ଯାହା ସଚିନ-ବିରାଟ କରି ପାରିଲେନି, ତାହା ୧୯ ବର୍ଷରୁ କମ୍‌ ବ୍ୟାଟସ୍‌ମ୍ୟାନ୍‌ କରି ଦେଖାଇଲେ

ହମ୍ବନଟୋଟା(ଶ୍ରୀଲଙ୍କା): ଶ୍ରୀଲଙ୍କା ବିପକ୍ଷରେ ହମ୍ବନଟୋଟାରେ ଖେଳାଯାଉଥିବା ଯୁବ ଟେଷ୍ଟରେ ଭାରତର ପବନ ଶାହ ଇତିହାସ ରଚିଛନ୍ତି। ଯେଉଁ କାମକୁ ଭାରତର ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର ଅଥବା ବର୍ତ୍ତମାନ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି କରି ପାରି ନାହାନ୍ତି, ସେହି କାମକୁ ବୁଧବାର ଯୁବ ବ୍ୟାଟସ୍‌ମ୍ୟାନ କରିଛନ୍ତି। ସେ ଚଳିତ ଶୃଙ୍ଖଳାର ୨ୟ ଯୁବ ଟେଷ୍ଟର ୨ୟ ଦିନରେ ଶ୍ରୀଲଙ୍କା ୧୯ ବର୍ଷରୁ କମ ବିରୋଧରେ ଦ୍ୱି-ଶତକ(୨୮୨ ରନ୍‌) ଯୋଡ଼ିଛନ୍ତି। ଏଥି ସହିତ ସେ ଯୁବ ଟେଷ୍ଟ ମ୍ୟାଚ୍‌ରେ ସର୍ବୋଚ୍ଚ ସ୍କୋର କରିବାରେ ଭାରତୀୟ ବ୍ୟାଟସ୍‌ମ୍ୟାନ ହୋଇ ପାରିଛନ୍ତି।

ପୁନେର ବ୍ୟାଟସ୍‌ମ୍ୟାନ ୧୨ ବର୍ଷର ପୁରୁଣା ଭାରତୀୟ ରେକର୍ଡ ଅତିକ୍ରମ କରିଛନ୍ତି। ଏହା ପୂର୍ବରୁ ଏହି କୀର୍ତ୍ତିମାନ ଉତ୍ତରପ୍ରଦେଶର ତନ୍ମୟ ଶ୍ରୀବାସ୍ତବଙ୍କ ନାମରେ ଥିଲା, ଯିଏକି ୧୯ ବର୍ଷରୁ କମ୍‌ ଖେଳି ୨୦୦୬ରେ ପାକିସ୍ତାନ ବିପକ୍ଷରେ ପେଶାଓ୍ଵରରେ ୨୨୦ ରନ୍‌ ଯୋଡ଼ି ଥିଲେ।

ଯୁବ ଟେଷ୍ଟରେ ବଡ଼ ଇନିଂସ

୧) କ୍ଲିଣ୍ଟନ ପିକେ(ଅଷ୍ଟ୍ରେଲିଆ): ଭାରତ ବିପକ୍ଷରେ ଅପରାଜିତ ୩୦୪ ରନ୍‌, ୧୯୯୫
୨) ପବନ ଶାହ(ଭାରତ): ଶ୍ରୀଲଙ୍କା ବିପକ୍ଷରେ ୨୮୨ ରନ୍‌, ୨୦୧୮
୩) ମ୍ୟାଥ୍ୟୁ ଡମ୍ୟାନ(ଇଂଲଣ୍ଡ): ୱେଷ୍ଟଇଣ୍ଡିଜ ବିପକ୍ଷରେ ୨୬୭ ରନ୍‌, ୧୯୯୩

ଚଳିତ ଟେଷ୍ଟର ପ୍ରଥମ ଦିନ ୧୭୭ ରନ୍‌ରେ ଅପରାଜିତ ୧୯ ବର୍ଷରୁ କମ୍‌ ବ୍ୟାଟସ୍‌ମ୍ୟାନ୍‌ ପବନ ଶାହ ବୁଧବାର ୩ୟ ଶତକ ଆଡ଼କୁ ମୁହାଁଇ ଥିଲେ କିନ୍ତୁ ୨୮୨ ରନ୍‌ ସ୍କୋରରେ ରନ୍‌ ଆଉଟ୍‌ ହୋଇ ଯାଇଥିଲେ। ସେ ୩୩୨ ବଲ ଖେଳି ୩୩ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ଯୁବ ଟେଷ୍ଟରେ ପବନ ଶାହ ବିଶ୍ୱର ୨ୟ ବଡ଼ ଇନିଂସ ଖେଳିଛନ୍ତି। ଅଷ୍ଟ୍ରେଲିଆର କ୍ଲିଣ୍ଟନ ପିକେଙ୍କ ନାମରେ ସର୍ବୋଚ୍ଚ ସ୍କୋର କରିବା ରେକର୍ଡ ରହିଛି। ସେ ଭାରତ ବିରୋଧରେ ୧୯୯୫ ମାର୍ଚ୍ଚରେ ମେଲବୋର୍ଣ୍ଣରେ ୩୦୪ ରନ୍‌ ସଂଗ୍ରହ କରିଥିଲେ, ଯାହାକି ବିଶ୍ୱର ଏକମାତ୍ର ତ୍ରି-ଶତକ।

 

ସମ୍ବନ୍ଧିତ ଖବର