ଖଣିଜ ନୀତି ସମୀକ୍ଷା କମିଟିରୁ ଜୁଏଲ୍‌ଙ୍କ ବିଭାଗ ବାଦ୍‌

0 84

ରାଉରକେଲା : ଓଡ଼ିଶା ସମେତ ଦେଶର ବିଭିନ୍ନ ଖଣି ଇଲାକା ମୁଖ୍ୟତଃ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ। ତେଣୁ ଖଣି କାର୍ଯ୍ୟକଳାପର ଧ୍ୱଂସଲୀଳାରେ ସ୍ଥାନୀୟ ଆଦିବାସୀମାନେ ହିଁ କ୍ଷତିଗ୍ରସ୍ତ ହୋଇଥାନ୍ତି। ମାତ୍ର ବିଡ଼ମ୍ବନା ଏହି ଯେ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ‘ଜାତୀୟ ଖଣିଜ ନୀତି ସମୀକ୍ଷା କମିଟି’ରେ କେନ୍ଦ୍ର ଆଦିବାସୀ ବ୍ୟାପାର ବିଭାଗ ପ୍ରତିନିଧିତ୍ୱକୁ ବାଦ୍‌ ଦିଆଯାଇଛି। ବରଂ ଯେଉଁ ପଦାଧିକାରୀମାନଙ୍କ ସମାୟନୁବର୍ତ୍ତୀତା ଓ ତଦାରଖ ଅଭାବରୁ ଓଡ଼ିଶା ସମେତ ବିଭିନ୍ନ ଖଣିଜ ରାଜ୍ୟରେ ଖଣି ଦୁର୍ନୀତି କାୟା ବିସ୍ତାର କରିଥିଲା, ମୁଖ୍ୟତଃ ସେମାନଙ୍କୁ ନେଇ ଗଠିତ ହୋଇଛି ୨୯ ସଦସ୍ୟ ବିଶିଷ୍ଟ ବିଶାଳ (ଜୁମ୍ବୋ) କମିଟି। ଉଲ୍ଲେଖଯୋଗ୍ୟ, ଖଣି ଦୁର୍ନୀତି ସଂକ୍ରାନ୍ତରେ ଜଷ୍ଟିସ୍‌ ଏମ୍‌ ବି ସାହା କମିସନ୍‌ଙ୍କ ରିପୋର୍ଟକୁ ଆଧାର କରି ସୁପ୍ରିମ୍‌ କୋର୍ଟ ଗତ ଅଗଷ୍ଟ ୩ରେ ଦେଇଥିବା ରାୟରେ ବେଆଇନ୍‌ ଭାବେ ଉତ୍ତୋଳିତ ଖଣିଜ ଦ୍ରବ୍ୟର ୧୦୦% ମୂଲ୍ୟ ଲିଜ୍‌ଧାରୀଙ୍କଠାରୁ ଜରିମାନା ଆକାରରେ ଅସୁଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କେବଳ ସେତିକି ନୁହେଁ, ପ୍ରଚଳିତ ନୀତି ନିୟମ ବେଆଇନ ଖଣି କାର୍ଯ୍ୟକଳାପ ରୋକିବାରେ ବିଫଳ ହୋଇଥିବାରୁ ତୁରନ୍ତ ତାହାର ପୁନଃସମୀକ୍ଷା ଲାଗି ସୁପ୍ରିମ୍‌ କୋର୍ଟ ମଧ୍ୟ ସେଦିନ ନିର୍ଦ୍ଦେଶ ଦେଇଥିଲେ।

ଏହି ନିର୍ଦ୍ଦେଶ ଅନୁଯାୟୀ କେନ୍ଦ୍ର ଖଣି ମନ୍ତ୍ରାଳୟର ଅତିରିକ୍ତ ସଚିବ ଡ. କେ. ରାଜେଶ୍ୱର ରାଓଙ୍କ ଅଧ୍ୟକ୍ଷତାରେ ଗଠିତ ଜୁମ୍ବୋ କମିଟିରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର ୮ ଜଣ ଯୁଗ୍ମ ସଚିବ, ଓଡ଼ିଶା ସମେତ ୧୨ଟି ଖଣିଜ ରାଜ୍ୟର ଖଣି ସଚିବ, ଭାରତୀୟ ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଜିଏସ୍‌ଆଇ)ର ମହା ନିର୍ଦ୍ଦେଶକ, ଭାରତୀୟ ଖଣି ବ୍ୟୁରୋ (ଆଇବିଏମ୍‌)ର ନିୟନ୍ତ୍ରକ, ନୀତି ଆୟୋଗ ଓ ରେଳବାଇ ବୋର୍ଡ଼ର ଜଣେ ଲେଖାଏଁ ପ୍ରତିନିଧିଙ୍କୁ ମିଶାଇ ମୋଟ ୨୫ ଜଣ ଅମଲା ଅଛନ୍ତି। ଅବଶିଷ୍ଟ ୪ଟି ସଦସ୍ୟତା ପାଇଁ ଭାରତୀୟ ଖଣି ଶିଳ୍ପ ମହାସଂଘ (ଫିମି), ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ), ଭାରତୀୟ ଶିଳ୍ପ ବାଣିଜ୍ୟ ମହାସଂଘ (ଫିକି) ଓ ଆସୋଚାମ୍‌ରୁ ଜଣେ ଲେଖାଏଁ ପ୍ରତିନିଧିତ୍ୱ କରିବେ। ତେବେ ଆଦିବାସୀ ବ୍ୟାପାର ବିଭାଗ ସମେତ ପରିବେଶବିତ୍‌ କିମ୍ବା ସିଭିଲ୍‌ ସୋସାଇଟିକୁ ଏଥିରେ ପ୍ରତିନିଧିତ୍ୱ ମିଳି ନାହିଁ। ଗଠିତ ଜୁମ୍ବୋ କମିଟି ବେଆଇନ ଖଣି କାର୍ଯ୍ୟକଳାପ ନିୟନ୍ତ୍ରଣ ସାଙ୍ଗକୁ ଭବିଷ୍ୟତ ପାଇଁ ଖଣିଜ ବିକାଶ ଓ ସଂରକ୍ଷଣ, ପରିବେଶ ରକ୍ଷା, ସାମାଜିକ ଓ ଆର୍ଥିକ ସନ୍ତୁଳନ ଜରିଆରେ ଦୀର୍ଘ ମିଆଦି ଖଣି ଶିଳ୍ପର ଅଭିବୃଦ୍ଧି ନିମନ୍ତେ ସୁପାରିସ୍‌ କରିବାକୁ କୁହାଯାଇଛି।

ତେବେ ଆଦିବାସୀମାନଙ୍କ ଜୀବନ-ଜୀବିକାକୁ ଖଣି କାର୍ଯ୍ୟକଳାପ ସିଧାସଳଖ ପ୍ରଭାବିତ କରୁଥିବା ବେଳେ ଗଠିତ ସମୀକ୍ଷା କମିଟିରେ ଆଦିବାସୀ ବ୍ୟାପାର ବିଭାଗକୁ ଆଦୌ ପ୍ରତିନିଧିତ୍ୱ ନମିଳିବା ୩ ବର୍ଷ ତଳର ପୁରାତନ ବିବାଦକୁ ସ୍ମରଣ କରାଉଛି। ସ୍ମରଣଯୋଗ୍ୟ, ରୋଳପଥ, ରାଜପଥ, ନଦୀ ବନ୍ଧ ଭଳି ଭିତ୍ତଭୂମି ପ୍ରକଳ୍ପ କ୍ଷେତ୍ରରେ ଜଙ୍ଗଲ ଜମି ଅଧିକାର ଆଇନ (ଏଫ୍‌ଆର୍‌ଏ)-୨୦୦୬ରେ ଥିବା ‘ଗ୍ରାମସଭା ଅନୁମତି’ ଓ ଅନ୍ୟ କେତେକ କଟକଣାକୁ କୋହଳ କିମ୍ବା ଉଚ୍ଛେଦ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାର କ୍ଷମତାକୁ ଆସିବାର ଏକ ମାସ ମଧ୍ୟରେ ପରିବେଶ ମନ୍ତ୍ରାଳୟ ଜରିଆରେ ସଂଶୋଧନ ବିଲ୍‌ ଆଣିବାକୁ ପ୍ରସ୍ତୁତି ଚୂଡ଼ାନ୍ତ କରିଥିଲେ। ଜୁନ୍‌ ୭ରେ ଏହାକୁ ଖୋଲା ବିରୋଧ କରିଥିଲେ ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍‌ ଓରାମ। ସେ ଖୋଲାଖୋଲି ଭାବେ କହିଥିଲେ, ଏଫ୍‌ଆର୍‌ଏ କାର୍ଯ୍ୟକାରୀତା ତାଙ୍କ ମନ୍ତ୍ରାଳୟର ନିୟନ୍ତ୍ରଣାଧୀନ। ପରିବେଶ ବିଭାଗ ବିଲ୍‌ ଆଣୁ, ମାତ୍ର ଏଫ୍‌ଆର୍‌ଏରେ ଥିବା ବିଧି-ବ୍ୟବସ୍ଥାକୁ ତାଙ୍କ ମନ୍ତ୍ରାଳୟ କଦାପି ଗୋଳିଆ କରିବାକୁ ଦେବ ନାହିଁ।

ଜୁଏଲ୍‌ଙ୍କ ଏହି ବିବୃତି କେବଳ ଯେ ଦୁଇ ମନ୍ତ୍ରାଳୟ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି କରିଥିଲା ତାହା ନୁହେଁ, ବରଂ ବିଜେପିର ଆଭ୍ୟନ୍ତରୀଣ କନ୍ଦଳକୁ ପଦାରେ ପକାଇଥିଲା। ଉଚ୍ଚ ସ୍ତରୀୟ ଚାପରେ ହେଉ କିମ୍ବା ଅନ୍ୟ କୌଣସି କାରଣରୁ ଜୁଏଲ୍‌ ଅବଶ୍ୟ ପରେ ସ୍ୱର ବଦଳାଇଥିଲେ। ସେ ସଫେଇ ଦେଇଥିଲେ ଯେ ଆଇନ ସଂଶୋଧନ ଜରିଆରେ ଆଦିବାସୀଙ୍କ ବିକାଶ ତ୍ୱରାନ୍ଵିତ ହେବ। ଅନ୍ୟ ପକ୍ଷରେ ବିଦାୟ ନେଇଥିବା ପୋସ୍କୋକୁ ଖଣ୍ଡାଧାର ଖଣି ଲିଜ୍‌ ନମିଳିଲେ ମଧ୍ୟ ଏହି ଖଣିର ନିଲାମ ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ଜାରି ରହିଛି। ଖଣ୍ଡାଧାରକୁ ପ୍ରସଙ୍ଗ କରି ଜୁଏଲ୍‌ ନିଜ ନିର୍ବାଚନମଣ୍ଡଳୀ ରାଜନୀତିକୁ ବେଶ କିଛି ବର୍ଷ ଧରି ଶାଣିତ କରିଥିବାରୁ ଆଗାମୀ ଦିନରେ ତାହା ତାଙ୍କ ପାଇଁ ବୁମେରାଂ ହେବା ସମ୍ଭାବନା ଅଛି। ଏସବୁ ପ୍ରେକ୍ଷାପଟ୍ଟ ଦୃଷ୍ଟିରୁ ଜୁଏଲ୍‌ଙ୍କ ମନ୍ତ୍ରାଳୟକୁ ଖଣିଜ ସମୀକ୍ଷା କମିଟିରୁ ବାଦ୍‌ ଦିଆଯାଇଥିବା ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.