ଯୁବ ଏସିଆ କପ୍‌: ବାଂଲାଦେଶକୁ ୫ ରନ୍‌ରେ ପରାସ୍ତ କରି ଭାରତ ବଜୟୀ

କଲମ୍ବୋ: ଲିଗ୍‌ ପର୍ଯ୍ୟାୟରେ ସର୍ବାଧିକ ପଏଣ୍ଟ୍‌ ଭିତ୍ତିରେ ଫାଇନାଲ୍‌ ପ୍ରବେଶ କରିଥିବା ଅପରାଜେୟ ଭାରତ ଯୁବ ଏସିଆ କପ୍‌ ବି‌ଜେତା ହୋଇଛି। ସ୍ଥାନୀୟ ଆର୍‌ ପ୍ରେମଦାସା ଷ୍ଟାଡିୟମ୍‌ରେ ଶନିବାର ଖେଳାଯାଇଥିବା କମ୍‌ ସ୍କୋର୍‌ ବିଶିଷ୍ଟ ଫାଇନାଲ୍‌ରେ ଭାରତ ୫ ରନ୍‌ରେ ବାଂଲାଦେଶକୁ ପରାସ୍ତ କରିଦେଇଛି। ବୋଲରଙ୍କ ଆଧିପତ୍ୟରେ ଶେଷ ହୋଇଥିବା ଫାଇନାଲ୍‌ରେ ୮-୨-୨୮-୫ ବୋଲିଂ ଚିତ୍ର ପାଇଥିବା ବିଜେତା ଭାରତୀୟ ଦଳର ବାମହାତୀ ସ୍ପିନର ଅଥର୍ବ ଅଙ୍କୋଲେକର୍‌ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ତେବେ ବାଂଲା ବୋଲରମାନେ ଭାରତ ପାଳିକୁ ୩୨.୪ ଓଭରରେ ୧୦୬ ରନ୍‌ରେ ସଫା କରିଦେଇଥିଲେ। ସ୍କୋର୍‌ ୮ରେ ୩ ୱିକେଟ୍‌ ହରାଇ ସଂକଟରେ ପଡ଼ିଯାଇଥିବା ଭାରତ ପକ୍ଷରୁ କରଣ ଲାଲ୍‌ (୩୭), ଅଧିନାୟକ ଧ୍ରୁବ ଜୋରେଲ୍‌ ଏବଂ ସାଶ୍ବତ ରାୱତ (୧୯) ଦୁଇ ଅଙ୍କ ଛୁଇଁବାରୁ ଦଳ ୧୦୦ ରନ୍‌ ଅତିକ୍ରମ କରିପାରିଥିଲା। ମୃତ୍ୟୁଞ୍ଜୟ ଚୌଧୁରୀ (୭.୪-୦-୧୮-୩) ଏବଂ ସାମିମ୍‌ ହୋ‌ସେନ୍‌ (୬-୨-୮-୩) ଘାତକ ବୋଲିଂ କରି ବାଂଲାଦେଶକୁ ସୁଯୋଗ ଦେଇଥିଲେ। ଜବାବରେ ଭାରତୀୟ ବୋଲରମାନେ ମଧ୍ୟ ଅନୁରୂପ ଭାବେ ଜବାବ ଦେଇଥିଲେ। ବିଶେଷକରି ଅଙ୍କେଲେକରଙ୍କ ୫ ବ୍ୟତୀତ ଦ୍ରୁତ ବୋଲର ଆକାଶ ସିଂହ (୫-୦-୧୨-୩)ଙ୍କ ଘାତକ ବୋଲିଂ ବାଂଲାଦେଶ ପାଳିକୁ ୧୦୧ ରନ୍‌ରେ ଅଟକାଇ ଦେଇଥିଲା। ଭି ପାଟିଲ ଓ ସୁଶାନ୍ତ ମିଶ୍ର ଗୋଟିଏ ଲେଖାଏଁ ୱିକେଟ୍‌ ଦଖଲ କରିନେବାରୁ ବାଂଲାଦେଶ ୩୩ ଓଭରରେ ୧୦୧ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା।

ସମ୍ବନ୍ଧିତ ଖବର