କିସିଣ୍ଡା ଡାଙ୍ଗଟେକା ଜଙ୍ଗଲରୁ ମାଓ ଅସ୍ତ୍ରଶସ୍ତ୍ର ଜବତ

ସମ୍ବଲପୁର : ମାଓବାଦୀ ସଙ୍ଗଠନ ସମ୍ବଲପୁରକୁ ଏତେ ଶୀଘ୍ର ଛାଡ଼ିବ ନାହିଁ। ଯେକୌଣସି ସମୟରେ ଏଠାରେ ବଡ଼ ଆକ୍ରମଣ ପାଇଁ ପ୍ରଚେଷ୍ଟା ଜାରି ରଖିଛି ମାଓ ସଙ୍ଗଠନ। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡର କିସିଣ୍ଡା ଡାଙ୍ଗଟେକା ସଂରକ୍ଷିତ ଜଙ୍ଗଲରୁ ପୋତାହୋଇଥିବା ୨ଟି ରାଇଫଲ, ୪୮୪ ବିଭିନ୍ନ ପ୍ରକାର ଗୁଳି ଜବତ ପରେ ଏହା ସ୍ପଷ୍ଟ ହୋଇଥିବା କହିଛନ୍ତି ରେଢାଖୋଲ ଏସଡିପିଓ ରବିନ୍ଦ୍ର ମଲ୍ଲିକ। ବରଗଡ଼ ପାଇକମାଲରେ ପୁଲିସ ଏନକାଉଣ୍ଟରରେ ଦୁଇ ମାଓବାଦୀଙ୍କ ମୃତ୍ୟୁ ପରେ ମାଓ ଅସ୍ତ୍ରଶସ୍ତ୍ର ଜବତ ଏସଡିଏସ ପାଇଁ ଶକ୍ତ ଧକ୍କା ହୋଇଛି। ୨୭ ତାରିଖ ଭୋରରୁ ୨୮ ତାରିଖ ପର୍ଯ୍ୟନ୍ତ ରାଉରକେଲା ଡିଭିଏଫ ଏବଂ ସମ୍ବଲପୁର ପୁଲିସର ମିଳିତ ଅପରେସନ ପରେ ଏହି ସାମଗ୍ରୀଗୁଡ଼ିକ ଜବତ କରାଯାଇଛି। ଅନ୍ୟ ଅଞ୍ଚଳରେ ମଧ୍ୟ ଏଭଳି ଅସ୍ତ୍ରଶସ୍ତ୍ର ଥିବାର ସମ୍ଭାବନା ରହିଛି।

ଜବତ ସାମଗ୍ରୀ ମଧ୍ୟରେ କଳଙ୍କି ଲାଗିଥିବା ୩୦୩ ରାଇଫେଲ ୨ଟି ରହିଛି। ଏଥିରୁ ଗୋଟିଏ ମାଗାଜିନ ଏବଂ ଦୁଇ ବଟପ୍ଲେଟ ବିଶିଷ୍ଟ ଥିଲା। ଏହାଛଡ଼ା ୬୨ଟି ୯ ଏମଏମ ଗୁଳି, ୬ ମାଗାଜିନରେ ୩୦ଟି ୩୦୩ ବଲ ଏମ୍ୟୁନେସନ(ଦେଶୀ ବନ୍ଧୁକ ଗୁଳି), ୧୩୬ଟି ୩୦୩ ବଲ ଏମେ୍ୟୁନେସନ(ଦେଶୀ ବନ୍ଧୁକ ଗୁଳି), ୨୫୬ଟି ୭.୬୨ ଏମଏମର ଏସଏଲଆର ଗୁଳି, ଗୋଟିଏ ଜୀବନ୍ତ ହେଣ୍ଡଗ୍ରେନେଡ, ଜୀବନ୍ତ ଟିଫିନ ବୋମା, ବିନା ଡିଟୋନେଟରର ଗୋଟିଏ ଟିଫିନ ବୋମା, ୧୪ଟି ୩୦୩ ମାଗାଜିନ ଖୋଳ, ଗୋଟିଏ ଗୁଳି ବ୍ୟାଗ ରହିଛିି। ଗୁଳି ପୋତିବା ପଛରେ ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଟାମ୍ପରସିଂହାର କୁନୁ ଦେହୁରୀ ଓରଫ ଅଜୟ ଦେହୁରୀ, ଦେବଗଡ଼ ଜିଲ୍ଲା ଜଡ଼ାଗଳାର ବାଦଲ ଓରଫ ଶଙ୍କର ମାଝି ଏବଂ ଝାଡ଼ଖଣ୍ଡ ବୋକାରୋ ବଂଶୀର ଅନମୋଲ ଓରଫ ସମରଜିତ ଓରଫ ଲାଲଚାନ୍ଦ ଓରଫ ସୁଶାନ୍ତର ହାତ ଥିବା ସନ୍ଦେହ କରାଯାଉଛି। ଜବତ ହୋଇଥିବା ଏହି ଅସ୍ତ୍ରଶସ୍ତ୍ର ପ୍ରାୟ ଅଢେଇରୁ ତିନି ବର୍ଷ ପୂର୍ବର ହୋଇଥିବା ଅନୁମାନ କରାଯାଉଛି। ଆଉ କେତେକ ଗୁଳି କିଛି ମାସ ପୂର୍ବରୁ ପୋତା ଯାଇଛି।

ରେଢ଼ାଖୋଲ ଏସଡିପିଓଙ୍କ ସୂଚନା ଅନୁସାରେ, ୨୦୦୭-୦୮ ମସିହାରେ ମାଓବାଦୀ ଅପରେସନ ପରେ ସମ୍ବଲପୁରରୁ ମାଓବାଦୀ ପ୍ରାୟତଃ ନିଶ୍ଚିନ୍ନ ହୋଇ ପଡ଼ିଥିଲେ। କିଛି ବର୍ଷ ହେଲା ଏସଡିଏସକୁ ପୁର୍ନବିନ୍ୟାସ ପାଇଁ କୁନୁ ଦେହୁରୀ, ବାଦଲ ଏବଂ ଅନମୋଲଙ୍କୁ ଦାୟିତ୍ୱ ଦିଆଯାଇଛି। ୨ରୁ୪ ମାସ ମଧ୍ୟରେ ବିଭିନ୍ନ ସମୟରେ ସେମାନେ ଏଠାକୁ ଆସି ସଙ୍ଗଠନ ଗଠନ ପାଇଁ ଚେଷ୍ଟା ଜାରି ରଖିଛନ୍ତି। କୁନୁ ନିଜର ୮-୧୦ ସାଥୀଙ୍କ ସହିତ ଅନୁଗୁଳରୁ ଉଷାକୋଠି, ଜମନକିରା, ସୁନ୍ଦରଗଡ଼ ଦେଇ ଯାତାୟାତ କରୁଛନ୍ତି। କୁନୁ ସ୍ଥାନୀୟ ଅଞ୍ଚଳର ହୋଇଥିବାରୁ ଏହାର ଘଞ୍ଚ ଅରଣ୍ୟ ସହିତ ସେ ପରିଚିତ ଅଟେ। ଏଠାରେ ତାର ସମର୍ଥକ ନଥିବା ତାର ମୁଖ୍ୟ ସାଥୀ ଧନୁ ଦେହୁରୀ ଆତ୍ମସମର୍ପଣ କରି ସାରିଥିବାରୁ ଏଠି ଲମ୍ବା ସମୟ ଧରି ରହିବା ସମ୍ଭବ ହେଉ ନାହିଁ। ବିଭିନ୍ନ ସମୟରେ ରେଢାଖୋଲ ଜଙ୍ଗଲରେ ସଙ୍ଗଠନର ରହଣି ଏବଂ ଯାତାୟାତ ନେଇ ସୂଚନା ମିଳୁଛି। ସ୍ଥାନୀୟ ଅଞ୍ଚଳରୁ ନୂଆ ନିଯୁକ୍ତି ନେଇ ସ୍ପଷ୍ଟ ହୋଇ ପାରି ନାହିଁ। ଦେବଗଡ଼ର ଗୋଟିଏ ଗାଁର କିଛି ବ୍ୟକ୍ତି ସଙ୍ଗଠନରେ ସାମିଲ ହୋଇଥିବା ସୂଚନା ମିଳିଥିଲେହେଁ ଏହା ସ୍ପଷ୍ଟ ନୁହେଁ। କିଛି ଦିନ ପୂର୍ବରୁ ରେଢାଖୋଲ ଘଞ୍ଚ ଜଙ୍ଗଲରେ ଗଞ୍ଜେଇ ଚାଷ ନଷ୍ଟ କରିବାବେଳେ ମାଓବାଦୀଙ୍କ ରହିବା ନେଇ ସୂଚନା ମିଳିଥିଲା। ବର୍ତ୍ତମାନ ମାଓ ଅସ୍ତ୍ରଶସ୍ତ୍ର ଜବତ ପରେ ମାଓ ବିରୋଧରେ ଅଭିଯାନକୁ ଆହୁରି ତୀବ୍ର ତର କରାଯିବ।

କେମିତି ପାଇଲା ପୁଲିସ- କିଛି ମାସ ପୂର୍ବରୁ ରାଉରକେଲା ଡିଭିଏଫ ପାଖରେ ଆତ୍ମସମର୍ପଣ କରିଥିଲେ ଦୁଇ ମାଓବାଦୀ। ତାଙ୍କ ସୂଚନା ଅନୁସାରେ, ରାଉରକେଲା ଡିଭିଏଫ ସମ୍ବଲପୁରରେ ଏହି ସଫଳତା ପାଇଛିି। ଏହି ଘଟଣାର ଅଭିଯୁକ୍ତ ବିରୋଧରେ କିସିଣ୍ଡା ଥାନାରେ ୨୦୦୫ ମସିହା ଜାନୁଆରି ମାସରେ ୪୫୧, ୨୯୪, ୩୪୧, ୪୨୭, ୫୦୬ ଆଇପିସି ୨୫/୨୭ ଅସ୍ତ୍ରଶସ୍ତ୍ର ନିରୋଧ ଆଇନ, ୨୦୦୫ ମସିହା ଫେବ୍ରୁଆରି ୪ ତାରିଖ ଅଣ୍ଡର ସେକ୍ସନ ୩୯୯, ୪୦୦, ୪୦୨ ଆଇପିସି, ୨୦୦୭ ମସିହା ମାର୍ଚ ୨୬ ତାରିଖରେ ଅଣ୍ଡର ସେକ୍ସନ ୩୦୭, ୩୫୩, ୧୨୧(ଏ)/୩୪, ୨୦୦୭ ମସିହା ସେପ୍ଟେମ୍ବର ୨ ତାରିଖରେ ୩୦୭, ୩୫୩, ୧୨୧(ଏ)/୩୪ ଆଇପିସି, ୨୦୧୦ ମସିହା ଫେବ୍ରୁଆରି ୧୧ ତାରିଖରେ ଅଣ୍ଡର ସେକ୍ସନ ୧୨୧/୧୨୧(ଏ), ୧୨୩, ୩୮୬ଆଇପିସି, ଆରଡବ୍ଲୁ୧୧/୧୩(ସି),୧୩(୨)/୧୭ ବେଆଇନ କାର୍ଯ୍ୟ, ୨୦୧୧ ମସିହା ଅକ୍ଟୋବର ୮ ତାରିଖରେ ୧୨୦, ୧୨୧, ୧୨୦(ବି),୧୨୧(ଏ), ୧୨୩, ୩୮୬ଆଇପିସି, ଆରଡବ୍ଲୁ୧୧/୧୩(ଏ),୧୩(୨)/୧୭, ୨୦୧୧ ମସିହା ଅକ୍ଟୋବର ୮ ତାରିଖରେ ୧୨୦, ୧୨୧, ୧୨୦(ବି), ୧୨୧(ଏ), ୩୦୭ଆଇପିସି/୨୫/୨୭ ଅସ୍ତ୍ର ନିରୋଧ ଆଇନରେ ମାମଲା ରହିଛି। ଚାରମାଲ ଥାନାରେ ୨୦୦୬ ମସିହାରେ ଅଣ୍ଡର ସେକ୍ସନ ୩୦୭, ୧୨୧, ୩୪ ଆଇପିସି, ଅସ୍ତ୍ର ନିରୋଧ ଆଇନ, ଜମନକିରାରେ ୪ଟି ବିଭିନ୍ନ ପ୍ରକାର ମାମଲା ରହିଛି।

ଗତବର୍ଷ ଅଳ୍ପରେ ବର୍ତ୍ତିଥିଲା କୁନୁ ଦେହୁରୀ-ଗତବର୍ଷ ଦୁର୍ଗା ପୂଜା ସମୟରେ ଟ୍ରେନରେ କୁନୁ ଯାଉଥିବା ଖବର ପାଇଥିଲେ। ରେଳଷ୍ଟେସନରେ ପୁଲିସ ଫୋର୍ସ ଛକି ରହିଥିଲା। ମାତ୍ର କୁନୁ ପୂର୍ବରୁ ସୂଚନା ପାଇ ଫେରାର ହୋଇ ଯାଇଥିଲା।

ମାଓବାଦୀ ନେତୃତ୍ୱ ପରିବର୍ତ୍ତନର ପ୍ରଭାବ ପ୍ରତି ଦୃଷ୍ଟି- ମାଓବାଦୀ ସାଧାରଣ ସମ୍ପାଦକ ମୁପ୍ପାଲା ଲକ୍ଷ୍ମଣ ରାଓ ଓରଫ ଗଣପତି ଅବସର ନେଉଛନ୍ତି। ତାଙ୍କ ବଦଳରେ ବର୍ତ୍ତମାନ ପାର୍ଟିର ଦ୍ୱିତୀୟ କମାଣ୍ଡର ଇନଚିଫ ନାମ୍ବାଲା କେଶଭ ରାଓ ଓରଫ ବସଭରାଜ ଦାୟିତ୍ୱ ଗ୍ରହଣ କରୁଛନ୍ତି। କେଶଭ ରାଓ ସେଣ୍ଟ୍ରାଲ ମିଲିଟ୍ରି କମିସନର ଥିଲେ। ଏଥିଯୋଗୁଁ ବର୍ତ୍ତମାନ ଦଳ ବିଚାର ଅପେକ୍ଷା ସାମରିକ କାର୍ଯ୍ୟକ୍ରମକୁ ବେଶି ଗୁରୁତ୍ୱ ଦେଉଥିବା ଅନୁମାନ କରାଯାଉଛି। ଏହି ଦୃଷ୍ଟିରୁ ସମ୍ବଲପୁରରେ ଏହାର ପ୍ରଭାବ କଣ ପଡ଼ିବ ଏହା ଉପରେ ସମ୍ବଲପୁର ପୁଲିସ ଦୃଷ୍ଟି ରଖିଛି।

ସମ୍ବନ୍ଧିତ ଖବର