କଟକରେ ୧୬୦ ମେଢ଼: ୫୬ କିଲୋ ସୁନା, ୭୫ କ୍ୱିଣ୍ଟାଲ ଚାନ୍ଦି

0 991

କଟକ : ମେଢରେ ସୁନା ଓ ଚାନ୍ଦିର ଚମକ ସୃଷ୍ଟି କରିବାରେ କଟକ ମହାନଗର ହେଉଛି ସାରା ଦେଶ ଏମିତିକି ସମଗ୍ର ବିଶ୍ୱରେ ସ୍ୱତନ୍ତ୍ର ଆଉ ପ୍ରଥମ। କଟକ ଦଶହରାରେ ଚାନ୍ଦି ମେଢ ସଂଖ୍ୟା ଚଳିତ ବର୍ଷ ୨୩ରେ ପହଞ୍ଚି ଥିବା ବେଳେ ସୁନା ବ୍ୟବହାର କରୁଥିବା ମେଢ ସଂଖ୍ୟା ପହଞ୍ଚିଛି ୮ରେ। ଅବଶ୍ୟ ବାଖରାବାଦ କେବଳ କାଳୀ ପୂଜା ସମୟରେ ଚାନ୍ଦି ମେଢ ପ୍ରଦର୍ଶନ କରିଥାଏ। ଏହି ସବୁ ମେଢରେ ୭୫ କ୍ୱିଣ୍ଟାଲରୁ ଅଧିକ ଚାନ୍ଦି ବ୍ୟବହାର ହୋଇଥିବା ବେଳେ ୫୬ କିଲୋରୁ ଅଧିକ ସୁନା ବ୍ୟବହାର ହୋଇଛି। ବର୍ତ୍ତମାନର ବଜାର ଦର ଅନୁଯାୟୀ ହିସାବ କଲେ ସୁନା ଓ ଚାନ୍ଦିର ମୂଲ୍ୟ ପ୍ରାୟ ୬୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି।

ପୂର୍ବରୁ ଚୌଧୁରୀବଜାର, ଶେଖ୍‌ବଜାର, ମଙ୍ଗଳାବାଗ, ରାଣୀହାଟ, ଚାଉଳିଆଗଞ୍ଜ, କାଠଗଡାସାହି ଓ ହରିପୁର-ଦୋଳମୁଣ୍ଡାଇ ମେଢରେ ସୁନା ବ୍ୟବହାର ହୋଇଥିବା ବେଳେ ଚଳିତ ବର୍ଷ କଲେଜ ଛକ ପୂଜା କମିଟି ମେଢରେ ସୁନା ମୟୂର ବ୍ୟବହାର କରିଛି। ଆହୁରି ଅନେକ ମେଢରେ ଦେବୀଙ୍କର ଛୋଟ ଅଳଙ୍କାର ମଧ୍ୟ ସୁନାରେ ତିଆରି ହୋଇଛି। ୧୯୯୦ ମସିହାରେ ଚୌଧୁରୀ ବଜାର ପଞ୍ଚାୟତ କମିଟି ପ୍ରଥମେ ଦୁର୍ଗାଙ୍କ ପାଇଁ ୪ କିଲୋ ଓଜନର ସୁନା ମୁକୁଟ ତିଆରି କରିଥିଲା। ପରେ ମେଢ଼ ପାଇଁ ୫ କିଲୋ ସୁନାରେ ୫ଟି କଲିକା, ୪ କିଲୋ ସୁନାରେ ମେଢ ପାଇଁ ଓଁ, ପାର୍ଶ୍ୱ ଦେବାଦେବୀଙ୍କ ମୁକୁଟ ଓ ଅଳଙ୍କାର ତିଆରି ହେଲା। କେବଳ ଚୌଧୁରୀବଜାର ମଣ୍ଡପରେ ପାଖାପାଖି ୨୫ କିଲୋ ସୁନା ବ୍ୟବହାର ହୋଇଛି।

ପରେପରେ କଟକ ଚଣ୍ଡୀରୋଡ ଶେଖବଜାର ପୂଜା କମିଟି ୨୦୦୫ରେ ୬ କିଲୋ ସୁନାରେ ଦୁର୍ଗାଙ୍କ ସମେତ ପାର୍ଶ୍ୱ ଦେବାଦେବୀଙ୍କ ମୁକୁଟ ତିଆରି କଲା। ମୁକୁଟ ପରେ ୧ କିଲୋ ସୁନାରେ ଦୁର୍ଗାଙ୍କ ଅଳଙ୍କାର ମଧ୍ୟ ତିଆରି ହେଲା। ଚଳିତ ବର୍ଷ ଦେଢ଼ କିଲୋ ସୁନାରେ ଏକ ମୟୂର ଚନ୍ଦ୍ରିକା ତିଆରି ହୋଇ ମେଢରେ ଲାଗିଛି।

ଚାଉଳିଆଗଞ୍ଜ ପୂଜା କମିଟି ୨୦୦୮ରେ ୩ କିଲୋ ୩ ଶହ ଗ୍ରାମ ସୁନାରେ ଦୁର୍ଗାଙ୍କ ମୁକୁଟ ତିଆରି କରିଥିଲା। ଏହା ସହ ୧କିଲୋ ସୁନାରେ ଦୁର୍ଗାଙ୍କ ଚିକ, ହାର ଓ କାନଫୁଲ ମଧ୍ୟ ତିଆରି କରିଛି। ସେହିପରି ମଙ୍ଗଳାବାଗ ପୂଜା କମିଟି ୨୦୧୦ରେ ୬ କିଲୋର ସୁନା ମୁକୁଟ ତିଆରି କଲା। ପରବର୍ତ୍ତି ସମୟରେ ଦେଢ଼ କିଲୋ ସୁନାରେ ମା’ଙ୍କ ଚମ୍ପାହାର ଓ ମୟୂର ତିଆରି ହୋଇଛି।
ରାଣୀହାଟ ପୂଜା କମିଟି ୨୦୧୪ ମସିହାରେ ଦୁର୍ଗାଙ୍କ ପାଇଁ ୪କିଲୋ ୮ଶହ ଗ୍ରାମର ସୁନା ମୁକୁଟ ତିଆରି କରିଛି। ପରେ ପାର୍ଶ୍ୱ ଦେବାଦେବୀଙ୍କ ପାଇଁ ୧କିଲୋ ସୁନାରେ ମୁକୁଟ ତିଆରି ହୋଇଛି। ୨୦୧୫ରେ ମା’ଙ୍କ ମୁକୁଟ ପାଇଁ ୮ଶହ ଗ୍ରାମର ସୁନାରେ ଦୁଇଟି ମାଛ ତିଆରି କରିଛି।

Panda Mobile only

କାଠଗଡାସାହି ପୂଜା କମିଟି ୨୦୧୫ ମସିହାରେ ୩ କିଲୋ ସୁନାରେ ଦୁର୍ଗାଙ୍କ ପାଇଁ ମୁକୁଟ ନିର୍ମାଣ କରିଛି। ହରିପୁର-ଦୋଳମୁଣ୍ଡାଇ ପୂଜା କମିଟି ୧ କିଲୋ ଓଜନର ସୁନା ଗହଣା ତିଆରି କରିଥିବା ବେଳେ ୪ଶହ ଗ୍ରାମର ସୁନା ମୟୂର ମେଢରେ ଲଗାଇଛି। ସହରର ଅନେକ ପୂଜା କମିଟି ଦୁର୍ଗାଙ୍କ ସମେତ ପାର୍ଶ୍ୱଦେବାଦେବୀଙ୍କ ପାଇଁ ସୁନାର ହାର, କାନର, ନୋଥ ଆଦି ତିଆରି କରିଛନ୍ତି। ଚଳିତ ବର୍ଷ ଅର୍ଥାତ ୨୦୧୭ରେ କଲେଜ ଛକ ପୂଜା କମିଟି ପାଖାପାଖି ୧ କିଲୋ ଓଜନର ସୁନା ମୟୂର ତିଆରି କରିଛି। ଏହିଭଳି ହିସାବରେ ବିଭିନ୍ନ ମେଢରେ ୫୬ କିଲୋରୁ ଅଧିକ ସୁନା ବ୍ୟବହାର ହୋଇଥିବା ବେଳେ ଏହାର ମୂଲ୍ୟ ୧୭ କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି।

ଅନୁରୂପ ଭାବେ ୧୯୫୫ରେ ଚୌଧୁରୀ ବଜାର ପ୍ରଥମ ଚାନ୍ଦି ମେଢ ତିଆରି କରିଥିବା ବେଳେ ପରକୁ ପର ଚାନ୍ଦି ମେଢ ନିର୍ମାଣ ହୋଇ ଏବର୍ଷ ଚାନ୍ଦି ମେଢ ସଂଖ୍ୟା ୨୩ରେ ପହଞ୍ଚିଛି (ବାଖରାବାଦର କାଳୀ ମେଢକୁ ମିଶାଇଲେ ୨୪)। ଚାନ୍ଦିନୀଚୌକ, ଚାଉଳିଆଗଂଜ, ବାଲୁବଜାର, କାଜୀ ବଜାର, ପୀଠାପୁର କାଳୀୟ ଦଳନ ପୂଜା କମିଟି, ଖାନନଗର-ଖପୁରିଆ ଶିଳ୍ପାଞ୍ଚଳ ପୂଜା କମିଟି, ଅଲିଶା ବଜାର, କଟକ ଚଣ୍ଡୀରୋଡ- ଶେଖ ବଜାର, ମଙ୍ଗଳାବାଗ, ରାଣୀହାଟ, ଶଙ୍କରପୁର-ବାଦାମବାଡି, ବୁଢୀ ଠାକୁରାଣୀ, ଶିଖରପୁର-ଗଣ୍ଡରପୁର-ମହାନଦୀବିହାର, ହରିପୁର-ଦୋଳମୁଣ୍ଡାଇ, ଖଟବିନ୍‌ ସାହି, ନୟା ସଡ଼କ, ତୁଳସୀପୁର ହନୁମାନ ଛକ, ଫିରିଙ୍ଗବଜାର, କାଠଗଡା ସାହି, ମାଛୁଆବଜାର ଏବଂ ଗଣେଶ ଘାଟ ଚାନ୍ଦି ମେଢରେ ପୂଜା ଆୟୋଜନ କରୁଥିବା ବେଳେ ଚଳିତ ବର୍ଷ ଦରଘା ବଜାର ମହାବୀର ପୂଜା କମିଟି ନୂଆ ଚାନ୍ଦି ମେଢ ପ୍ରସ୍ତୁତ କରିଛି।

ରାଣୀହାଟ ଓ କଟକ ଚଣ୍ଡୀ ରୋଡ-ଶେଖ ବଜାର ସର୍ବାଧିକ ୫ କ୍ୱିଣ୍ଟାଲ ଚାନ୍ଦି ମେଢରେ ବ୍ୟବହାର କରିଥିବା ବେଳେ ଚାଉଳିଆଗଂଜ ୪ କ୍ୱିଣ୍ଟାଲ, ଚାନ୍ଦିନୀଚୌକ, ବାଲୁ ବଜାର, ଖାନନଗର-ଖପୁରିଆ, ଅଲିଶା ବଜାର, ମଙ୍ଗଳାବାଗ, ବାଦାମବାଡି-ଶଙ୍କରପୁର,ଶିଖରପୁର-ଗଣ୍ଡରପୁର-ମହାନଦୀବିହାର, କାଠଗଡା ସାହି, ମାଛୁଆ ବଜାର ୩ରୁ ୪ କ୍ୱିଣ୍ଟାଲ, ଚୌଧୁରୀ ବଜାର, ଫିରିଙ୍ଗ ବଜାର, ବୁଢୀ ଠାକୁରାଣୀ ୨ରୁ ୩ କ୍ୱିଣ୍ଟାଲ ଏବଂ ନୟାସଡ଼କ, ତୁଳସୀପୁର ହନୁମାନ ଛକ, ଖଟବିନ ସାହି, ବାଖରାବାଦ, ଗଣେଶ ଘାଟ, ପୀଠାପୁର କାଳୀୟ ଦଳନ, କାଜୀ ବଜାର ୧ରୁ ୨ କ୍ୱିଣ୍ଟାଲ ଚାନ୍ଦି ମେଢରେ ବ୍ୟବହାର କରିଛନ୍ତି। ନୂଆ ଚାନ୍ଦି ମେଢ ପ୍ରସ୍ତୁତ କରିଥିବା ଦରଘା ବଜାର ମହାବୀର ପୂଜା କମିଟି ୨ କ୍ୱିଣ୍ଟାଲ ୮୦ କିଲୋ ଓଜନର ଚାନ୍ଦି ବ୍ୟବହାର କରିଛି। ଚାନ୍ଦିର ଅଳଙ୍କାର ଓ ମେଢକୁ ମିଶାଇଲେ ଏହି ପରିମାଣ ୭୫ କ୍ୱିଣ୍ଟାଲରୁ ଅଧିକ ହେବ।

ବର୍ତ୍ତମାନର ବଜାର ଦର ଅନୁଯାୟୀ ଚାନ୍ଦିର ମୂଲ୍ୟ ୩୪ କୋଟି ଟଙ୍କାରୁ ଅଧିକ ହେବ। କିନ୍ତୁ ସହରର ଅନେକ ମେଢରେ ଏବେ ମା’ ଓ ଅନ୍ୟ ଦେବାଦେବୀଙ୍କ ଗହଣା ଚାନ୍ଦିରେ ତିଆରି ହେଲାଣି। ତେଣୁ ଏଭଳି ମୋଟାମୋଟି ଆକଳନରେ କଟକର ୧୬୦ ମେଢକୁ ହିସାବକୁ ନେଲେ ବ୍ୟବହାର ହେଉଥିବା ସୁନା-ଚାନ୍ଦିର ପରିମାଣ ୬୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ହିସାବ କରାଯାଉଛି। ୨୦୧୬ରେ ଦଶହରାରେ ମେଢ ସଂଖ୍ୟା ୧୫୮ ଥିବା ବେଳେ ଚଳିତ ବର୍ଷ କହ୍ନେଇପୁରରେ ଦୁର୍ଗା ପୂଜା ଏବଂ ନୂଆପାଟଣାରେ ମହାଦେବ ପୂଜା ନୂଆ ଆରମ୍ଭ ହୋଇଛି। ଫଳରେ ମୋଟ ମେଢ ସଂଖ୍ୟା ୧୬୦ ଛୁଇଁଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.