ଢେଙ୍କାନାଳ : ଢେଙ୍କାନାଳ ସହର ଉପକଣ୍ଠସ୍ଥିତ ଶ୍ୟାମାଚରଣପୁର ଅଞ୍ଚଳରେ ୩୩ କେଭି ବିଦ୍ୟୁତ୍ ଲାଇନ୍ ସ୍ପାର୍କିଂ ହୋଇ ଜଣେ ବ୍ୟକ୍ତିଙ୍କ ସର୍ଭିସ୍ ଲାଇନ୍ରେ ପଡ଼ିବା ଫଳରେ ତାଙ୍କ ଘର ୱାରିଂ ସହିତ ଲକ୍ଷାଧିକ ଟଙ୍କାର ବୈଦ୍ୟୁତିକ ଉପକରଣ ପୋଡ଼ି ନଷ୍ଟ ହୋଇଯାଇଛି। ପ୍ରକାଶ ଯେ, ଶ୍ୟାମାଚରଣପୁର ବାସିନ୍ଦା ମନୋରଞ୍ଜନ ମିଶ୍ରଙ୍କ ଘର ଛାତଠାରୁ ମାତ୍ର ୪ ଫୁଟ୍ ଉଚ୍ଚରେ ୩୩ କେଭି ବିଦ୍ୟୁତ୍ ତାର ଯାଇଛି। ଆଜି ମଧ୍ୟାହ୍ନରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହେବା ଫଳରେ ୩୩ କେଭି ଲାଇନ୍ ସ୍ପାର୍କିଂ ହୋଇ ଘରକୁ ସଂଯୋଗ ହୋଇଥିବା ସର୍ଭିସ୍ ଲାଇନ୍ ଉପରେ ନିଆଁଝୁଲ ପଡ଼ିଥିଲା। ଫଳରେ ଶ୍ରୀ ମିଶ୍ରଙ୍କ ଘର ଭିତର ୱାରିଂରେ ନିଆଁ ଲାଗି ତାଙ୍କର ଟିଭି, ଫ୍ରିଜ୍, ୪ଟି ଫ୍ୟାନ୍, ଇନ୍ଭର୍ଟର, ଡିଜିଟାଲ କାନ୍ଥ ଘଣ୍ଟା ଆଦି ପୋଡ଼ିଯିବା ସହ ୬ଟି ବଲ୍ ଫାଟି ଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ବିଦ୍ୟୁତ୍ ବିଭାଗର ଖାମଖିଆଲ ମନୋଭାବ ଯୋଗୁ ବାରମ୍ବାର ଏଭଳି ଦୁର୍ଘଟଣାମାନ ଘଟୁଥିଲେ ମଧ୍ୟ ଏହାର କୌଣସି ପ୍ରତିକାର ବ୍ୟବସ୍ଥା କରାଯାଉନାହିଁ। ଢେଙ୍କାନାଳ ସହରରେ ବିଦ୍ୟୁତ୍ ସରବରାହର ଭିତ୍ତିଭୂମି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ପୁରୁଣା ଖୁଣ୍ଟ ଓ ତାର ବଦଳା ଯାଉନାହିଁ। ପୌରାଞ୍ଚଳରେ ଟଣାଯାଇଥିବା ଏଲ୍ଟି ଲାଇନ୍ ତାରଗୁଡ଼ିକ ଅନେକ ସ୍ଥାନରେ ହାତ ପାହାନ୍ତାରେ ତଳକୁ ଝୁଲି ରହିଛି। କେତେକଙ୍କ ଘର କାନ୍ଥ ଓ ଗଛରେ ମଧ୍ୟ ବିଦ୍ୟୁତ୍ ତାର ଲାଗିରହିଛି। ଗତ ମାସକ ମଧ୍ୟରେ ସ୍ଥାନୀୟ କାରିଗର ସାହି ଏବଂ ଚନ୍ଦନ ବଜାରରେ ଦୁଇଟି ବିଦ୍ୟୁତ୍ଜନିତ ଦୁର୍ଘଟଣା ଘଟି ଲକ୍ଷାଧିକ ଟଙ୍କାର ବୈଦ୍ୟୁତିକ ସାମଗ୍ରୀ ପୋଡ଼ି ଯାଇଥିଲା।
ସେହିପରି ଗତ ଜୁନ୍ ମାସ ୧୦ ତାରିଖରେ ସହର ଉପକଣ୍ଠ ବୋରାପଦାଠାରେ ତଳକୁ ଓହଳିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୩ଟି ହାତୀଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଏହା ସତ୍ତ୍ୱେ ବିଦ୍ୟୁତ ବିଭାଗ ନିଜ ଦାୟିତ୍ୱ ପ୍ରତି ସଚେତନ ନ ରହିବା ଅତ୍ୟନ୍ତ ପରିତାପର ବିଷୟ। ଏ ନେଇ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ବିଦ୍ୟୁତ୍ ବିଭାଗ କର୍ତ୍ତୃପକ୍ଷଙ୍କ ଖିଆଲି ମନୋବୃତ୍ତି ଦିନକୁ ଦିନ ବଢ଼ିଚାଲିଛି। ଏହାକୁ ନେଇ ବିଦ୍ୟୁତ୍ ଉପଭୋକ୍ତା ଓ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।