ରାଉରକେଲା: ମଙ୍ଗଳବାର ସମଲେଶ୍ବରୀ ଏକ୍ସପ୍ରେସ୍ ଓ ଏକ ରେଳ ଇଞ୍ଜିନ ମଧ୍ୟରେ ଦୁର୍ଘଟଣା ଘଟି ୩ ଜଣଙ୍କ ପ୍ରାଣହାନି ଘଟିଥିବାବେଳେ ରାଉରକେଲା ଷ୍ଟେସନରୁ ୮୦ କିଲୋମିଟର ଦୂରରେ ଅନ୍ୟ ଏକ ଟ୍ରେନ୍ ଏକ ନିଶ୍ଚିତ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି। ଟ୍ରେନ୍ର ପାର୍ସଲ ବଗିରେ ଫାଟ ସୃଷ୍ଟି ହୋଇଥିଲା। ପରେ ଫାଟ ସୃଷ୍ଟି ହୋଇଥିବା ବଗିକୁ ଅଲଗା କଲାପରେ ଟ୍ରେନ୍ ନିଜ ଗନ୍ତବ୍ୟ ପଥରେ ବାହାରିଥିଲା। ଏହି ଘଟଣା ଯାତ୍ରୀ ମହଲରେ କୋକୁଆ ଭୟ ଖେଳାଇ ଦେଇଥିଲା।
ମୁମ୍ବାଇ-ହାୱାଡ଼ା ସୁପରଫାଷ୍ଟ୍ ମେଲ୍ ଆଜି ହାୱାଡ଼ା ଅଭିମୁଖେ ବାହାରିଥିଲା। ତେବେ ଭୋର ପ୍ରାୟ ୩ଟାରେ ଟ୍ରେନ୍ର ପାର୍ସଲ ବଗିରେ ଫାଟ ହୋଇଥିବା ଜଣାପଡ଼ିଥିଲା। ଏହି ଟ୍ରେନ୍ ରାଉରକେଲାରୁ ପ୍ରାୟ ୮୦ କିଲୋମିଟର ଦୂର ଲୋଟାପାହାଡ଼ ଷ୍ଟେସନ ପାର ହେବାପରେ ଷ୍ଟେସନର ଜଣେ କର୍ମଚାରୀ ବଗି ମଝିରେ ବଡ଼ ଧରଣର ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ପାଇଥିଲେ। ଏ ନେଇ କର୍ମଚାରୀ ଜଣକ ଷ୍ଟେସନ କର୍ତୃପକ୍ଷଙ୍କୁ ଅବଗତ କରିଥିଲେ। ପରେ ଟ୍ରେନ୍କୁ ୬/୭ କିଲୋମିଟର ଦୂରରେ ଥିବା ପରବର୍ତ୍ତୀ ଷ୍ଟେସନ ପଶୋଇତାରେ ଜରୁରୀକାଳୀନଭାବେ ଅଟକା ଯାଇଥିଲା। ସେତେବେଳକୁ ଟ୍ରେନ୍ର ପାର୍ସଲ ବଗି ବହୁମାତ୍ରାରେ ଫାଟି ସାରିଥିଲା। ତତ୍କ୍ଷଣାତ ରେଳବାଇ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବଗିରୁ ପାର୍ସଲଗୁଡ଼ିକୁ ଅଲଗା କରିଥିଲେ। ପରେ ସଂପୂର୍ଣ୍ଣ ବଗିକୁ ଅଲଗା କରାଯାଇଥିଲା। ଦୀର୍ଘ ସମୟ ପରେ ଟ୍ରେନ୍ ନିଜ ଗନ୍ତବ୍ୟ ପଥରେ ବାହାରିଥିଲା। ପାର୍ସଲ ବଗିରେ ଓଭରଲୋଡିଂ ଯୋଗୁଁ ବଗି ଫାଟିଯାଇଥିବା ରେଳବାଇ କର୍ତୃପକ୍ଷଙ୍କଠାରୁ ସୂଚନା ମିଳିଛି। ଏ ନେଇ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଯାଇଥିବା ରେଳବାଇ ସୂତ୍ରରୁ ପ୍ରକାଶ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/Untitled-17-17.jpg)