୧୨ ଏବଂ ଅଜିଙ୍କ୍ୟ ରାହାଣେ ଊନ୍ନବିଂଶ ସ୍ଥାନରେ ବର୍ଷ ଶେଷ କରିଛନ୍ତି। ଶୀର୍ଷ ୨୦ ବ୍ୟାଟ୍ସମ୍ୟାନ୍‌ ଭିତରେ ଦକ୍ଷିଣ ଆଫ୍ରିକାର ସର୍ବାଧିକ ୫ ଜଣ ଖେଳାଳି ହାସିମ ଆମଲା (୭), ଡିନ ଏଲଗାର (୧୩), ଫାଫ୍‌ ଡୁ’ ପ୍ଲେସିସ୍‌ (୧୪) ଏବଂ କ୍ୱିଣ୍ଟନ ଡି’ କକ୍‌ (୧୫) ଓ ଏବି ଡିଭିଲିୟର୍ସ (୧୮) ରହିଛନ୍ତି। ବୋଲର ମାନ୍ୟତାରେ ରବୀନ୍ଦ୍ର ଜାଦେଜା ସାଥୀ ସ୍ପିନର ରବି ଚନ୍ଦ୍ରନ୍‌ ଅଶ୍ୱିନଙ୍କୁ ହଟାଇ ତୃତୀୟ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଇଂଲଣ୍ଡର ଜେମ୍ସ ଆଣ୍ଡରସନ୍‌ ଟେଷ୍ଟ ବୋଲର ମାନ୍ୟତାର ଶୀର୍ଷରେ ରହିଛନ୍ତି। ଆସେସ୍‌ ଶୃଙ୍ଖଳାର ଚତୁର୍ଥ ଟେଷ୍ଟ ପରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ପଞ୍ଚମରୁ ଚତୁର୍ଥକୁ ଉନ୍ନୀତ ହୋଇଛନ୍ତି। ଅଷ୍ଟ୍ରେଲିଆର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଡେଭିଡ୍‌ ଓ୍ଵାର୍ନର ଷଷ୍ଠ ସ୍ଥାନରେ ରହିଛନ୍ତି। ଆସେସ୍‌ ଶୃଙ୍ଖଳାର ଚତୁର୍ଥ ମୁକାବିଲାରେ ଦ୍ୱିଶତକ ଅର୍ଜନ କରିଥିବା ଇଂଲଣ୍ଡର ପୂର୍ବତନ ଅଧିନାୟକ ଆଲେଷ୍ଟର କୁକ୍‌ ଅଷ୍ଟମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି।

ବିରାଟ ବାହିନୀ ଦୂର କରିବ ବିଜୟ ମରୁଡ଼ି

କେପଟାଉନ: ସଂପ୍ରତି ଆଇସିସି ଟେଷ୍ଟ ମାନ୍ୟତାର ପ୍ରଥମ ସ୍ଥାନରେ ଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକାରେ ଭାରତୀୟ କ୍ରିକେଟ୍‌ ଦଳ ସବୁବେଳେ ଦୟନୀୟ ପ୍ରଦର୍ଶନ କରି ଆସିଛି। ଦକ୍ଷିଣ ଆଫ୍ରିକାରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୨୦୧୦-୧୧ ଶୃଙ୍ଖଳାକୁ ଅମୀମାଂସିତ ରଖିବା। ଏଥର କିନ୍ତୁ ଦକ୍ଷିଣ ଆଫ୍ରିକାରେ ବିଜୟ ମରୁଡ଼ି ଦୂର କରିବା ଲକ୍ଷ୍ୟରେ ରହିଛି ବିରାଟ ବାହିନୀ। ଲଗାତାର ୯ ଶୃଙ୍ଖଳା ଜିତିବାର ସଫଳ ଗାଥା ନେଇ ଦଳ ମଧ୍ୟ ସେଠାକୁ ଯାଇଛି। ହେଲେ ୧୯୯୨ର ପ୍ରଥମ ଗସ୍ତଠାରୁ ଆଜି ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ୍‌ ଦଳ ଦକ୍ଷିଣ ଆଫ୍ରିକାରେ ୬ ଶୃଙ୍ଖଳା ଖେଳି ପାଞ୍ଚଟିରେ ପରାଜିତ ହୋଇଛି। କେବଳ ୨୦୧୦-୧୧ ଶୃଙ୍ଖଳାକୁ ୧-୧ରେ ଅମୀମାଂସିତ ରଖିଥିଲା। ଅଧିନାୟକ କୋହଲି ମଧ୍ୟ ଏକଥା ଭଲ ଭାବରେ ଜାଣିଛନ୍ତି। ସେଥିପାଇଁ ସେ କହିଛନ୍ତି ଯେ ଆମର ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୨୦୧୦-୧୧ର ଅମୀମାଂସିତ ଶୃଙ୍ଖଳା। ହେଲେ ଏଥର ଆମ ପାଖରେ ଦକ୍ଷ ବୋଲର ଅଛନ୍ତି ଏବଂ ଦଳ ମଧ୍ୟ ବେଶ୍‌ ସନ୍ତୁଳିତ। ସେଥିପାଇଁ ଆମେ ଏଠାରେ ଜିତି ପାରିବୁ ବୋଲି ଭାବୁଛି। ଭଲ କ୍ରିକେଟ୍‌ ଖେଳିବା ପାଇଁ ଆମ ପାଇଁ ଏହା ଏକ ବଡ଼ ସୁଯୋଗ। ଆମେ ଇତିହାସ କଥା ଆଦୌ ଭାବୁନୁ। ରଣନୀତିର ସଫଳ ରୂପାୟନ ସହ ଗୋଟିଏ ଗୋଟିଏ ଅଧିବେଶନକୁ ଲକ୍ଷ୍ୟ କରି ଖେଳିବୁ। ଅନ୍ତର୍ଜାତୀୟ କ୍ରିକେଟ୍‌ମାନେ ହିଁ ବର୍ତମାନରେ ରହିବା ଏବଂ ସବୁବେଳେ ପ୍ରତିପକ୍ଷଠାରୁ କିଛି ଭିନ୍ନ, ଅଲଗା ଏବଂ ଭଲ କରିବା।

ଜଳାଭାବ ପାଇଁ ନ୍ୟୁଲାଣ୍ଡ୍ସ ପ୍ରସ୍ତୁତିରେ ବ୍ୟାଘାତ

ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ ଜାନୁଆରି ୫ ତାରିଖରୁ କେପଟାଉନର ନ୍ୟୁଲାଣ୍ଡ୍ସ ଷ୍ଟାଡିୟମରେ ଖେଳାଯିବ। ଏଥିନେଇ ଦୁଇ ଦେଶର କ୍ରୀଡ଼ା ପ୍ରେମୀ ଉତ୍ସାହିତ। ହେଲେ କେପଟାଉନରେ ଚଳିତ ବର୍ଷ ଉତ୍କଟ ଜଳାଭାବ ଦେଖା ଦେଇଥିବାରୁ ନ୍ୟୁଲାଣ୍ଡ୍ସ ପ୍ରସ୍ତୁତି ଯେମିତି ହେବା କଥା ସେମିତି ହୋଇ ପାରୁନି। ଗ୍ରାଉଣ୍ଡ୍ସମ୍ୟାନ୍‌ ଏଭର ଫ୍ଲିଣ୍ଟ ଏଥିନେଇ ବେଶ୍‌ ଚିନ୍ତିତ ଅଛନ୍ତି। ସେ କହିଛନ୍ତି ନ୍ୟୁଲାଣ୍ଡ୍ସରେ ନଳକୂପ ବ୍ୟବସ୍ଥା ଥିବାରୁ ଆମେ ପିଚ୍‌ରେ ସବୁଦିନ ଜଳ ସିଞ୍ଚନ କରି ପାରୁଛି। ହେଲେ ଆଉଟ୍‌ ଫିଲ୍ଡରେ ସପ୍ତାହକୁ ମାତ୍ର ଦୁଇ ଥର ଜଳ ସିଞ୍ଚନ କରି ପାରୁଛି। ଫଳରେ ଆଉଟ୍‌ ଫିଲ୍ଡ ଯେତିକି ଶକ୍ତ ହେବା କଥା ସେତିକି ହୋଇ ପାରିନି। ଭାରତୀୟ ଦଳକୁ ଦ୍ରୁତ ବୋଲରଙ୍କୁ ସୁହାଉଥିବା ପିଚ୍‌ ଦେବାକୁ ଫ୍ଲିଣ୍ଟ ଯୋଜନା ରଖିଛନ୍ତି। ତେବେ ଏହା ଆସନ୍ତା ପାଞ୍ଚ ଦିନର ପାଗ ଉପରେ ଅଧିକ ନିର୍ଭରଶୀଳ ରହିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର