ରେଭେନ୍ସାରେ ନୂଆ ବ୍ୟବସ୍ଥା

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ମୋବାଇଲକୁ ମେସେଜ୍‌ ମାଧ୍ୟମରେ ଏଥର ଯିବ ସମସ୍ତ ସୂଚନା। ଛାତ୍ରଛାତ୍ରୀଙ୍କ ପାଠପଢାର ସମସ୍ତ ସୂଚନାକୁ ଅତି ସହଜରେ ସେମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଏପରି ଏକ ପଦକ୍ଷେପ ନେଇଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। କେବେ ପରୀକ୍ଷା ହେବ, କେବେ ଫର୍ମ ଫିଲଅପ୍‌ ହେବ, ପରୀକ୍ଷାଫଳ କେବେ ବାହାରିବ… ଏପରି ସମସ୍ତ ସୂଚନା ଏବେ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ନାତକ, ସ୍ନତକୋତ୍ତର, ଏମ୍‌ଫିଲ ଓ ପିଏଚ୍‌ଡି ଛାତ୍ରଛାତ୍ରୀଙ୍କ ମୋବାଇଲକୁ ମେସେଜ୍‌ ମାଧ୍ୟମରେ ଯିବ। ଏପରି ଏକ ନୂତନ ବ୍ୟବସ୍ଥା ରେଭେନ୍ସା କର୍ତ୍ତୃପକ୍ଷ ଦଶହରା ଛୁଟି ପୂର୍ବରୁ ନେଇ ଛୁଟି ମଧ୍ୟରେ ଏହାକୁ କାର୍ଯ୍ୟକରି କରିଛନ୍ତି। ଏହାସହ ସମସ୍ତ ବିଭାଗର ମୁଖ୍ୟ ଓ ବିଶ୍ୱବିଦ୍ୟାଳୟର ପ୍ରଶାସନିକ ସ୍ଥରରେ ଥିବା ଅଧିକାରୀଙ୍କ ନିକଟରେ ସବୁ ଛାତ୍ରଛାତ୍ରୀଙ୍କ ସମସ୍ତ ତଥ୍ୟକୁ ସହଜରେ ପହଞ୍ଚାଇବା ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।
ବିଶ୍ୱବିଦ୍ୟାଳୟର ସମସ୍ତ ତଥ୍ୟ େଓ୍ଵବ୍‌ସାଇଟ୍‌ରେ ଉପଲବ୍ଧ ଥିଲେବି ଅନେକ ଛାତ୍ରଛାତ୍ରୀ ଏହାକୁ ଜାଣିପାରୁ ନଥିଲେ। ଫଳରେ ଫର୍ମ ଫିଲଅପ, ପରୀକ୍ଷା ତାରିଖ ପରି ଅତି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଅନେକ ଛାତ୍ରଛାତ୍ରୀ ସହଜରେ ଜାଣିପାରୁ ନଥିଲେ। ଫଳରେ ଛାତ୍ରଛାତ୍ରୀଙ୍କ ସହିତ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା। ବିଶ୍ୱବିଦ୍ୟାଳୟର ସବୁ ତଥ୍ୟକୁ ଛାତ୍ରଛାତ୍ରୀଙ୍କ ନିକଟରେ ଅତି ସହଜରେ ପହଞ୍ଚାଇବା ପାଇଁ ଏପରି ଏକ ନୂତନ ବ୍ୟବସ୍ଥା ପ୍ରଥମ ଥର ପାଇଁ ରେଭେନ୍ସା କର୍ତ୍ତୃପକ୍ଷ ଲାଗୁ କରିଛନ୍ତି। ଏଥିପାଇଁ ସବୁ କାର୍ଯ୍ୟ ଶେଷ ହୋଇଥିବାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀଙ୍କ ସମସ୍ତ ତଥ୍ୟକୁ ଯେପରି ସେମାନଙ୍କ ବିଭାଗର ମୁଖ୍ୟ ଓ ପ୍ରଶାସନିକ ଅଧିକାରୀ ଯଥା କୁଳପତି ଓ କୁଳସଚିବଙ୍କ କାର୍ଯ୍ୟାଳୟ ସହ ସିସିଡି, ଚିଫ୍‌ ଓ୍ଵାର୍ଡେନ, ଡିଏସ୍‌ଡବ୍ଲୁଙ୍କ କାର୍ଯ୍ୟାଳୟରେ ମିଳିପାରିବ ଏଥିପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଜଣେ ଛାତ୍ର କିମ୍ବା ଛାତ୍ରୀଙ୍କ ଉପସ୍ଥାନ କେତେ ରହିଛି, କେଉଁ ପେପରରେ ବ୍ୟାକ ଲାଗିଛି, ଲାଇବ୍ରେରୀ କ୍ଲିୟରାନ୍ସ ଅଛିକି ନାହିଁ, ହଷ୍ଟେଲ କିମ୍ବା ବିଶ୍ୱବିଦ୍ୟାଳୟର କିଛି ଫି’ ବାକି ରହିଛି କି ଏପରି ସମସ୍ତ ତଥ୍ୟକୁ ସହଜରେ ଜାଣିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପୂର୍ବରୁ ଏହି ସବୁ ସୂଚନା ପାଇବା ପାଇଁ ବିଭିନ୍ନ ବିଭାଗର କର୍ମଚାରୀଙ୍କୁ ପ୍ରଶାସନିକ ବିଭାଗକୁ ଆସିବାକୁ ପଡୁଥିଲା। ମାତ୍ର ଏବେ ଏହି ସବୁ ସୂଚନା ସେମାନେ ସେମାନଙ୍କ ବିଭାଗ ତଥା କାର୍ଯ୍ୟାଳୟରେ ସହଜରେ ପାଇପାରିବେ। ନୂତନ ବ୍ୟବସ୍ଥା ପାଇଁ ସବୁ କାର୍ଯ୍ୟ ଶେଷ ହୋଇଯାଇଛି। ଆସନ୍ତା ଏକ ସପ୍ତାହ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରାଯିବ। ଏହି ନୂତନ ବ୍ୟବସ୍ଥା ଦ୍ୱାର ସମସ୍ତ ଛାତ୍ରଛାତ୍ରୀ, ବିଶ୍ୱବିଦ୍ୟାଳୟ କର୍ମଚାରୀ ଓ ପ୍ରଶାସନିକ ଅଧିକାରୀମାନେ ବିଶେଷ ଭାବେ ଉପକୃତ ହେବେ ବୋଲି ମୁଖ୍ୟ ପରୀକ୍ଷା ନିୟନ୍ତ୍ରକ ଡକ୍ଟର କିଶୋର କୁମାର ଦାସ କହିଛନ୍ତି।

ସମ୍ବନ୍ଧିତ ଖବର