ଓଡ଼ିଶାରେ ପହଞ୍ଚିଛି ୯୫ ପ୍ରତିଶତ ଇଭିଏମ୍‌

ନିର୍ବାଚନ ପୂର୍ବରୁ ୧ ହଜାର ମାଷ୍ଟର ଟ୍ରେନର୍‌ଙ୍କୁ ତାଲିମ

ଭୁବନେଶ୍ୱର : ବର୍ତମାନ ସୁଦ୍ଧା ରାଜ୍ୟରେ ୯୦ ହଜାର ଇଲେକ୍ଟ୍ରୋନିକ୍‌ ଭୋଟିଂ ମେସିନ ବା ଇଭିଏମ୍‌ ଆସିସାରିଛି। ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ଼ ଓ ମଧ୍ୟ ପ୍ରଦେଶ ଆଦି ରାଜ୍ୟମାନଙ୍କରୁ ଏସବୁ ମେସିନ୍‌ ଆସିଛି। ନିର୍ବାଚନରେ ମୋଟ ଇଭିଏମ୍‌ ଆବଶ୍ୟକତା ତୁଳନାରେ ଆସିଛି ପ୍ରାୟ ୯୫ ପ୍ରତିଶତ। ଅବଶିଷ୍ଟ ସବୁ ଇଭିଏମ୍‌ ଦିନେ ଦୁଇଦିନ ଭିତରେ ରାଜ୍ୟରେ ପହଞ୍ଚିଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି। ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ସିଇଓ ଶ୍ରୀ କୁମାର କହିଲେ, ଇଭିଏମ୍‌ ଆସିବା ପରେ ସେଗୁଡ଼ିକୁ ବିଭିନ୍ନ ଜିଲ୍ଲାକୁ ପଠାଯାଇ ଆବଶ୍ୟକ ଯାଞ୍ଚ କରାଯାଉଛି। ଏହା ପ୍ରଥମ ସ୍ତରର ଯାଞ୍ଚ ପ୍ରକ୍ରିୟା। ଏହି ପ୍ରକ୍ରିୟା ୧୦ଟି ଜିଲ୍ଲାରେ ଜାରି ରହିଛି। ରାଜ୍ୟରେ ଇଭିଏମ୍‌ ସହିତ ଭୋଟର ଭେରିଫାଏଡ୍‌ ପେପର୍‌ ଅଡିଟ୍‌ ଟ୍ରେଲ୍‌ ବା ଭିଭିପ୍ୟାଟ୍‌ ବ୍ୟବହାର କରାଯିବ। ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହରେ ଓଡ଼ିଶାର ଆବଶ୍ୟକତା ମୁତାବକ ଭିଭିପ୍ୟାଟ୍‌ ଆସି ପହଞ୍ଚିବ ବୋଲି ସେ କହିଥିଲେ। ସିଇଓ କହିଲେ ଯେ ଆଗାମୀ ସାଧାରଣ ନିର୍ବାଚନ ପରିଚାଳନା ନିମନ୍ତେ ରାଜ୍ୟର ୧ ହଜାର ମାଷ୍ଟର ଟ୍ରେନରଙ୍କୁ ଭୁବନେଶ୍ୱରରେ ତାଲିମ ପ୍ରଦାନ କରାଯିବ। ଜାତୀୟ ମୁଖ୍ୟ ନିର୍ବାଚନ କମିସନରଙ୍କ ନିର୍ଦେଶ ଅନୁଯାୟୀ ଜାତୀୟ ସ୍ତରରେ ରାଜ୍ୟର ୧୮ଜଣ ବରିଷ୍ଠ ଅଧିକାରୀଙ୍କୁ ତାଲିମ ଗ୍ରହଣ କରିବେ। ସେମାନେ ଏଠାରେ ମାଷ୍ଟର ଟ୍ରେନରମାନଙ୍କୁ ତାଲିମ ପ୍ରଦାନ କରିବେ। ସେହିପରି ମାଷ୍ଟର ଟ୍ରେନରମାନେ ନିଜ ନିଜ ଜିଲ୍ଲାରେ ୨ ଲକ୍ଷରୁ ଅଧିକ ପୋଲିଙ୍ଗ ଅଧିକାରୀଙ୍କୁ ନିର୍ବାଚନ ସଂକ୍ରାନ୍ତ ତାଲିମ ପ୍ରଦାନ କରିବେ। ଏହାଛଡ଼ା, ରାଜ୍ୟରେ ମୋଟ ୪୯୦ଜଣ ରିଟର୍ଣ୍ଣିଙ୍ଗ ଅଫିସର ଓ ସହକାରୀ ରିଟର୍ଣ୍ଣିଙ୍ଗ ଅଫିସରଙ୍କୁ ମଧ୍ୟ ତାଲିମ ପ୍ରଦାନ କରାଯିବ। ସେମାନେ ଉପଯୁକ୍ତ ତାଲିମ ପାଇଛନ୍ତି କି ନାହିଁ ତାହା ଜାଣିବା ପାଇଁ ଏକ ପରୀକ୍ଷା କରି ମୂଲ୍ୟାୟନ କରାଯିବ ବୋଲି ସିଇଓ ସୁରେନ୍ଦ୍ର କୁମାର କହିଥିଲେ।

ସମ୍ବନ୍ଧିତ ଖବର